ପ୍ୟାକ୍ସଗୁଡ଼ିକରେ ପର୍ଯ୍ୟାପ୍ତ ବିହନ ଓ ସାର ରଖିବାକୁ ନିର୍ଦେଶ

ଭୁବନେଶ୍ୱର : ଚଳିତ ଖରିଫ ଚାଷ ପାଇଁ ରାଜ୍ୟର ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ବିହନ ଓ ସାର ମହଜୁଦ ରଖିବା ଉପରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ବିହନ ଓ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା ଲାଗି ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ କମିସନର ତଥା ସଚିବ ବୀର ବିକ୍ରମ ଯାଦବ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ଜେନା, ସମବାୟ ବ୍ୟାଙ୍କ ସମିତି ସମୂହର ନିବନ୍ଧକ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସମେତ ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ଯୋଗଦେଇଥିଲେ।

ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ ପାଇଁ କେନ୍ଦ୍ର ସାର ମନ୍ତ୍ରଣାଳୟ ସହିତ ନିୟମିତ ଯୋଗାଯୋଗ ରଖିବା ଦିଗରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଚାଷୀମାନେ ଯେପରି ସହଜରେ ଖରିଫ ଚାଷ ନିମନ୍ତେ ଫସଲ ଋଣ ପାଇପାରିବେ ସେଥିପ୍ରତି ଅଧିକାରୀମାନେ ତତ୍ପରତା ପ୍ରକାଶ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଯୁଗ୍ମଦେୟ ଗୋଷ୍ଠୀମାନଙ୍କୁ ପ୍ରାଥମିକତା ପ୍ରଦାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମବାୟ ବ୍ୟାଙ୍କ ମାଧ୍ୟମରେ ଅଧିକ ସ୍ୱଳ୍ପକାଳୀନ ଋଣ ପ୍ରଦାନ, ରବି ଧାନ ସଂଗ୍ରହ ସହିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର