ଭଞ୍ଜନଗର: ବୟସ ୬୫। ତଥାପି ଆଜି ବି ଖବରକାଗଜ ବିକ୍ରିକୁ ପ୍ରମୁଖ ପେସା ଭାବେ ଗ୍ରହଣ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ସୀମାଞ୍ଚଳ ପାଳ। ଯାହାକି ତାଙ୍କୁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ସହ ସେ ନିଜେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଅନେକ ଝଡ଼ଝଞ୍ଜା ସତ୍ତ୍ବେ ସୀମାଞ୍ଚଳ ଦୀର୍ଘବର୍ଷ ଧରି ଭୋର୍‌ରୁ ଲୋକଙ୍କ ନିକଟରେ ତାଜା ଖବର ପହଞ୍ଚାଇବା ଦାୟିତ୍ବକୁ ସୁଚାରୁ ରୂପେ ସଂପାଦିତ କରିଆସୁଛନ୍ତି। କେବେବି ପଛକୁ ଫେରିନାହାନ୍ତି।
Advertisment
ଭଞ୍ଜନଗର ବ୍ଲକ୍ ଲାଲସିଂ ପଞ୍ଚାୟତ ଲଣ୍ଡେଇ ସାହିରେ ରହୁଥିବା ସୀମାଞ୍ଚଳ ପାଳ ଦୀର୍ଘ ୨୫ ବର୍ଷ ହେଲା ଖବରକାଗଜ ବିକ୍ରିକୁ ରୋଜଗାରର ପ୍ରମୁଖ ମାଧ୍ୟମ କରିଛନ୍ତି। ଆଉ ଏଥିରୁ ପରିବାରର ୫ ପ୍ରାଣୀଙ୍କ ପ୍ରତିପୋଷଣ ହେଉଛି। କେବଳ ଏତିକି ନୁହେଁ, ସୀମାଞ୍ଚଳ ସକାଳୁ ଖବରକାଗଜ ବିକ୍ରି ପରେ ପୁଅକୁ ଦୋକାନ କାର୍ଯ୍ୟରେ ସହଯୋଗ କରୁଛନ୍ତି।  ଏବେବି ବସ୍‌ଷ୍ଟାଣ୍ଡରେ ପ୍ରତିଦିନ ସକାଳୁ ଯେତେବେଳେ ଖବରକାଗଜ ହକର୍ ମାନଙ୍କ ଭିଡ଼ ଲାଗେ, ସେତେବେଳେ ସୀମାଞ୍ଚଳ ସେମାନଙ୍କ ମଧ୍ୟରେ ବାରି ହୋଇପଡ଼ନ୍ତି। ସମସ୍ତଙ୍କ ସହ ଥଟ୍ଟାମଜା ହେବା ପରେ ଖରା, ବର୍ଷା ଓ ଶୀତ କାହାକୁ ବି ଖାତିର୍ ନକରି ସାଇକେଲ୍‌ରେ ବୁଲି ଖବରକାଗଜ ବାଣ୍ଟିଥାନ୍ତି। ଆଉ ତାଙ୍କୁ ଏହି ବୟସରେ ବି ଏତେ ପରିଶ୍ରମ କାହିଁକି ବୋଲି ପଚାରିଥିଲେ ତାଙ୍କଠୁ ଉତ୍ତର ମିଳେ, ମରିନାହିଁ ସୀମାପାଳ ସରିନାହିଁ କାର୍ଯ୍ୟକାଳ’। ଯେଉଁଥିରୁ ସୀମାଞ୍ଚଳଙ୍କ ଭିତ‌ରେ ଆତ୍ମବିଶ୍ବାସର ଝଲକ ଦେଖିବାକୁ ମିଳେ।
ସୀମାଞ୍ଚଳ ପ୍ରତିଦିନ ସକାଳୁ ‘ସମ୍ବାଦ’ ସମେତ ଅନ୍ୟାନ୍ୟ ଖବରକାଗଜ ଧରି ସହରର ବିଭିନ୍ନ ସ୍ଥାନ ବୁଲିବା ସହ ଲାଲସିଂ ପଞ୍ଚାୟତରେ ବି ବିକ୍ରି କରିଥାନ୍ତି। ଏହି ସମୟରେ ଲୋକଙ୍କ ସହ ଭାବବିନିମୟ ତାଙ୍କୁ ଆତ୍ମସନ୍ତୋଷ ଦିଏ ବୋଲି ସୀମାଞ୍ଚଳ କହିଛନ୍ତି। ତେବ‌େ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ବର୍ତ୍ତମାନସୁଦ୍ଧା ମିଳିପାରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।