ବିଜୁ ପଟ୍ଟନାୟକ ବିମାନବନ୍ଦର ସୁରକ୍ଷା ବଢ଼ିଲା : ୧୩୨ ସିସିଟିଭି ନଜର ରଖିଛି, ଡଗ୍‌ ସ୍କ୍ବାଡ୍‌ ବି ସଜାଗ

ଭୁବନେଶ୍ୱର : ଏୟାର ଇଣ୍ଡିଆ ବିମାନ ଅପହରଣ କରାଯିବା ନେଇ ମୁମ୍ବାଇସ୍ଥିତ ଏୟାର ଇଣ୍ଡିଆ‌ କଣ୍ଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ କଲ୍‌ ଆସିବା ପରେ ସାରା ଦେଶରେ ଥିବା ସମସ୍ତ ବିମାନବନ୍ଦରରେ ହାଇଆଲର୍ଟ ଜାରି ହୋଇଛି। ବିମାନବନ୍ଦର ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା ବଢ଼ାଇ ଦିଆଯାଇଛି। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ଯବାନଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ପୂର୍ବ ଅପେକ୍ଷା ଆଜି ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ୨୪ ଘଣ୍ଟା ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିମାନବନ୍ଦର ପରିସରରେ ଥିବା ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବଢ଼ାଯାଇଛି। ଦୁଇଟି ଯାକ ଟର୍ମିନାଲ, ପାର୍କିଂ ସ୍ଥାନ, ରନ୍‌ ୱେ ଆଦି ସ୍ଥାନରେ ସୁରକ୍ଷା ବଢ଼ିଛି। କେଉଁ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ହେବ ସେ ସଂପର୍କରେ ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସୁକ୍ୟୁରିଟି(ବିସିଏଏସ୍‌) ସ୍ବତନ୍ତ୍ର ଭାବେ ନିର୍ଦ୍ଦେଶ ଦେଇଛି। ଏହାସହ ଯାଞ୍ଚ ମଧ୍ୟ କଡ଼ାକଡ଼ି ହୋଇଛି। ଯାତ୍ରୀଙ୍କ ଲଗେଜ୍‌ଠାରୁ ଆରମ୍ଭ କରି ପ୍ରବେଶ ପଥ, ଯାନବାହନ, କାର୍ଗୋ ସହ କ୍ୟାଟରିଂ ଯାଞ୍ଚକୁ ଅଧିକ ଗୁରୁତ୍ବ ଦିଆଯାଇଛି। କାର୍‌ ପାର୍କିଂ ଏରିଆରେ ଯାଞ୍ଚ କଡ଼ାକଡ଼ି ହୋଇଛି। ବିମାନବନ୍ଦର ଚାରିପାଖରେ ଥିବା ୱାଚ୍‌ ଟାୱାରରେ ୨୪ ଘଣ୍ଟା ରହିବାକୁ ସୁରକ୍ଷାକର୍ମୀଙ୍କୁ କୁହାଯାଇଛି। ପେଟ୍ରୋଲିଂ ଗାଡ଼ିଗୁଡ଼ିକ ଅଧିକ ସମୟ ବୁଲିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।

ସିଆଇଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିସିଏଏସ୍‌ର ନିର୍ଦେଶ ଆସିବା ପରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଆଭ୍ୟନ୍ତରୀଣ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଯଦି କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ଉପୁଜିବ ତାଙ୍କୁ ତୁରନ୍ତ ଅଟକ ରଖାଯିବ। ବିମାନବନ୍ଦର ନିକଟରେ ସନ୍ଦେହଜନକ ଅବସ୍ଥାରେ ଚଳପ୍ରଚଳ ହେଉଥିବା ଲୋକଙ୍କ ଉପରେ ନଜର ପାଇଁ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ ରହିଛନ୍ତି। ଟର୍ମିନାଲଗୁଡ଼ିକର ପ୍ରବେଶ ପଥରେ ଯାତ୍ରୀ, କର୍ମଚାରୀ ଓ ଭିଜିଟର୍‌ମାନଙ୍କୁ ସ୍କାନିଂ କରାଯାଉଛି। ଡଗ୍‌ ସ୍କ୍ବାଡ୍‌ ଓ ଏକ୍ସପ୍ଲୋସିଭ୍‌ ଟ୍ରେସ୍‌ ଡିଭାଇସ୍‌ ମେସିନ୍‌କୁ ବିମାନବନ୍ଦରରେ ବିଭିନ୍ନ ସ୍ଥାନରେ ଲଗାଯାଇଛି। ସମ୍ପୂର୍ଣ୍ଣ ବିମାନବନ୍ଦରରେ ୧୩୨ଟି ସିସିଟିଭି କ୍ୟାମେରା ଲଗାଯାଇ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର