ଟ୍ରେନ୍‌ରୁ ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ରାଉରକେଲା: ସହରକୁ ଚୋରା ଗଞ୍ଜେଇ ଚାଲାଣ ବନ୍ଦ ହେଉନି। କେତେବେଳେ ବସ୍‌ ତ ଅନ୍ୟ କେବେଳେ ଟ୍ରେନ୍‌ରେ ଲକ୍ଷ ଲକ୍ଷ ଟଙ୍କା ଗଞ୍ଜେଇ ଆସୁଛି। ରାଉରକେଲାରେ ପହଞ୍ଚିବା ପରେ ରାଉରକେଲା ସହର ସମେତ ପଡୋଶୀ ଝାଡ଼ଖଣ୍ଡ ଓ ବିହାରକୁ ଚାଲାଣ ହେଉଛି।

ରବିବାର ରାଉରକେଲା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୨୪ କେଜି ଗଞ୍ଜେଇ ଜବତ ହୋଇଛି। ଆର୍‌ପିଏଫ୍‌ ଯବାନ କୋଚ୍‌ରୁ ଗଞ୍ଜେଇ ଜବତ କରିବା ସହ ଦୁଇ ବେପାରୀକୁ ଗିରଫ ରେଳବାଇ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଗିରଫ ଦୁଇ ବେପାରୀ ହେଲେ ଉଦୟ କୁମାର ଖୁସ୍‌ୱା (୨୫) ଓ ରାଜ କୁମାର ମହାତୋ (୪୯)। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି। କୋରାପୁଟ ଇଣ୍ଟରସିଟିରେ କୋରାପୁଟରୁ ଦୁଇ ‌ବେପାରୀ ଗଞ୍ଜେଇ ନେଇ ରାଉରକେଲା ଆସୁଥିବା ଆରପିଏଫ୍‌କୁ ସୂଚନା ମିଳିଥିଲା। ପୂର୍ବାହ୍ନ ରାଉରକେଲା‌ ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ମାତ୍ରେ ଆର୍‌ପିଏଫ୍‌ ଏକ ଟିମ୍‌ ବଗିଗୁଡ଼ିକୁ ଯାଞ୍ଚ କରି ଚୋରା ଗଞ୍ଜେଇକୁ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର