ଅଖିତୃତୀୟା ସରିଗଲା, ବିହନ ଦର ଧାର୍ଯ୍ୟ ନୋହିଲା: ଚାଷୀଙ୍କ ପାଖରେ ପହଞ୍ଚି ପାରିଲାନି

ରାଜ୍ୟସ୍ତରୀୟ ବୈଠକ ବସି ନ ଥିବାରୁ ଅଟକିଛି ନିଷ୍ପତ୍ତି

କଟକ : ଅକ୍ଷୟ ତୃତୀୟା ସରିଲା କିନ୍ତୁ ଚାଷୀଙ୍କ ପାଖରେ ପହଞ୍ଚି ପାରିନି ବିହନ। ଏହାପଛରେ ବଡ଼କାରଣ ହେଉଛି ସରକାର ଏଯାବତ୍‌ ବିହନ ଦର ନିର୍ଦ୍ଧାରଣ କରିନାହାନ୍ତି। ଯାହାଫଳରେ, ଜିଲ୍ଲାସ୍ତରରେ ବିହନ ଗଚ୍ଛିତ ଥିଲେ ମଧ୍ୟ ତାହା ବିକ୍ରି ହୋଇପାରୁନି। ସବୁଠୁ ଉଦ୍‌ବେଗଜନକ କଥା ହେଉଛି, ଏପର୍ଯ୍ୟନ୍ତ ବିହନ ଦର ନିର୍ଦ୍ଧାରଣ ଓ ବଣ୍ଟନ ସଂପର୍କିତ ରାଜ୍ୟସ୍ତରୀୟ କମିଟିର ବୈଠକ ବସିପାରିନାହିଁ।

ପ୍ର‌ାୟ ସବୁଜିଲ୍ଲାରେ ଏହିଭଳି ସମସ୍ୟା ଦେଖାଦେଇଛି। କଟକ ଜିଲ୍ଲାରେ ଏବେ ୮ ହଜାର କ୍ବିଣ୍ଟାଲ ଧାନ ବିହନ ଗଚ୍ଛିତ ଥିଲେ ବି ତାହା ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଜିଲ୍ଲାର ୧୩୬ଟି ସୋସାଇଟି ଓ ୭୦ଟି ଡିଲର ପଏଣ୍ଟକୁ ବିହନ ବିକ୍ରି ପାଇଁ ଯୋଗାଇ ଦିଆଯିବା କଥା। କିନ୍ତୁ ସେ ସଂପର୍କରେ ଆଜିସୁଦ୍ଧା କୌଣସି ନିଷ୍ପତ୍ତି ହୋଇପାରି ନାହିଁ। କଟକ ଜିଲ୍ଲାରେ ଗତବର୍ଷ ୧୨ ହଜାର କ୍ବିଣ୍ଟାଲ ବିହନ ବିକ୍ରି ହୋଇଥିଲା। ତେଣୁ ଚଳିତ ବର୍ଷ ଜିଲ୍ଲାରେ ୧୫ ହଜାର କ୍ବିଣ୍ଟାଲ ବିହନ ବିକ୍ରି କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବିହନ ନିଗମରେ ତାର ଅଧା ଅର୍ଥାତ୍‌ ୮ ହଜାର କ୍ବିଣ୍ଟାଲ ବିହନ ଗଚ୍ଛିତ ରହିଛି। ଆଗକୁ ଜିଲ୍ଲା ପାଇଁ ବିହନ ଆବଶ୍ୟକତା ଅନୁସାରେ ଆସିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଅକ୍ଷୟ ତୃତୀୟା ସୁଧା ସବୁ ବ୍ଲକ୍‌ରେ ବିହନ ନ ପହଞ୍ଚିବା ଘଟଣାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି।

ଆଗକୁ ଜିଲ୍ଲାର ସ୍ବୀକୃତିପ୍ରାପ୍ତ ଡିଲରଙ୍କ ମାଧ୍ୟମରେ ବିହନ ବିକ୍ରି ଆରମ୍ଭ କରାଯିବ ବୋଲି ମୁଖ୍ୟ ଜିଲ୍ଲା କୃଷି ନିର୍ଦ୍ଦେଶକ ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଯେହେତୁ କେଉଁ ବିହନର ଦର କେତେ ରହିବ, ଚାଷୀଙ୍କୁ କେତେ ଟଙ୍କାରେ ବିକ୍ରି କରାଯିବ ଓ ଡିଲର କେତେ ଟଙ୍କାରେ ନେବେ ସେ ସଂପର୍କରେ ରାଜ୍ୟ କମିଟି ଚୂଡ଼ାନ୍ତ କରି ଦର ନିର୍ଦ୍ଧାରଣ କରିଥା’ନ୍ତି, ତେଣୁ ଜିଲ୍ଲାସ୍ତରରେ ନିଷ୍ପତ୍ତି ଅଟକି ରହିଛି। ରାଜ୍ୟସ୍ତରୀୟ ବୈଠକ ଏଯାଏ ବସି ନଥିବାରୁ ବିହନ ଦର ନିର୍ଦ୍ଧାରଣ ହୋଇପାରୁନି କି ବିହନ ଥିଲେ ବି ଚାଷୀଙ୍କୁ ଦିଆଯାଇ ପାରୁନି। କିନ୍ତୁ ଦିନେ ଦୁଇଦିନ ଭିତରେ ଦର ନିର୍ଦ୍ଧାରଣ ରାଜ୍ୟସ୍ତରରେ ହେବ ଓ ସୋସାଇଟି ପକ୍ଷରୁ ଟଙ୍କା ପଇଠ କରାଯିବା ପରେ ଜିଲ୍ଲାର ୧୩୬ ସୋସାଇଟି ଓ ୭୦ ଡିଲର ପଏଣ୍ଟରେ ବିହନ ଉପଲବ୍ଧ ହେବ ବୋଲି କଟକ କୃଷି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। କେଉଁଠି ବି ବିହନ ପହଞ୍ଚି ପାରି ନଥିବା ବେଳେ ଅଧିକାଂଶ ବ୍ଲକରେ କୃଷି ବିଭାଗରେ ଅଧିକାରୀ ଓ କର୍ମଚାରୀ ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଚାଷୀଙ୍କ ପାଖରେ ସୂଚନା କି ପରାମର୍ଶ ପହଞ୍ଚି ପାରୁ ନାହିଁ। ତଥ୍ୟ ଅନୁଯାୟୀ ଏହି ଜିଲ୍ଲା ଗୁଡି‌କରେ ହାରାହାରି ଭାବେ ୪୦ ପ୍ରତିଶତ ପଦବି ଏବେ ଖାଲି ପଡିଛି।

ବାଲେଶ୍ବର: ଆବଶ୍ୟକ ୯୫ହଜାର କ୍ବିଣ୍ଟାଲ, ମିଳିବ ୧୦

ବାଲେଶ୍ବର : ଆଜିଠାରୁ ଚାଷୀ ଅଖିମୁଠି ଅନୁକୂଳ କରି ଆଗାମୀ ଖରିଫ ଚାଷ ପାଇଁ ଜମି ପ୍ରସ୍ତୁତ କରିବ। ହେଲେ ସରକାରୀସ୍ତରରେ ବିହନ, ସାର ଓ କୀଟନାଶକ ଯୋଗାଣ ନେଇ ଏଯାଏ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଖସଡ଼ା ପ୍ରସ୍ତୁତ ହୋଇନଥିବା ଅଭିଯୋଗ ହୋଇଛି।

ଚଳିତବର୍ଷ ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକରେ ଖରିଫ ଧାନ ଚାଷ ପାଇଁ ୧ଲକ୍ଷ ୯୮ ହଜାର ହେକ୍ଟର ଜମିକୁ ଟାର୍ଗେଟ୍‌ ନିଆଯାଇଛି। ଏଥିପାଇଁ ୯୫ହଜାରରୁ ଏକଲକ୍ଷ କୁଇଣ୍ଟାଲ ବିହନ ଆବଶ୍ୟକ। ହେଲେ ଜିଲ୍ଲା କୃଷି ବିଭାଗ ଓ ଆଞ୍ଚଳିକ ବିହନ ନିଗମ ପକ୍ଷରୁ ମାତ୍ର ୧୦ ହଜାର କୁଇଣ୍ଟାଲ ଧାନ ବିହନ ବିତରଣ ପାଇଁ ପ୍ରସ୍ତୁତ କରାଯାଇଛି। ସମୁଦ୍ରକୁ ଶଙ୍ଖେ ପରି ମାତ୍ର ୧୦ ପ୍ରତିଶତ ବିହନ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହା କେବେ ଠାରୁ ଏବଂ କେମିତି ଚାଷୀଙ୍କୁ ବିତରଣ କରାଯିବ ସେନେଇ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ବିହନ, ସାର ଓ କୀଟନାଶକ କଥା ମଧ୍ୟ ନକହିବା ଭଲ। ‌ସେ ବାବଦରେ କୃଷି ବିଭାଗ ପାଖରେ ସୂଚନା ନଥିବା ଜଣାଯାଇଛି। ଏଭଳି ସ୍ଥିତିରେ ଆଜି ପରମ୍ପରାକୁ ବଜାୟ ରଖିବା ପାଇଁ କାମଚଳା ଭାବେ ଅଖିମୁଠି ଅନୁକୂଳ କରାଯାଇଥିବା ବେଳେ ଆଗାମୀ ଦିନରେ ବିନା ପ୍ରସ୍ତୁତିରେ କ୍ଷେତକୁ କିପରି ଓହ୍ଲାଇବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି।

ଜିଲ୍ଲା କୃଷି ଅଧିକାରୀ ମୃତ୍ୟୁଞ୍ଜୟ କିଶୋର ରାଉତଙ୍କୁ ପଚାରିବାରୁ ସରକାରଙ୍କ ତରଫରୁ ବିହନର ମୂଲ୍ୟ ଏଯାଏ ନିର୍ଦ୍ଧାରଣ କରାଯାଇ ପାରିନାହିଁ। ଯେଉଁଥିପାଇଁ ବିକ୍ରୟ କେନ୍ଦ୍ରକୁ ସେଗୁଡ଼ିକୁ ପଠା‌ଯାଇ ପାରୁନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର