କଟକ-ଜଗତପୁର : ଗତ ଦୁଇମାସ ଭିତରେ କମିସନରେଟ୍‌ ପୁଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଘିଅ, ସ୍କ୍ବାସ୍‌, ସସ୍‌ ଓ ଆଚାର ପ୍ରଭୃତି ଜବତ କରିଥିଲା। ସୁବାସ କମ୍ପାନିରୁ ଜବତ କରାଯାଇଥିବା ସାମଗ୍ରୀ ସବୁକୁ ରବିବାର ସିଏମ୍‌ସି ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ ନଷ୍ଟ କରିଦେଇଛି। ଘିଅକୁ ମାଟିତଳେ ପୋତାଯାଇଥିବାବେଳେ ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲ ଉପରେ ରୋଲର୍‌ ମଡ଼ାଇ ନଷ୍ଟ କରି ଦିଆଯାଇଛି। ଅଦାଲତଙ୍କ ଅନୁମତି ପରେ ସେ ସବୁକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି।

Advertisment

ରବିବାର ମଧ୍ୟାହ୍ନରେ ଜଗତପୁର ନୂତନ ଶିଳ୍ପାଞ୍ଚଳସ୍ଥିତ ସୁବାସ ଘିଅ କାରଖାନା ପରିସରରେ କମିସନରେଟ୍‌ ପୁଲିସର କଟକ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଆଇଆଇସି ରବୀନ୍ଦ୍ରନାଥ ମେହେର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ଓ ଖାଦ୍ୟ ସୁରକ୍ଷା ନିରୀକ୍ଷକ ଭଗବାନ ଲେଙ୍କା ପ୍ରମୁଖ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ଜବତ କରାଯାଇଥିବା ବିପୁଳ ପରିମାଣର ଘିଅକୁ ମାଟିତଳେ ପୋତିଦିଆଯିବା ସହ ରୋଲର ଓ ଜେସିବି ଦ୍ୱାରା ଅପମିଶ୍ରିତ ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଗତ ନଭେମ୍ବର ୩୦ ତାରିଖରେ କମିସନରେଟ ପୁଲିସ ପକ୍ଷରୁ ଏଠାରେ ଚଢ଼ାଉ କରାଯାଇ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଘିଅ, ରିଫାଇନ୍‌ ତେଲ, ଆଚାର, ସ୍କ୍ବାସ୍‌ ଓ ସସ୍‌ ସହିତ ଯନ୍ତ୍ରାଂଶଗୁଡ଼ିକୁ ଜବତ କରାଯାଇ କାରଖାନାକୁ ସିଲ କରାଯାଇଥିଲା। ଜବତ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଲବୋରେଟୋରିକୁ ପଠାଯାଇଥିଲା। ପରୀକ୍ଷାରେ ସେଗୁଡ଼ିକ ଅପମିଶ୍ରିତ ବୋଲି ପ୍ରମାଣିତ ହେବାପରେ ସେ ସବୁକୁ ନଷ୍ଟ କରିବା ପାଇଁ କମିସନରେଟ ପୁଲିସ ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତଙ୍କ ଅନୁମତି ମିଳିବା ପରେ ଆଜି ସେସବୁକୁ ନଷ୍ଟ କରାଯାଇ ମାଟିରେ ମିଶାଇ ଦିଆଯାଇଥିବା ସୂଚନା ମିଳିଛି।