ଗଳାବାଟକୁ ଜଗିବ କିଏ? ପଶ୍ଚିମ ସୀମାରେ କଟକଣା ବଢ଼ିଲା, ୨୨ ଚେକ୍‌ପୋଷ୍ଟ‌ରେ ୬ ପ୍ଲାଟୁନ ପୁଲିସ ଫୋର୍ସ

ବାଲେଶ୍ବର/ବାରିପଦା : ସୀମା ରାସ୍ତା ହେଉ ବା ଗଳାବାଟେ, ଲକ୍‌ଡାଉନ୍ କଟକଣା ଭିତରେ ଓଡ଼ିଶାକୁ ପଶି ଆସିଲେ ପଶ୍ଚିମବଙ୍ଗ ଫେରନ୍ତା। ଯେଉଁଥିପାଇଁ ଯାଜପୁର, ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଘଟିଛି। ଏହା ଜଣାପଡ଼ିବା ପରେ ଗତକାଲି ପୁଲିସ ଡିଜି ଅଭୟ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୀମା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଫଳରେ ପଶ୍ଚିମବଙ୍ଗପଟୁ ଅନୁପ୍ରବେଶ ରୋକିବା ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ଗତକାଲି ଡିଜିପିଙ୍କ ଗସ୍ତ ପରେ ମୟୂରଭଞ୍ଜ ଜିଲ୍ଲା ୨୨ଟି ଚେକ୍‌ପୋଷ୍ଟରେ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୬ ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା ବ୍ଲକ ପଶ୍ଚିମବଙ୍ଗ ସୀମାକୁ ଲାଗିଛି। ପୂର୍ବରୁ ଏହି ସୀମାରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏବେ ଆଉ ୨ ପ୍ଲାଟୁନ ବଢା଼ଇ ଦିଆଯାଇଛି। ଏହି ୩ ବ୍ଲକ ଅଧୀନରେ ଆସୁଥିବା ସବୁ ମୁଖ୍ୟ ରାସ୍ତା ସମେତ ଗ୍ରାମାଞ୍ଚଳ ରାସ୍ତାରେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଛି ବୋଲି ଏସପି ସ୍ଣିଥ ପି ପରମାର ସୂଚନା ଦେଇଛନ୍ତି। ଉଭୟପଟୁ ଗମନାଗମନ ବନ୍ଦ ରହିଛି ବୋଲି ଏସପି କହିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଅଲଗା ବୋଲି ଲୋକେ କହୁଛନ୍ତି। ଏହି ଜିଲ୍ଲାରେ ୩୦ରୁ ଅଧିକ ଗଳାବାଟ ରହିଛି। ରାତି ହେଲେ ଏହି ବାଟ ଦେଇ ଲୋକେ ପଶୁଛନ୍ତି। ମୋରଡ଼ା ବ୍ଲକ ଟୁକପଳାଶିଆ, ଧିରେଇଡିହି, ମାରୁଡିହି ସ୍ଥାନରେ ପଶ୍ଚିମବଙ୍ଗ ପଟୁ ମଧ୍ୟ ଲୋକେ ଜିଲ୍ଲାରେ ପଶୁଛନ୍ତି। ଜିଲ୍ଲାରେ ବିଭିନ୍ନ ସ୍ଥାନ ସମେତ ବାରିପଦାରେ ଚାଲିଥିବା ନିର୍ମାଣ କାମରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଶ୍ରମିକମାନେ କାମ କରୁଥିବାର ଦେଖିବାକୁ ମିଳିବାପରେ ଏହି ସନ୍ଦେହ ସୃଷ୍ଟି ହୋଇଛି। ଲକଡାଉନ ସମୟରେ ଶ୍ରମିକମାନେ ସେମାନଙ୍କ ଘରକୁ ପଳାଇଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏବେ ନିର୍ମାଣ କ୍ଷେତ୍ରରେ କଟକଣା ହଟିବା ପରେ ପୁଣି ଶ୍ରମିକମାନଙ୍କୁ କାମ କରୁଥିବାର ଦେଖିବାକୁ ମିଳିବା ପରେ ସୀମାରେ କଟକଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ସେହିପରି ରାସଗୋବିନ୍ଦପୁର ବ୍ଲକ୍‌ କେସିପୁର, ଶୁଳିଆପଦା ବ୍ଲକ୍‌ର କାଠସିର୍ସି, ଚକଶୁଳିଆପଦା, ଭଦୁଆଶୋଳ ଭଳି ସୀମାନ୍ତବର୍ତ୍ତୀ ସ୍ଥାନଗୁଡ଼ିକରେ ଅତି ସନ୍ତର୍ପଣରେ ପଶ୍ଚିମବଙ୍ଗ ପଟୁ ଲୋକ ଜିଲ୍ଲା ଭିତରକୁ ପଶୁଛନ୍ତି। ଚକଶୁଳିଆପଦାରୁ ବାଘଡ଼ା ମଧ୍ୟରେ ୩୦ରୁ ଅଧିକ ଗଳାବାଟ ରହିଛି। ଏହି ଗ୍ରାମାଞ୍ଚଳ ରାସ୍ତା ଦେଇ ପଶ୍ଚିମବଙ୍ଗକୁ ସହଜରେ ଯାତାୟତ କରିହେଉଛି। ସେହିପରି କାଠସିର୍ସି ଓ ବିଶୁଶୋଳ ନିକଟରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ଏକ ରାସ୍ତା ହିଁ ଦୁଇଭାଗ କରୁଛି। ତେଣୁ ସତର୍କ ଦୃଷ୍ଟି ନରଖିଲେ ଅବାଧ ପ୍ରବେଶ କରିବା ଆଦୌ କଷ୍ଟ ନୁହେଁବୋଲି ମତପ୍ରକାଶ ପାଇଛି। ଗତକାଲି ପୁଲିସ ଡିଜି ଏ ଅଞ୍ଚଳ ପରିଦର୍ଶନ କରିବା ପରେ ଆଜି ବାରିପଦା ଉପଜିଲ୍ଲାପାଳ ମଧ୍ୟ ଆଜି ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିଛନ୍ତି। ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନଏମ ଓ ସ୍ବାସ୍ଥ୍ୟକର୍ମୀ ସର୍ଭେ କରୁଛନ୍ତି। ବାହାରୁ କେହି ଆସିଥିବାର ଜଣାପଡ଼ିଲେ ସେମାନଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି। ସୀମାରେ କଟକଣା ପରେ ମଧ୍ୟ ଗାଁ ଗହଳିରେ ଅନୁପ୍ରେବଶ ରୋକିବା ପାଇଁ ଜନପ୍ରତିନିଧିମାନଙ୍କ ଦାୟିତ୍ବ ବଢ଼ିଯାଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାର ଜଳେଶ୍ବରଠାରେ ଥିବା ଲକ୍ଷ୍ମଣନାଥ ଅନ୍ତଃରାଜ୍ୟ ଗେଟ୍‌ ସହ ପଶ୍ଚିମବଙ୍ଗକୁ ଲାଗି ରହିଥିବା ଜଳେଶ୍ବର ଓ ଭୋଗରାଇ ବ୍ଳକର ପ୍ରାୟ ୮୨ଟି ଗାଁ ରାସ୍ତା ଉପରେ ଏବେ କଡ଼ା ନଜର ରଖାଯାଇଛି। ବାଲେଶ୍ବର ଜିଲ୍ଲାର ବହୁ ଶ୍ରମିକ କୋଲକାତାରେ ଶ୍ରମିକ ଭାବେ କାମ କରୁଥିବାବେଳେ କରୋନା ପାଇଁ ଏବେ ସେଠାରେ ଦୁର୍ଦିନରେ ଦିନ କାଟୁଛନ୍ତି। ଟ୍ରେନ୍‌, ବସ ଓ ଯାତ୍ରୀ ପରିବହନ ସେବା ବନ୍ଦ ଥିବାରୁ ନା ସେମାନେ ଘରକୁ ଆସିପାରୁଛନ୍ତି ନା ପାଖରେ ପଇସା ଅଛି ଚଳିବାକୁ। ଫଳରେ ଗାଁ ରାସ୍ତା ଦେଇ ଶହ ଶହ ଲୋକ ନିଜ ଅଞ୍ଚଳକୁ ଫେରିଛନ୍ତି। ତେବେ ଡିଜିଙ୍କ ନିର୍ଦେଶ ପରେ ସୀମାର ସମସ୍ତ ବାଟ ସିଲ କରାଯାଇ ଯାଞ୍ଚ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର