ଭୁବନେଶ୍ବର : ସରକାରୀ ମହାବିଦ୍ୟାଳୟ ଶିକ୍ଷା ସେବାରୁ ବରିଷ୍ଠତା ଭିତ୍ତିରେ ଉଚ୍ଚଶିକ୍ଷା ନିର୍ଦେଶକ ନିଯୁକ୍ତି ପାଇଁ ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ବି କୌଣସି ସୁଫଳ ମିଳୁ ନ ଥିବାରୁ ସଂଘ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପାଇଁ ନିବେଦନ କରାଯାଇଛି। ଏହାର ନକଲ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ସଚିବଙ୍କୁ ବି ପଠାଯାଇଥିବା ସଂଘ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି।
ସରକାରୀ ମହାବିଦ୍ୟାଳୟରୁ ବରିଷ୍ଠତା ଭିତ୍ତିରେ ଉଚ୍ଚଶିକ୍ଷା ନିର୍ଦେଶକ ପଦ ପୂରଣ କରାଯାଉଥିଲା। ଏପରିକି ଶିକ୍ଷା ବିଭାଗର ସମସ୍ତ ନିର୍ଦେଶାଳୟର ନିର୍ଦେଶକ ମଧ୍ୟ ସରକାରୀ ମହାବିଦ୍ୟାଳୟର ଶିକ୍ଷା ସେବାରୁ ଦିଆଯାଉଥିଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରଫେସର କିମ୍ବା ଅଧ୍ୟକ୍ଷ ଦୀର୍ଘ ଦିନ ହେବ ପୂରଣ ନକରି ଏବେ ପ୍ରଫେସର ନାହାନ୍ତି କହି ଭାରତୀୟ ପ୍ରଶାସନିକ ସେବାରୁ ଉଚ୍ଚଶିକ୍ଷା ନିର୍ଦେଶକ ନିଯୁକ୍ତି ଦେବା ଦୁର୍ଭାଗ୍ୟଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଉକ୍ତ ପ୍ରଶାସନିକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଅମଲାତନ୍ତ୍ରୀକରଣ ପଦକ୍ଷେପ ସାମଗ୍ରିକ ଶିକ୍ଷା ବିକାଶ ପାଇଁ ଶୁଭଙ୍କର ନୁହେଁ। ଏନେଇ ଆସନ୍ତା ୨୦ ତାରିଖରେ ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେମିରେ ସଂଘର ସାଧାରଣ ପରିଷଦ ବୈଠକ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।