ଭୁବନେଶ୍ବର/କଟକ: ଭୁବନେଶ୍ବର ସାଲିଆସାହିରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ପ୍ରସଙ୍ଗ ନେଇ ଦାୟର ମାମଲାରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସକିଲା ହାଁସଦା ଓ ତିନିଜଣଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମେ’ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନୁସୂଚିତ ଜନଜାତି ବର୍ଗର ଆବେଦନକାରୀ ୫୦ ବର୍ଷରୁ ଅଧିକ ସମୟ ହେବ ସାଲିଆସାହିରେ ରହୁଛନ୍ତି। ତାଙ୍କର ଭୋଟର୍ ପରିଚୟପତ୍ର, ଆଧାର୍ କାର୍ଡ, ରାସନ୍ କାର୍ଡ, ବିଦ୍ୟୁତ୍ ବିଲ ଆଦି ରହିଛି।
ସ୍କୁଲ୍, ଯୁବକ ସଂଘ, ଆଦିବାସୀ ଗ୍ରାମ୍ୟ ଉନ୍ନୟନ କମିଟି ଆଦି ମଧ୍ୟ ଏଠାରେ ପଞ୍ଜିକୃତ ହୋଇଛି। ଜଙ୍ଗଲ ଅଧିକାର ଆଇନ ଅନୁସାରେ ପୂର୍ବରୁ ଦଖଲରେ ଥିବା ଜମି ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ନାଁରେ ରେକର୍ଡଭୁକ୍ତ କରାଯିବା କଥା। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଧ୍ୟ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହେବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ରହିଛି। ଏଭଳି ସ୍ଥିତିରେ ଆବେଦନକାରୀଙ୍କ ନାଁରେ ସେମାନେ ଘର କରି ରହୁଥିବା ଜମି ରେକର୍ଡଭୁକ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ପ୍ରସଂଗରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଏମ୍ସି କମିସନର୍ଙ୍କୁ ଲିଖିତ ଅବଗତ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।