ଶ୍ରୀମନ୍ଦିର ସୁରକ୍ଷା: ବାଡ଼ ଖାଉଛି କ୍ଷେତ

ମୋବାଇଲ୍‌ ମାଳମାଳ, ନିୟମ ଭାଙ୍ଗୁଛି ପୁଲିସ, କେବଳ ୪ଜଣଙ୍କୁ ମୋବାଇଲ୍ ନେବାର ଥିଲା ଅନୁମତି

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ଦୃଷ୍ଟିରୁ ଏକାଧିକ ବର୍ଗର ପୁଲିସ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଅଛନ୍ତି। ଶ୍ରୀମନ୍ଦିର ଯେହେତୁ ସ୍ବତନ୍ତ୍ର ସେଥିପାଇଁ ସାରା ଓଡ଼ିଶାରେ ଏକମାତ୍ର ମନ୍ଦିର ଯେଉଁଠି ସ୍ବତନ୍ତ୍ର ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ(ଜେଟିପି) ବି ନିୟୋଜିତ ହୋଇଛନ୍ତି। ତଥାପି ବଦଳୁନି ସ୍ଥିତି। ଶ୍ରୀମନ୍ଦିରରେ ମୋବାଇଲ୍‌ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ସେବାୟତ, ପୁଲିସ, ଭକ୍ତମାନେ ଅବାଧ ମୋବାଇଲ୍‌ ନେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ଯାହା ଶ୍ରୀମନ୍ଦିର ସୁରକ୍ଷାକୁ ବିପଦ ଭିତରକୁ ଠେଲି ଦେଇଛି।

ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ କେବଳ ଶ୍ରୀମନ୍ଦିର ପୁଲିସ ନାହାନ୍ତି, ଓଏସ୍‌ଏପି, ଓଡ଼ିଶା ପୁଲିସ ଓ ଆଇଆର୍‌ବିଙ୍କୁ ମୁତୟନ କରାଯାଇଛି। ଦୈନିକ ୮ ଘଣ୍ଟା ଲେଖାଏଁ, ତିନିଟି ପର୍ଯ୍ୟାୟରେ ଏମାନଙ୍କୁ ଡ୍ୟୁଟି ବି ବଣ୍ଟାଯାଇଛି। ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ରହୁଛନ୍ତି, ସେମାନଙ୍କୁ ମୋଟା ଅଙ୍କର ଟଙ୍କା ଗଣୁଛି ଶ୍ରୀମନ୍ଦିର ପ୍ରଶାସନ। ବାର୍ଷିକ କୋଟି କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଛି।

ଶ୍ରୀମନ୍ଦିରରେ ଅନେକ ଗୁପ୍ତ ଜିନିଷ ରହିବା ସହ ଦୈନିକ ଗୁପ୍ତ ନୀତି ଚାଲିଥିବାରୁ ଏହା ବାହାରେ ପ୍ରଘଟ ହେବା ଆଶଙ୍କାରେ ମନ୍ଦିର ଭିତରକୁ ମୋବାଇଲ୍‌ ନିଷେଧ କରାଯାଇଛି। ୨୦୦୭ ମସିହାର ଶ୍ରୀମନ୍ଦିର ପ୍ରଶାସନ ଚିଠି ସଂଖ୍ୟା-୨୭୯୭/୨୬/୨/୨୦୦୭ ଅନୁଯାୟୀ କେବଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ନେବାରେ ନିଷେଧ କରାଯାଇଛି। ସୂଚନା ଅଧିକାର ବଳରେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ସ୍ପଷ୍ଟ କରି ସାରିଛି। ଯଦି କେହି ମୋବାଇଲ୍‌ ନେଇ ଧରାପଡ଼ନ୍ତି ଦୁଇମାସ ଜେଲଦଣ୍ଡ କିମ୍ବା ୧ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବେ ବୋଲି ସ୍ପଷ୍ଟ ବ୍ୟବସ୍ଥା ରହିଛି।

ସେପଟେ ସେବାୟତମାନେ ଏହାକୁ ନେଇ ବିବାଦ ଉଠାଇବାରୁ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳ ଥିବା ସମୟରେ ଏହାର ବିକଳ୍ପ ଚିନ୍ତା କରିଥିଲେ। ଶ୍ରୀମନ୍ଦିର ସେବାୟତ ଓ ଅଧିକାରୀଙ୍କ ପାଇଁ ବିନା କ୍ୟାମେରାଯୁକ୍ତ ମୋବାଇଲ୍‌( ଫିଚର ମୋବାଇଲ୍)ର ବ୍ୟବସ୍ଥା କରିଥିଲେ। ଏଥିପାଇଁ ସ୍ବତନ୍ତ୍ର କାଉଣ୍ଟର ଖୋଲିଥିଲା। କିଛି ମାସ ଚାଲିଛି କି ନାହିଁ, ଏହି ଯୋଜନା ବି ଫେଲ୍‌ ମାରିଲା। କାରଣ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ, ଓଏସ୍‌ଏପି ଅଧିକାରୀମାନେ କ୍ୟାମେରା ଥିବା ମୋବାଇଲ୍‌ ଛାଡ଼ିବାରେ କୌଣସି ପ୍ରତିବନ୍ଧକ ଲଗାଇଲେ ନାହିଁ। ଏବେ ସ୍ଥିତି ଏଭଳି ହୋଇଛି, କେବଳ ସେବାୟତମାନେ ମୋବାଇଲ୍‌ ଶ୍ରୀମନ୍ଦିରକୁ ନେଉନାହାନ୍ତି, ସେବାୟତ ବେଶଧାରୀମାନେ ବି ଅବାଧରେ ମୋବାଇଲ୍‌ ନେଇ ଶ୍ରୀମନ୍ଦିରରେ ବୁଲୁଛନ୍ତି।

ସେପଟେ ଯେଉଁ ସେବାୟତମାନେ ଗୁମାସ୍ତାଗିରି କରୁଛନ୍ତି, ସେମାନେ ଯେଉଁ ଭକ୍ତଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି, ଶ୍ରୀମନ୍ଦିର ଚାରିଦ୍ବାରେ ରହୁଥିବା ଓଡ଼ିଶା ପୁଲିସ, ଆରଆର୍‌ବି, ଓଏସ୍‌ଏପିଙ୍କୁ ହାତ କରି ମୋବାଇଲ୍‌ ନେବାରେ ଗଳିଆ ବାଟ ତିଆରି କରୁଛନ୍ତି। ଫ‌ଳରେ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ବିଭିନ୍ନ ଗୁପ୍ତସ୍ଥାନର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରୁଛନ୍ତି। ଯାହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ବିପଦ ଭିତରକୁ ଠେଲି ଦେବା ସହ ଗୁପ୍ତ ନୀତି ପ୍ରଘଟ ହେବାର ଆଶଙ୍କା ସୃଷ୍ଟି କରିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ ଚନ୍ଦ୍ରଶେଖର ରାଓ କହିଛନ୍ତି, ଶ୍ରୀମନ୍ଦିର ଭିତରେ ଜେଟିପିମାନଙ୍କ ଉପରେ ତାଙ୍କର କର୍ତ୍ତୃତ୍ବ ରହୁଛି। କିନ୍ତୁ ଓଏସ୍‌ଏପି ଓ ଆଇଆର୍‌ବିମାନେ ଶ୍ରୀମନ୍ଦିର ବାହାରେ ସୁରକ୍ଷା ଦାୟିତ୍ବରେ ରହୁଛନ୍ତି। ଜିଲ୍ଲା ପୁଲିସ ନିୟନ୍ତ୍ରଣରେ ‌ଏମାନେ ରହୁଛନ୍ତି। ତେଣୁ ଜିଲ୍ଲା ପୁଲିସ ହିଁ ଏ ସମ୍ପର୍କରେ ସ୍ପଷ୍ଟ କହିପାରିବ ବୋଲି ଶ୍ରୀ ରାଓ କହିଛନ୍ତି।

ସମ୍ବନ୍ଧିତ ଖବର