ସୁଦୃଢ଼ ହେବ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ କୌଶଳ : ଉପାନ୍ତ ଆଗରେ, ଉପକୂଳ ଜିଲ୍ଲା ପଛରେ

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ନେଇ ମାନସ ମନ୍ଥନ କରିଛି ଉଚ୍ଚଶିକ୍ଷା ବିଭାଗ। ବିଗତ ବର୍ଷରେ ଛାତ୍ରୀଙ୍କ ତାଲିମ କେତେ ଆଗେଇଛି? ଆଗକୁ ଆଉ କ’ଣ କରାଯାଇପାରିବ, ସେନେଇ ୩୦ଟି ଜିଲ୍ଲାର ନୋଡାଲ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଇଛି।

ସମସ୍ତ ପଦକ୍ଷେ ପରେ ବି ଏପର୍ଯ୍ୟନ୍ତ କୌଣସି ଗୋଟିଏ ବି ଜିଲ୍ଲାରେ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ଶତ ପ୍ରତିଶତ ହୋଇପାରି ନାହିଁ। ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ବରଗଡ଼ ପରି ଉପାନ୍ତ ଜିଲ୍ଲାଗୁଡ଼ିକରେ ଥିବା ଯୁକ୍ତ ୩ କଲେଜ ଛାତ୍ରୀମାନେ ତାଲିମ ପ୍ରତି ଆଗ୍ରହ ଦେଖାଇଛନ୍ତି। କିନ୍ତୁ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ଛାତ୍ରୀଙ୍କ ତାଲିମ ନୈରାଶ୍ୟଜନକ ରହିଛି। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ୨୦୧୭-୧୮ ଶିକ୍ଷା ବର୍ଷ ସୁଦ୍ଧା ୭ ଲକ୍ଷ ଛାତ୍ରୀ ଏହି ତାଲିମ ନେଇ ସାରିଥିବା ବୈଠକରୁ ସୂଚନା ମିଳିଛି। ଚଳିତ ବର୍ଷ ଯୁକ୍ତ୩ ସମେତ ବିଶ୍ୱବିଦ୍ୟାଳୟ ଓ ଯୁକ୍ତ୨ରେ ନାମ ଲେଖାଇଥିବା ସମସ୍ତ ଛାତ୍ରୀଙ୍କୁ ତାଲିମ୍‌ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ୩୦ଟି ଜିଲ୍ଲାର ନୋଡାଲ କଲେଜ ଅଧ୍ୟକ୍ଷଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ଆସନ୍ତା ୨୩ ତାରିଖରେ ଯୁକ୍ତ ୩ କଲେଜଗୁଡ଼ିକ ପାଇଁ ୩ୟ ପର୍ଯ୍ୟାୟ ନାମଲେଖା ଶେଷ ହେବା କ୍ଷଣି କଲେଜସ୍ତରରେ ଯାଞ୍ଚ କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ନୋଡାଲ କଲେଜ ଅଧ୍ୟକ୍ଷମାନେ ବିଭିନ୍ନ କଲେଜକୁ ଗସ୍ତ କରି ଆତ୍ମରକ୍ଷା କୌଶଳ ତାଲିମର ଯାଞ୍ଚ କରିବେ। ଯେଉଁ ଛାତ୍ରୀମାନେ ସାମିଲ ହେଉ ନ ଥିବେ, ସେମାନଙ୍କ ମାନସିକତାରେ ପରିବର୍ତନ ଆଣିବା ଦିଗରେ କଲେଜ ଅଧ୍ୟକ୍ଷମାନେ ପ୍ରାଥମିକତା ଦେବେ ବୋଲି ବୈଠକରେ ସ୍ଥିର ହୋଇଛି।

ଆତ୍ମରକ୍ଷା କୌଶଳ ତାଲିମ ନିର୍ଦେଶିକା ନିବେଦିତା ଜେନାଙ୍କ କହିବାନୁଯାୟୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ତାଲିମ୍‌ ପ୍ରତି ଏଥର ମଧ୍ୟ ପ୍ରାଥମିକତା ଦିଆଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ କୁଳପତି ଓ କୁଳସଚିବଙ୍କ ବୈଠକ ଡକାଯାଇ ଏ ବିଷୟରେ ଆଲୋଚନା ହେବ। ୧୩ଟି ଯୁକ୍ତ ୨ କଲେଜ ଗତ ବର୍ଷର ୟୁଟିଲାଇଜେସନ ସାର୍ଟିଫିକେଟ୍‌(ୟୁସି) ଦେଇ ନ ଥିବାରୁ କିଛି ଦିନ ତଳେ ସେମାନଙ୍କ ବୈଠକ ଡକାଯାଇଥିଲା। ସେଥିରେ ଆତ୍ମରକ୍ଷା କୌଶଳ ତାଲିମ ବିଷୟରେ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ପୁଣିଥରେ ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କ ବୈଠକ ଡକାଯିବାକୁ ଯୋଜନା ହେଉଛି।

ଇତି ମଧ୍ୟରେ ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମକୁ ୫ଟି ରାଜ୍ୟ ଗ୍ର୍ରହଣ କରିଛନ୍ତି। ଛତିଶଗଡ଼ ମଧ୍ୟ ଏବେ ଲାଗୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର