ସାକ୍ଷୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ କାର୍ଯ୍ୟକାରୀ ହୋଇଛି ଯୋଜନା : ହାଇକୋର୍ଟ‌େର ତଥ୍ୟ ଉପସ୍ଥାପନ କଲେ ସରକାର

କଟକ : ସାକ୍ଷୀଙ୍କୁ ସୁରକ୍ଷା ପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ସ୍ବତନ୍ତ୍ର ‌ଯୋଜନା। ଏଥି ପାଇଁ ଗଠନ କରାଯାଇଛି ସାକ୍ଷୀ ସୁରକ୍ଷା ପାଣ୍ଠି। ହତ୍ୟାର ଶିକାର ବ୍ୟକ୍ତିଙ୍କ ପରିବାରକୁ ସୁରକ୍ଷା ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି ସମୟ‌େର ଆଜି ସରକାରଙ୍କ ପକ୍ଷରୁ ହାଇକୋର୍ଟ‌େର ଏପରି ତଥ୍ୟ ଉପସ୍ଥାପନ କରାଯାଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସଦାଶିବ ସ୍ବାଇଁଙ୍କ ଆବେଦନର ଶୁଣାଣି ସମୟ‌େର ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ସାକ୍ଷୀ ସୁରକ୍ଷା ଯୋଜନା ସଂପର୍କରେ ଜୁଲାଇ ୫ରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସମଗ୍ର ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିବା ନେଇ ଗୃହ ବିଭାଗ ସଚିବଙ୍କ ପକ୍ଷରୁ ଶ୍ରୀ ତ୍ରିପାଠୀ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଏହି ଯୋଜନାରେ ସାକ୍ଷୀଙ୍କ ସୁରକ୍ଷା ନିମନ୍ତେ ପାଣ୍ଠି ଗଠନ କରାଯାଇଛି। ସାକ୍ଷୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ କରାଯିବ। ଏହି କମିଟିରେ ଜିଲ୍ଲା ଜଜ୍, ଏସପି ଓ ପବ୍ଲିକ୍ ପ୍ରସିକ୍ୟୁଟର ସଦସ୍ୟ ରହିବେ। ତଦନ୍ତ ସମୟରୁ ମାମଲାର ଶୁଣାଣି ଓ ରାୟ ପ୍ରକାଶ ପରେ ପୀଡିତ ପରିବାର ସହିତ ସାକ୍ଷୀଙ୍କ ଧନଜୀବନକୁ ସୁରକ୍ଷା ‌େଯାଗାଇ ଦେବାକୁ ଏହି ଯୋଜନା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ସାକ୍ଷୀଙ୍କୁ ଯଦି ଧମକ ଅସୁଥାଏ ବା ଧନଜୀବନ ପ୍ରତି ବିପଦର ଆଶଙ୍କା ରହିଥାଏ ତେବେ ଏ ନେଇ ସଂପୃକ୍ତ ବ୍ୟକ୍ତି କମିଟି ନିକଟରେ ଦରଖାସ୍ତ କରିବେ। ଏହା ପରେ କମିଟି ଅଭିଯୋଗର ଯାଞ୍ଚ କରି ସାକ୍ଷୀଙ୍କ ଧନଜୀବନ ସୁରକ୍ଷା ପ୍ରସଂଗରେ ଯୋଜନା ଅନୁସାରେ ପଦକ୍ଷେପ ଗ୍ରହଣ କରିବ। ଏଭଳି ଯୋଜନା ସଂପର୍କରେ ତଦନ୍ତକାରୀ ଅଧିକାରୀ ସାକ୍ଷୀଙ୍କୁ ବିସ୍ତୃତ ଭାବେ ଅବଗତ କରିବେ। ସାକ୍ଷୀଙ୍କ ସଂପର୍କିତ ଦସ୍ତାବିଜ ଓ ଅନ୍ୟ ତଥ୍ୟ ପ୍ରସଂଗରେ ଗୋପନୀୟତାକୁ ଗୁରୁତ୍ବାରୋପ କରାଯିବ। ଅନ୍ୟପକ୍ଷରେ ସାକ୍ଷୀ ଯଦି ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ଜଣା ପଡେ ତେବେ ଏ ବାବଦ ସମସ୍ତ ଖର୍ଚ୍ଚ ସଂପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ ବୋଲି ଶ୍ରୀ ତ୍ରିପାଠୀ ଦର୍ଶାଇଥିଲେ।। ଆବେଦନକାରୀ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପ୍ରସଂଗରେ ଏହି ଯୋଜନା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ରେ ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳରେ ଆବେଦନକାରୀଙ୍କ ସାନ ଭାଇ ପୀତାମ୍ବର ସ୍ବାଇଁଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ କୋଦଳା ଥାନା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି କୋର୍ଟରେ ୨୦୧୭, ଜୁନ ୨୨ରେ ପ୍ରାଥମିକ ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ୧୧ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲେ। ଘଟଣାର କୌଣସି ସ୍ବାଧୀନ ସଂସ୍ଥା ଦ୍ବାରା ତଦନ୍ତ କରିବା ସହ ପୀଡିତ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ଗୃହ ବିଭାଗକୁ ଜବାବ ତଲବ କରିଥିଲେ।

ସମ୍ବନ୍ଧିତ ଖବର