ଚାଷୀଙ୍କ କାମରେ ଆସିବ ତ ୨୫ ହଜାର କ୍ବିଣ୍ଟାଲ ବିହନ?

୬୦ ଦିନିଆ ବିହନର ଅଭାବ! କୃଷି ବିଭାଗର ପ୍ରସ୍ତୁତି ନେଇ ସନ୍ଦେହ

ଭୁବନେଶ୍ବର : ରାଜ୍ୟ ବିହନ ନିଗମରେ ମହଜୁଦ ରହିଛି ୨୫ ହଜାର କ୍ବିଣ୍ଟାଲ ଧାନ ବିହନ। ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ପାଇଁ ଏହା କେତେ କାମରେ ଆସିବ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାଣି ଘେରରେ ରହିଛି ଏକର-ଏକର ଚାଷ ଜମି। କିଛି ଦିନ ପୂର୍ବରୁ ଏସଆରସିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରାଥମିକ ଆକଳନ ଅନୁସାରେ, ୭ ଜିଲ୍ଲାର ୩୪୭୦୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କୃଷି ବିଭାଗର ଏକ ପ୍ରାଥମିକ ଆକଳନରେ ୭୮ ହଜାର ହେକ୍ଟର ଫସଲ ବୁଡ଼ି ରହିଛି। ଏଥିମଧ୍ୟରୁ କୌଣସି ଆକଳନ ମଧ୍ୟ କ୍ଷତିଗ୍ରସ୍ତ ଫସଲର ସ୍ପଷ୍ଟ ଚିତ୍ର ନୁହେଁ। ପାଣି ଅପସାରଣ ପରେ କେତେ ଫସଲ କ୍ଷତିଗ୍ରସ୍ତ ହୋଇଛି ତାହା ଜଣାପଡ଼ିବ। ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

କୃଷି ବୈଜ୍ଞାନିକଙ୍କ ଅନୁସାରେ, ପ୍ରାୟ ୩୫ ପ୍ରତିଶତ ଧାନ ଉତ୍ପାଦନ ହ୍ରାସ ପାଇବା ନେଇ ଆଶଙ୍କା ରହିଛି। ବର୍ତ୍ତମାନ ସ୍ଥିତିରେ ଧାନ କ୍ଷତିରୁ ରକ୍ଷା ପାଇଁ ମନ୍ତ୍ରୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଅଳ ଧାନ ବିହନ ଏବଂ ମୁଗ, ବିରି ଭଳି ଅଣଧାନ ବିହନ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଅପରପକ୍ଷରେ ମହଜୁଦ ହୋଇ ରହିଥିବା ୨୫ ହଜାର କ୍ବିଣ୍ଟାଲ ଧାନ ବିହନ ମଧ୍ୟରେ ୬୦ ଦିନିଆ ଅତିସଅଳ କିସମ ଧାନ ବିହନ ନଥିବା କୁହାଯାଉଛି। ଯାହା ମଧ୍ୟ ରହିଛି ମଧ୍ୟମ ଏବଂ ଦୀର୍ଘ ଅବଧିର ବିହନ। ଏପରିକି ବର୍ତ୍ତମାନ ସୁଦ୍ଧା କୃଷି ବିଭାଗ ପକ୍ଷରୁ ବିହନ ନିଗମକୁ ସ୍ବଳ୍ପ କିସମ ଧାନ ବିହନ ବ୍ୟବସ୍ଥା କରିବା ନେଇ କୌଣସି ପ୍ରକାର ପରାମର୍ଶ ଦିଆଯାଇ ନାହିଁ।

ସୂଚନା ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୬୦ ଦିନିଆ ବା ଅତି ଶୀଘ୍ର କିସମ ଧାନ ବିହନ ଉପଯୋଗୀ ହୋଇଥାଏ। ବର୍ତ୍ତମାନ ଯେଉଁ ଭଳି ଅବସ୍ଥା ରହିଛି କ୍ଷତିଗ୍ରସ୍ତ ଚାଷୀ ୬୦ କିମ୍ବା ୯୦ ଦିନିଆ ବିହନ ଉପଯୋଗ କଲେହିଁ ନଭେମ୍ବର ସୁଦ୍ଧା ସେମାନଙ୍କୁ ଧାନ ଉତ୍ପାଦନ ମିଳିବ। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସବୁ ବର୍ଷର ସମସ୍ୟା। କିନ୍ତୁ କୃଷି ବିଭାଗ ପକ୍ଷରୁ ୬୦ ଦିନିଆ ଧାନ ବିହନ ଉତ୍ପାଦନକୁ ଗୁରୁତ୍ବ ଦିଆଯାଏ ନାହିଁ। ଅନ୍ୟଦିଗରେ ଜୈବିକ ବିହନ ବ୍ୟାଙ୍କରେ ୬୦ ଦିନିଆ ବିହନ ମହଜୁଦ ରହିଥିଲେ ମଧ୍ୟ ଏହାର ଉପଯୋଗ ଦିଗରେ କୃଷି ବିଭାଗ ଗୁରୁତ୍ବ ଦେଉନଥିବା ନେଇ ବିଶେଷଜ୍ଞମାନେ ମତ ଦିଅନ୍ତି। ଅନ୍ୟଦିଗରେ ବିହନ ନିଗମ ପାଖରେ ମହଜୁଦ ଧାନ ବିହନ ମଧ୍ୟ ସମସ୍ତ କ୍ଷତିଗ୍ରସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ବାହାର ରାଜ୍ୟରୁ ମଧ୍ୟ ବିହନ କ୍ରୟ କରି ଯୋଗାଣ କରିବା ସହଜ ନୁହେଁ। ବିହନ ନିଗମ ପରିଚାଳନା ନିର୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର କହିଛନ୍ତି, ବିହନ ଯୋଗାଣ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦେଶ ଆସିନାହିଁ। ଉଭୟ ଧାନ ଏବଂ ଅଣଧାନ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା କୁହାଯିବ ନିଗମ ସେହି ଅନୁଯାୟୀ ପ୍ରସ୍ତୁତ ରହିଛି।

ସମ୍ବନ୍ଧିତ ଖବର