ଏ ବର୍ଷ ୧.୨୩ ଲକ୍ଷ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ

ଯୁକ୍ତ୨ କଲେଜର ୮୩,୩୭୯ ଜଣ ତାଲିମ ନେବେ, ୧୦ ତାରିଖରୁ ଯୁକ୍ତ୩ ମାଷ୍ଟର ଟ୍ରେନରଙ୍କ ତାଲିମ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଓ ଯୁକ୍ତ ୩ କଲେଜ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମକୁ ବାଧ୍ୟତାମୂଳକ କରାଯାଇଛି। କଲେଜରେ ପଢ଼ୁଥିବା ସବୁ ଛାତ୍ରୀ ଯେପରି ତାଲିମ ନେବେ ସେ ଦିଗରେ ଉଭୟ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବାରୋପ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୁକ୍ତ୨ରେ ୮୩ ହଜାର ଓ ଯୁକ୍ତ୩ରେ ପାଖାପାଖି ୪୦ ହଜାର ଛାତ୍ରୀଙ୍କୁ ତାଲିମ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି।

୨୦୧୯-୨୦ ଶିକ୍ଷାବର୍ଷରେ ଯୁକ୍ତ୨ କଲେଜର ୮୩ ହଜାର ୩୭୯ ଜଣ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ। ସେମାନଙ୍କୁ ତାଲିମ ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୭ ଲକ୍ଷ ୮୯ ହଜାର ଟଙ୍କା ଅନୁମୋଦନ କରାଯିବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଓ ୧୯ଟି ନୋଡାଲ କଲେଜକୁ ଏହି ଅର୍ଥ ପଠାଇ ଦିଆଯାଇଛି। ଏହି ଅର୍ଥ କେବଳ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ବାବଦରେ ଖର୍ଚ୍ଚ ହେବ। ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସର୍ବାଧିକ ୧୧୧୫ ଜଣ ଛାତ୍ରୀ ତାଲିମ ନେବାକୁ ଥିବା ବେଳେ ବି‌ଜେବି କଲେଜର ୬୪୯, ରେଭେନ୍ସା କଲେଜର ୫୯୮, ଫକୀର ମୋହନ କଲେଜର ୪୬୨ ଜଣ ଛାତ୍ରୀ ତାଲିମ ‌‌ନେବେ।

ଅନ୍ୟପକ୍ଷରେ କଲେଜସ୍ତରରେ ଛାତ୍ରୀମାନଙ୍କୁ ତାଲିମ ଦେବା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ର ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖଠାରୁ ଭୁବନେଶ୍ବରସ୍ଥିତ କରାଟେ ସ୍କୁଲରେ ୧୨୦ ଜଣ ଛାତ୍ରୀଙ୍କୁ ତାଲିମ ଦିଆଯିବ। ଏହି ଛାତ୍ରୀମାନେ ୯ ତାରିଖ ସନ୍ଧ୍ୟା ସୁଦ୍ଧା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାକୁ କୁହାଯାଇଛି। ଯେଉଁ ଛାତ୍ରୀମାନେ ଏଥିରେ ଭାଗ‌ନେବେ‌ ସେମାନେ କେଉଁ ସବୁ ସାମଗ୍ରୀ ଆଣି ଆସିବେ ସେ‌ନେଇ କଲେଜ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି। ତାଲିକାରେ ଥିବା କୌଣସି ଛାତ୍ରୀ ଯଦି ନ ଆସନ୍ତି ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ପଠାଇବା ସହ ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ଉତ୍କଳ କ‌ରାଟେ ସ୍କୁଲ କର୍ତୃପକ୍ଷଙ୍କୁ ଅବଗତ କରିବାକୁ ନିର୍ଦେଶ ଦିଆଯାଇଛି। ଫେବ୍ରୁଆରି ୧୮ରୁ ଦ୍ବିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେଣୁ ଯେଉଁ କଲେଜଗୁଡ଼ିକ ଛାତ୍ରୀଙ୍କ ନାମ ତାଲିକା ଦାଖଲ କରିନାହାନ୍ତି ସେମାନେ ଆସନ୍ତା ୧୦ ତାରିଖ ସୁଦ୍ଧା ‘[email protected]’ରେ ପଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର