ଭୁବନେଶ୍ବର: ଆସନ୍ତାକାଲି ସାରା ରାଜ୍ୟରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହେବ। ଏଥିପାଇଁ ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଭୁବନେଶ୍ବରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁଲିସ ଫୋକସ୍ରେ ଥିବା ୯ଟି ଜିଲ୍ଲାକୁ ନେଇ ବ୍ୟାପକ ଆଲୋଚନା କରାଯାଇଛି।
ତନ୍ମଧ୍ୟରୁ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ପ୍ରତି ବିଶେଷ ଗୁରତ୍ବ ଦିଆଯାଇଛି। ହନୁମାନ ଜୟନ୍ତୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଶୋଭାଯାତ୍ରାରେ ଶୃଙ୍ଖଳା ରକ୍ଷା କରିବା ପାଇଁ ୨୦୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ୧୦ କମ୍ପାନି ସେଣ୍ଟ୍ରାଲ୍ ଆର୍ମଡ୍ ପୁଲିସ ଫୋର୍ସ (ସିଏପିଏଫ୍) ଓ ରାପିଡ୍ ଆକ୍ସନ ଫୋର୍ସ (ଆରଏଫ୍) ଓ ଜିଲ୍ଲା ପୁଲିସ ମୁତୟନ ହେବେ। ସେହିଭଳି ଶୋଭାଯାତ୍ରାସ୍ଥଳରେ ୬୫୦ ସିସିଟିଭି, ଯଥେଷ୍ଟ ଏଆଇ କ୍ୟାମେରା, ୪୦ ଡ୍ରୋନ୍ ଖଞ୍ଜା ଯାଇଛି। ଶୋଭାଯାତ୍ରାରେ ମୁତୟନ ହେବାକୁଥିବା ପୁଲିସ କର୍ମଚାରୀମାନଙ୍କୁ ବଡି କ୍ୟାମେରା ଦିଆଯାଇଛି। ବଡ଼ କଥା ହେଉଛି ପୁଲିସ ଆଜିଠାରୁ ସୋସିଆଲ୍ ମିଡିଆ ଉପରେ କଡ଼ା ନଜର ରଖିଛି। କୌଣସି ଆପତ୍ତିଜନକ ପୋଷ୍ଟ୍ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରସ୍ତୁତ ହୋଇ ରହିଛି।
ଆଜିର ସମୀକ୍ଷା ବୈଠକରେ ଡିଜିପି ୱାଇ ବି ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଆଇଜି(ଗୁଇନ୍ଦା) ଜୟ ନାରାୟଣ ପଙ୍କଜ, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆର୍ ପି କୋଚ୍ଚେ, ସମସ୍ତ ରେଞ୍ଜ୍ ଆଇଜି, ଡିଆଇଜି, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପି ପ୍ରମୁଖ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ହନୁମାନ ଜୟନ୍ତୀ ଉତ୍ସବରେ ଶାନ୍ତି ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର କହିଛନ୍ତି ଯେ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼, ରାଉରକେଲା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଓ ଭୁବନେଶ୍ବରରେ ହନୁମାନ ଜୟନ୍ତୀ ଓ ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳନ ହେବ।
ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ସମ୍ବଲପୁରରେ କ୍ୟାମ୍ପ୍ କରିଛନ୍ତି ଏବଂ ଆଇଜି ଅପରେସନ୍ଙ୍କ କ୍ୟାମ୍ପ୍ ବାଲେଶ୍ବରରେ ରହିଛି। ବିଭିନ୍ନ ସ୍ଥାନରେ ପୁଲିସ ଫ୍ଲାଗ୍ ମାର୍ଚ୍ଚ କରି ଲୋକଙ୍କୁ ସତର୍କ କରାଇଛି। ବିଶେଷକରି ସମ୍ବଲପୁରରେ ୧୨୦ ପୁଲିସ ଗାଡ଼ି ପଇଁତରା ମାରିବ। ସେଠାରେ ଶୋଭାଯାତ୍ରା ପାଇଁ ବଡ଼ବଡ଼ ଏଲ୍ସିଡି ଲଗାଯାଇଛି। ସେହିଭଳି ପୂର୍ବରୁ ଚିହ୍ନଟ ସ୍ପର୍ଶକାତର ସ୍ଥାନଗୁଡ଼ିକ ପୁଲିସର ସ୍ବତନ୍ତ୍ର ନଜରରେ ରହିଛି। ବଡ଼ କଥା ହେଉଛି ସମ୍ବେଦନଶୀଳ ଜାଗାରେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସଜାଗ ଅଛନ୍ତି। ଗଣ୍ଡଗୋଳ ଖବର ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ।