ବାଲେଶ୍ବର/ଜଳେଶ୍ବର: ପଶ୍ଚିମବଙ୍ଗରୁ ଫୁଲ ଆସିଲେ ଦେବାଦେବୀ ପୂଜା ସହ ତୋରଣ ସଜ୍ଜା, ବିଭିନ୍ନ ଉତ୍ସବରେ ସାଜସଜ୍ଜା ହୁଏ। ବିଶେଷକରି ଗେଣ୍ଡୁ ଫୁଲ ପାଇଁ ପଶ୍ଚିମବଙ୍ଗ ଉପରେ ବାଲେଶ୍ବରକୁ ନିର୍ଭର କରିବାକୁ ପଡ଼ୁଥିଲା। ଏବେ ଏହି ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମହିଳା। ଫୁଲ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ବଜାର ଚାହିଦାକୁ ମେଣ୍ଟାଉଛନ୍ତି। ଜଳେଶ୍ବର ବ୍ଲକ୍ ‘ଶ୍ରୀକ୍ଷେତ୍ର’ ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ୨ ଏକର ଜମିରେ ଗେଣ୍ଡୁ ଚାଷ କରିଛନ୍ତି। ଜମିରେ ବିଭିନ୍ନ ରଙ୍ଗର ଗେଣ୍ଡୁ ଫୁଲ ଦେଖି ବାଟୋଇମାନେ ଘଡ଼ିଏ ଅଟକି ଯାଉଛନ୍ତି। ଏହି ଚାଷକୁ ଦେଖି ଜିଲ୍ଲାପାଳ ବି ପ୍ରଶଂସା ନକରି ରହିପାରିନାହାନ୍ତି। ମହିଳାମାନଙ୍କ ଏହି ଉଦ୍ୟମକୁ ଦେଖି ଅନ୍ୟମାନେ ବି ଚାଷ କରିବାକୁ ଉତ୍ସାହିତ ହେଉଛନ୍ତି।
ଗୋବରଘଟା ପଞ୍ଚାୟତ ଗୋବରଘଟା ବଇରାଟଆଡ଼ି ଅଞ୍ଚଳରେ ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଓ ମହାସଂଘରୁ ୨ ଲକ୍ଷ ଟଙ୍କା ଋଣ ଆଣି ବିଭିନ୍ନ ପ୍ରକାର ଚାଷ ଆରମ୍ଭ କରିଥିଲେ। ବାଦାମ୍, ଧାନ, ମକା, ପରିବା ଚାଷ କରିଥିଲେ। ୨ ଏକର ଜାଗାରେ ମକା ଚାଷ କରିଥିବା ବେଳେ କ୍ଷତି ସହିବାକୁ ପଡ଼ିଥିଲା। ବଜାର ସୁବିଧା ନଥିବାରୁ ମହିଳାମାନେ ମକାକୁ ବିକ୍ରି କରିପାରିଲେ ନାହିଁ। ଶାଗମାଛ ଦରରେ ଶେଷରେ ବେପାରୀଙ୍କୁ ନିଜ ଝାଳବୁହା ପରିଶ୍ରମକୁ ଟେକିଦେଲେ। ବଜାର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଗେଣ୍ଡୁ ଚାଷ ଆରମ୍ଭ କରିଛନ୍ତି। ୫୦ ହଜାର ଟଙ୍କାରେ ପଶ୍ଚିମବଙ୍ଗରୁ ଚାରା ଆଣି ମହିଳାମାନେ ଲିଜ୍ ନେଇଥିବା ୨ ଏକର ଜମିରେ ଗେଣ୍ଡୁ ଚାଷ କରିଛନ୍ତି। ସ୍ବୟଂସହାୟିକା ଗୋଷ୍ଠୀ ୧୧ ଜଣ ମହିଳା ଘର କାମ ସାରି ପ୍ରତିଦିନ କ୍ଷେତକୁ ଯାଇ ଗଛଗୁଡ଼ିକର ଯତ୍ନ ନେଉଛନ୍ତି। ପାଣି ଦେବାଠୁ ଆରମ୍ଭ କରି ଫୁଲ ତୋଳିବା ପର୍ଯ୍ୟନ୍ତ; ସମସ୍ତ କାମ ପାଇଁ ମହିଳାମାନେ ସକାଳ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏ ସମୟ ଦେଉଛନ୍ତି। ସପ୍ତାହକୁ ୩/୪ କୁଇଣ୍ଟାଲ୍ ଫୁଲ ବାହାରୁଛି। ଫୁଲ ନେବା ପାଇଁ କ୍ଷେତ ପାଖରେ ଲୋକଙ୍କ ଗହଳି ଲାଗୁଛି। ଜଳେଶ୍ବର ବଜାର ସହିତ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କଲିକତାର ବିଭିନ୍ନ ଅଞ୍ଚଳକୁ ଯାଉଛି। ଯାହା ଜଣାପଡ଼ିଛି, ଜିଲ୍ଲାର ସବୁଠୁ ଅଧିକ ଫୁଲ ଚାଷ ଏହି ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ କରୁଛନ୍ତି।
ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ କହିଛନ୍ତି, ଫୁଲ କ୍ଷେତକୁ ଆସିଲେ ସବୁ ଦୁଃଖ ଲାଘବ ହୋଇଯାଏ। ଘର କଥା ଆମେ ଭୁଲିଯାଉ। ଯେତେ କଷ୍ଟ ଥିଲେ ବି ଏଠାରେ କିଛି ସମୟ ରହିଲେ ଆତ୍ମସନ୍ତୋଷ ମିଳେ। ଏ ଫୁଲ କ୍ଷେତ ଆମକୁ ଖାଲି ରୋଜଗାର ଦେଇନାହିଁ, ଆମ ଦୁଃଖକୁ ଭୁଲାଇ ଦେଉଛି। ଅଞ୍ଚଳର ବହୁ ଲୋକ ଆସି ଏଠାରେ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ବଜାର ସୁବିଧା ନଥିବାରୁ ମହିଳାମାନେ ଫୁଲ କେଜିକୁ ୪୦ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଯାହାକୁ ବେପାରୀମାନେ ବଜାରରେ ଦୁଇଗୁଣା ଦରରେ ବିକ୍ରି କରି ଲାଭବାନ୍ ହେଉଛନ୍ତି। ସେହିପରି ଫୁଲକୁ ସଂରକ୍ଷଣ କରିବା ପାଇଁ ଆବଶ୍ୟକ ଶୀତଳଭଣ୍ଡାର ନାହିଁ। ଫଳରେ ଫୁଲକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିହେଉନାହିଁ। ଯଦି ଏହି ସୁବିଧା ସ୍ଥାନୀୟ ଅଞ୍ଚଳରେ ରୁହନ୍ତା, ତେବେ ମହିଳାମାନେ ବର୍ଷସାରା ଏଥିରୁ ଭଲ ରୋଜଗାର କରିପାରନ୍ତେ। ଏସବୁ ଅସୁବିଧା ପାଇଁ ଫୁଲକୁ କମ୍ ଦରରେ ବିକ୍ରି କରିବାକୁ ପଡ଼ୁଛି ବୋଲି ସ୍ବୟଂସହାୟିକା ଗୋଷ୍ଠୀର ସଭାପତି ରିଙ୍କୁରାଣୀ ଜେନା, ସଂପାଦିକ ସସ୍ମିତା ଜେନା, ସଦସ୍ୟ ନମିତା ଜେନା, ଜ୍ୟୋତ୍ସ୍ନାରାଣୀ ଜେନା, ବାସନ୍ତୀ ମିର୍ଦ୍ଧା, ପୁଷ୍ପା ମିର୍ଦ୍ଧା, ଅପରାଜିତା ଜେନା, ଅଂଜନା ଜେନା, ପ୍ରମିଳା ଜେନା, ପ୍ରଜ୍ଞାରାଣୀ ଜେନା, ରାକ୍ଷୀ ମାହାଲ କହିଛନ୍ତି।