୬ ବର୍ଷ ପରେ ଘରକୁ ଫେରିଲା ଅପରେସନ୍ ମୁସ୍କାନ୍‌ରୁ ଉଦ୍ଧାର ‘ସୀମା’ 

ଖୋର୍ଦ୍ଧା: ଶିଶୁ ଶ୍ରମିକ ନିୟୋଜନ ବିରୋଧୀ ଅପରେସନ୍ ମୁସ୍କାନ୍‌ ଭୁବନେଶ୍ୱରରୁ ଉଦ୍ଧାର ହୋଇଥିଲେ ସୀମା (ଛଦ୍ମନାମ) । ସେତେବେଳକୁ ତାଙ୍କୁ ୧୧ ବର୍ଷ । ଏପରିକି ସେ ନିଜର ଘର ପରିବାର ଠିକଣା କହିବାରେ ମଧ୍ୟ ଅକ୍ଷମ ଥିଲେ । କିଏ ଜାଣିଥିଲା, ୬ ବର୍ଷ ପରେ ସେ ଜଣେ ଶିକ୍ଷିତ ଓ ସ୍ୱାବଲମ୍ବୀ ହେବାର ସକ୍ଷମ ସହ ନିଜ ପରିବାରକୁ ଫେରିପାଇବେ । କିନ୍ତୁ ସୀମାଙ୍କ ଆଶା ପୂରଣ ହୋଇଛି, ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସହାୟତାରେ । ସୀମା ସୁଦୂର କେନ୍ଦୁଝର ବାଂଶପାଳର ତଳକଇଁସାରୀ ଗ୍ରାମକୁ ଯାଇ ନିଜର ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।

୨୦୧୬ରେ ଅପରେସନ୍ ମୁସ୍କାନ୍ ଯୋଜନାରେ ପୁଲିସ ଭୁବନେଶ୍ୱର ଏୟାର୍ ଫିଲ୍ଡ ଥାନା ଅଧୀନ ପୋଖରୀପୁଟର ଜଣେ ପଦସ୍ଥ ସରକାରୀ ଅଧିକାରୀଙ୍କ ଘରୁ ସୀମାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ସୀମାଙ୍କୁ ସୁଭଦ୍ରା ମହତାବ ସେବା ସଦନରେ ରଖାଯାଇଥିଲା । କାଉନ୍ସିଲିଂରେ ସେ ନିଜର ଘର ଘାଗରା ଓ କରଂଜିଆ ବୋଲି କହିଥିଲେ । ତେବେ ଉଭୟ କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ଶିଶୁ ମଙ୍ଗଳ ସମିତିକୁ ଠିକଣା ଚିହ୍ନଟ କରିବାକୁ ସହଯୋଗ ଲୋଡ଼ାଯାଇଥିଲେ ମଧ୍ୟ ବିଫଳ ହୋଇଥିଲା । ଏଣୁ ସେବା ସଦନରେ ରଖାଯାଇ ତାଙ୍କର ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଥିଲା । ଏହା ମଧ୍ୟରେ ୬ ବର୍ଷ ଅତିକ୍ରମ ହୋଇଯାଇଛି । ସୀମା ପାଠଶାଠ ପଢ଼ି ଏକ ସରକାରୀ ଆଇଆଇଟିରେ ସ୍ମାର୍ଟ ହେଲ୍‌ଥ କେୟାର୍ ପ୍ରଶିକ୍ଷଣ ନେଉଛନ୍ତି । ନିଜର ଘର ପରିବାର କଥା ମନେ ପଡ଼ିବାରୁ ସେ ସେବାସଦନର ହୋମ୍ ମ୍ୟାନେଜମେଣ୍ଟ ବୈଠକରେ ନିଜ ପରିବାର ସଦସ୍ୟଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ ।

ଅନୁରୋଧ ପରେ ଅତିରିକ୍ତ ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶକ୍ରମେ ପୁଣି ଖୋର୍ଦ୍ଧା ଶିଶୁ ସୁରକ୍ଷା କମିଟି ପକ୍ଷରୁ ଠିକଣା ଚିହ୍ନଟ ଅଭିଯାନ ଆରମ୍ଭ ହୋଇଥଇଲା । କମିଟିର ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ସମାଜକର୍ମୀ ରଂଜନ କୁମାର ଗୋଚ୍ଛାୟତ ମହତାବ ସେବା ସଦନର ଅଧ୍ୟକ୍ଷା ସୀମାରାଣୀ ସାହୁ, ରୁଚିକା ସଂଗଠନର ପ୍ରିୟଦର୍ଶିନୀ ରାଉତରାୟ ଓ ଅନ୍ୟ ସଦସ୍ୟମାନେ କେନ୍ଦୁଝରର ସାନ ଘାଗରା, ବଡ଼ ଘାଗରା ନିକଟସ୍ଥ ବିଭିନ୍ନ ଗାଁ ଯାଇ ଅନୁସନ୍ଧାନ କରିଥିଲେ । ଶେଷରେ ବାଂଶପାଳ ପଂଚାୟତସମିତି ଅଧୀନ ତଳ କଇଁସାରୀ ଗାଁରେ ସୀମାଙ୍କ ପରିବାର ସଦସ୍ୟ, ଅଜା ଓ ଆଇଙ୍କୁ ଭେଟିଥିଲେ । ଏହାପରେ ସୀମାଙ୍କୁ ନେଇ ଗାଁକୁ ଯାଇଥିଲେ । ସେଠାରେ ସୀମା ନିଜର ଗାଁ ଲୋକ, ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।

ସମ୍ବନ୍ଧିତ ଖବର