ବିଶୋଇ/ଯଶିପୁର/ପଦ୍ମପୁର : ଶିମିଳିପାଳ ଉତ୍ତର ଡିଭିଜନ୍ ତାଳବନ୍ଧ ରେଞ୍ଜରେ ଦନ୍ତାହାତୀକୁ ଗୁଳି କରି ହତ୍ୟା ଓ ଦାନ୍ତ କାଟିନେବା ଘଟଣାର ପର୍ଦ୍ଦାଫାସ୍ କରିଛି ବନ ବିଭାଗ। ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ତଲକବାଦୀ ଗ୍ରାମର କୁନା ନାଏକ (୨୧), କୁନା ସିଂ ନାଏକ (୪୨), ରୁଗୁଳିଡ଼ିହି ଗ୍ରାମର ରାମରାୟ ଟୁଡୁ (୪୦) ଓ ଗୋବିନ୍ଦ ହେମ୍ବ୍ରମ୍(୫୦)। ସେମାନଙ୍କ ପାଖରୁ ୨୮.୩ କେଜି ଓଜନର ଦୁଇଟି ଦାନ୍ତ ଜବତ କରାଯାଇଛି, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସୂଚନାଯୋଗ୍ୟ; ଚଳିତ ମାସ ୧୦ରୁ ୧୨ ତାରିଖ ମଧ୍ୟରେ ତାଳବନ୍ଧ ରେଞ୍ଜ ତଲକବାଦି ଗ୍ରାମ୍ୟ ଜଙ୍ଗଲ ନିକଟରେ ଶିକାରୀମାନେ ଏକ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିବା ପରେ ୨ଟି ଯାକ ଦାନ୍ତ କାଟି ନେଇଥିଲେ। ଜାନୁଆରି ୨୧ ତାରିଖ ଅପରାହ୍ନରେ ହାତୀର ଗଳିତ ଶବ ଠାବ କରିଥିଲେ ସ୍ଥାନୀୟ ଗ୍ରାମବାସୀ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତରବରିଆ ଭାବେ ହାତୀର ମୃତଦେହ ବ୍ୟବଚ୍ଛେଦ କରିବା ପରେ ପୋତି ଦେଇଥିଲେ। ଅନ୍ୟପକ୍ଷରେ, ଏହି ଘଟଣାକୁ ଲୁଚାଇବା ପାଇଁ ପାହାଡ଼ରୁ ପଡ଼ି ହାତୀଟିର ମୃତ୍ୟୁ ଘଟିଥିବା ସଫେଇ ଦେଇଥିଲା ବନ ବିଭାଗ। ତେବେ କଥା ପଦାକୁ ଆସିବା ପରେ ବନବିଭାଗ ପକ୍ଷରୁ ବିଶୋଇ ପୁଲିସ ସହାୟତାରେ ଛାନ୍ଭିନ୍ ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/similipal-1.jpg)