ଥାନାରେ ଖତ ଖାଉଛି ଶହ ଶହ ଚୋରା ବାଇକ୍‌ : ୫ ବର୍ଷରେ ଜବତ ହେଲାଣି ଦେଢ଼ ହଜାରରୁ ଉର୍ଦ୍ଧ୍ବ ବାଇକ୍‌

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଥାନା ଇଲାକା ଚୋରା ବାଇକ୍‌ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପୁଲିସ ଯେତେ ଜବତ କରୁଛି ପୁଣି ସେତେ ବାହାରୁଛି। ଗତ ୫ ବର୍ଷ ମଧ୍ୟରେ ବ୍ରହ୍ମଗିରି ଥାନା ଇଲାକାରୁ ପୁଲିସ ଦେଢ ହଜାର ବାଇକ ଜବତ କରିସାରିଲାଣି। ଗତ ୫ ବର୍ଷ ପୂର୍ବେ ବ୍ରହ୍ମଗିରି ଥାନା ଇଲାକାରେ ଥିବା ଏକ ଗାଁ’ର ଲୋକେ ଚୋରା ବାଇକ ନ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ମିଳିତ ଭାବେ ଏକକାଳୀନ ୭ ଶହରୁ ଅଧିକ ବାଇକ ପୁଲିସକୁ ଜିମା ଦେଇଥିଲେ। ତତ୍କାଳୀନ ପୁଲିସ ଡିଜି ଚୋରା ବାଇକ ଫେରାଇ ଥିବା ଏକ ଗାଁକୁ ୫୦ ହଜାର ଟଙ୍କା ପୁରସ୍କାର ଦେଇଥିଲେ। ଅନେକ ଲୋକ କାଗଜପତ୍ର ଦେଖାଇ ନିଜ ନିଜର ବାଇକ ନେଲେ। କିନ୍ତୁ ଆହୁରି ଶହ ଶହ ବାଇକ ଏବେ ଥାନା ଭିତରେ ପଡି ପଡ଼ି ଖତ ହେଉଛି। ଏଥିରେ ଗଛଲତା ଉଠିଲାଣି। ପ୍ରତି ବର୍ଷ ପୁଲିସ ଏହି ଥାନା ଇଲାକାରୁ ୨୦ରୁ ଅଧିକ ଚୋରା ବାଇକ ଓ ସ୍କୁଟି ଜବତ କରୁଛି। ବାହାର ଥାନା ଇଲାକରୁ ବାଇକ ଚୋରି ହୋଇ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଥାନା ଇଲାକାରେ ବିକ୍ରି ଚାଲିଛି। ଗୋଟିଏ ବାଇକକୁ ମାତ୍ର ୫ ହଜାର ଟଙ୍କାରେ ବିକ୍ରି ହେଉଛି। ଗତକାଲି ମଧ୍ୟ ପୁଲିସ ୧୫ଟି ବାଇକ ଓ ସ୍କୁଟି ଏହି ଥାନା ଇଲାକାରୁ ଜବତ କରିଛି। ବାଇକ ବିକ୍ରି କରୁଥିବା ମାଷ୍ଟର ମାଇଣ୍ତ୍‌କୁ ସାତପଡାରୁ ଧରିଛି। ପୁଲିସ ଯେତେ ବାଇକ ଧରୁଛି ପୁଣି ସେତେ ବାଇକ ବୁଲୁଛି।

ସମ୍ବନ୍ଧିତ ଖବର