କ୍ରସର ଓ ପଥର କ୍ବାରିରେ ପ୍ରଶାସନର ଚଢ଼ଉ: ଡ୍ରିଲ୍‌ ମେସିନ, କମ୍ପ୍ରେସର ଓ ଏକ୍ସାଭେଟର ଜବତ

ମୁରିବାହାଲ: ମୁରିବାହାଲ ତହସିଲ ବଡ଼ସାଇମରା ପଞ୍ଚାୟତ ଅଣ୍ଡାଲଦରୋ ଗାଁରେ ଥିବା ପୃଥ୍ୱୀରାଜ ପାତ୍ରଙ୍କ କ୍ରସର ଓ ଏହି ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଥିବା ପଥର କ୍ବାରିଗୁଡ଼ିକରେ ଶୁକ୍ରବାର ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଧରଣର ଚଢ଼ଉ ହୋଇଥିଲା। ପ୍ରଶାସନ ପକ୍ଷରୁ କ୍ରସର ଓ କ୍ବାରିଗୁଡ଼ିକର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏହା ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାରର ଯାଞ୍ଚ କରାଯାଇଥିଲା।

ତଦନ୍ତରୁ ଲିଜ୍‌ ନେଇଥିବା ପ୍ରସ୍ତାବିତ ସ୍ଥାନର ପଥର କ୍ବାରିରୁ ପଥର ଉତ୍ତୋଳନ ନକରି ସେ ବେଆଇନ ଭାବେ ଅନ୍ୟ ସ୍ଥାନରୁ ପଥର ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ମୁରିବାହାଲ ତହସିଲଦାର ସୋନାଲି ପାତ୍ର ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ଡ୍ରିଲ୍‌ ମେସିନ, ଏକ କମ୍ପ୍ରେସର ଓ ଏକ ଏକ୍ସାଭେଟର ଜବତ କରିଛି। ଚଢ଼ଉରେ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ମୁରିବାହାଲ ତହସିଲଦାର ସୋନାଲି ପାତ୍ର, ଟିଟିଲାଗଡ଼ ଥାନା ଆଇଆଇସି ରଞ୍ଜନ ବରିହା, ଗୁଡ଼ିଘାଟ ଆର୍‌ଆଇ ସଲମାନ ସୋରେଙ୍ଗ, ମାଇନିଂ ଇନ୍ସପେକ୍ଟରଙ୍କ ସହ ସମସ୍ତ ରାଜସ୍ବ, ପୁଲିସ ଓ ପ୍ରଦୂଷଣ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏନେଇ ଥାନାରେ କେସ୍‌ ନଂ ୪୫/୨୩ ରୁଜୁ କରାଯାଇ ସମସ୍ତ ଜବତ ସାମଗ୍ରୀ ଥାନା ପରିସରକୁ ଆଣି ରଖାଯାଇଛି ବୋଲି ଆଇଆଇସି କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର