ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଚିନ୍ତା

କଟକ/ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟରେ ସୁରକ୍ଷା ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ‘ବ୍ଲୁ ବୁକ୍‌’ ନିୟମ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ସମ୍ପର୍କରେ ଆଲୋଚନା କରାଯାଇଛି । ରାଷ୍ଟ୍ରପତି ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିବାରୁ ଏଥିପାଇଁ ୧୫ ଓ ୧୬ ତାରିଖ, ଦୁଇ ଦିନ କାର୍‌କେଡ୍‌ ରିହର୍‌୍‌ସେଲ କରାଯିବ । କଟକ, ଭୁବନେଶ୍ୱର ଓ ପୁରୀରେ ପର୍ଯ୍ୟାୟକ୍ରମେ ରିହର୍‌୍‌ସେଲ କରାଯିବା ସମ୍ପର୍କରେ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ୧୭ ତାରିଖ ଦିନ ୧୦ଟା ୪୫ ମିନିଟ୍‌ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାର ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯିବ । ସେଠୁ ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟରରେ ନରାଜସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିବେ। ସେଠାରୁ ସେ କଟକ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଗସ୍ତ କରିବେ। ସେଠାରେ ଦିନ ୧୧ଟା ୫୫ରୁ ୧୨ଟା ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ତୁଳସୀପୁରସ୍ଥିତ ଆନନ୍ଦ ଭବନ ମ୍ୟୁଜିୟମ୍‌ ଯିବେ । ୧୨ଟା ୧୫ରୁ ଦିନ ୧ଟା ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଅଭିମୁଖେ ଯିବେ । ସେଠାରେ ୧ଟା ୧୫ରୁ ୩ଟା ୨୫ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରହିଛି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ୩ଟା ୩୦ରୁ ୪ଟା ୧୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାଷଣ ପ୍ରଦାନ କରିବେ। କାର୍ଯ୍ୟକ୍ରମ ଶେଷ ପରେ ସେଦିନ ରାଷ୍ଟ୍ରପତି ପୁରୀସ୍ଥିତ ଓଡ଼ିଶା ରାଜଭବନରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

୧୮ ତାରିଖ ସକାଳ ୭ଟା ୩୦ରୁ ୮ଟା ୧୫ ପର୍ଯ୍ୟନ୍ତ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ରାଷ୍ଟ୍ରପତି ଜଗନ୍ନାଥ ଦର୍ଶନ କରିବେ। ପୁରୀରେ ରାଷ୍ଟ୍ରୀୟ ସଂସ୍କୃତି ସଂସ୍ଥାନ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଦିନ ୧୦ଟାରୁ ୧୦ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଯୋଗଦେବେ । ଭୁବନେଶ୍ୱର ରାଜଭବନରେ ଦିନ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତର ଶେଷ କାର୍ଯ୍ୟକ୍ରମ ରହିଛି ଆଇଆଇଟି ସମାବର୍ତ୍ତନ ଉତ୍ସବ। ୩ଟା ୩୦ରୁ ୪ଟା ୪୫ ପର୍ଯ୍ୟନ୍ତ ସେ ଆଇଆଇଟିରେ ରହିବେ। ସମାବର୍ତ୍ତନ ଉତ୍ସବ ବାଦ୍‌ ଆଇଆଇଟି କ୍ୟାମ୍ପସ୍‌ରୁ ଭିଡିଓ ଲିଙ୍କ୍‌ ମାଧ୍ୟମରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜିର ଭୁବନେଶ୍ୱର କ୍ୟାମ୍ପସ୍‌ ଉଦ୍‌ଘାଟନ କରିବେ। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସହଯୋଗରେ ଏହି କ୍ୟାମ୍ପସ୍‌ ପ୍ରତିଷ୍ଠା କରାଯାଇଛି। ଭିଡିଓ ଲିଙ୍କ୍‌ ମାଧ୍ୟମରେ ରାଷ୍ଟ୍ରପତି ତୈଳ କମ୍ପାନିଗୁଡ଼ିକ ଦ୍ୱାରା ହେବାକୁ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନର ସ୍ଥାୟୀ କ୍ୟାମ୍ପସ୍‌ର ଶିଳାନ୍ୟାସ କରିବେ।  ଏହା ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବେ।

ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦିନ ପ୍ରାୟ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ବୈଠକ ଆୟୋଜିତ ହୋଇଥିଲା । ୧୭ ଓ ୧୮ ତାରିଖ ଦୁଇ ଦିନ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖାଯାଇ ୧୫ ତାରିଖରେ ଅପରାହ୍ନରେ ଭୁବନେଶ୍ୱରରେ କାର୍‌କେଡ୍‌ ରିହଲ୍‌ସେଲ କରାଯିବ । ୧୬ ତାରିଖ ସକାଳ କଟକରେ ଏବଂ ଅପରାହ୍ନରେ ପୁରୀରେ କରାଯିବା ସମ୍ପର୍କରେ ପୁଲିସ ଡିଜି ଡାକ୍ତର ଶର୍ମା ସୂଚନା ଦେଇଛନ୍ତି।  ଆଜି ଆୟୋଜିତ ବୈଠକରେ ପୁଲିସ କମିସନର ଓ୍ଵାଇ.ବି. ଖୁରାନିଆଙ୍କ ସମେତ କଟକ ଡିସିପି ଅଖିଳେଶ୍ୱର ସିଂହ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନିଲ ରାୟ, ଆଇନ ଶୃଙ୍ଖଳା ଆଇଜି, କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପି, ସିଗ୍‌ନାଲ ଏସ୍‌ପି ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର