ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ବାଟବଣା : ଏଣିକି ବ୍ଲକ ଓ ସବ୍‌ଡିଭିଜନ୍‌ ସ୍ତରରେ ହେବ ତଦାରଖ, ତଦାରଖ କରିବେ ଉପ ଜିଲ୍ଲାପାଳ, ବିଡିଓ, ତହସିଲଦାର

ଭୁବନେଶ୍ବର : ୨୦୧୩ରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଯୁବନୀତିରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେବାର ବ୍ୟବସ୍ଥା ହୋଇଛି। ଯୁକ୍ତ୨ ସମେତ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ମଧ୍ୟ ତାଲିମ ଦିଆଯିବାର ନିୟମ ରହିଛି। ଏ‌ହି ତାଲିମ ପ୍ରକ୍ରିୟା କିନ୍ତୁ ବାଟବଣା ହେବାରେ ଲାଗିଛି। ଅଧିକାଂଶ ଶିକ୍ଷାନୁଷ୍ଠାନ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେଉନାହାନ୍ତି। ପ୍ରଥମ କିଛି ବର୍ଷ ତାଲିମ ଦେବା ପରେ କିଛି ଶିକ୍ଷାନୁଷ୍ଠାନ ବନ୍ଦ କରିଦେଇଛନ୍ତି। ଆଉ କେତେକ କଲେଜ ଓ ବିଶ୍ବବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତିକୁ ହେୟଜ୍ଞାନ କରୁଛନ୍ତି। ଯେଉଁଥିପାଇଁ ୨୦୧୯-୨୦ ଶିକ୍ଷାବର୍ଷରେ ଏହି ତାଲିମ କାର୍ଯ୍ୟକ୍ରମକୁ ବ୍ଲକ ଓ ସବ୍‌ଡିଭିଜନ୍‌ସ୍ତରରେ ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଜିଲ୍ଲାସ୍ତରୀୟ କମିଟିରେ ଉପ ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାରମାନେ ବ୍ଲକ ଓ ଜିଲ୍ଲାସ୍ତରରେ ଆତ୍ମରକ୍ଷା କୌଶଳ ତାଲିମର ତଦାରଖ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି।

ରାଜ୍ୟରେ ଏମିତି କିଛି ଶିକ୍ଷାନୁଷ୍ଠାନ ରହିଛନ୍ତି ଯେଉଁମାନଙ୍କର ଏପର୍ଯ୍ୟନ୍ତ କୌଣସି ପ୍ରଶିକ୍ଷକ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ରାଜ୍ୟର ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଆତ୍ମରକ୍ଷା କୌଶଳକୁ ସଫଳତା ମିଳିନି। ସବୁ ଛାତ୍ରୀ ଏପର୍ଯ୍ୟନ୍ତ ତାଲିମ ନେଇପାରି ନାହାନ୍ତି। ଗତବର୍ଷ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟକୁ ଏକାଧିକଥର ଚିଠି ଲେଖାଯାଇଥିଲା। ଏପରିକି ଗତବର୍ଷ ଆତ୍ମରକ୍ଷା କୌଶଳ ସେଲ୍‌ର ଉପଦେଷ୍ଟା ବିଶ୍ୱବିଦ୍ୟାଳୟରେ ଆତ୍ମରକ୍ଷା କୌଶଳର ସ୍ଥିତି ତଦାରଖ ପାଇଁ ଯାଇଥିଲେ। ତେବେ ଘର ଅଭାବରୁ ତାଲିମ ଦିଆଯାଇ ପାରୁ ନ ଥିବା କର୍ତୃପକ୍ଷ ସେତେବେଳେ ସଫେଇ ଦେଇଥିଲେ। ତା’ପରେ ବି କିଛି ବି ସୁଫଳ ମିଳିନି। ଏହା ଏକ ଉଦାହରଣ ମାତ୍ର। ଯଦି ଭୁବନେଶ୍ବରରେ ସ୍ଥିତି ଏମିତି ‌ତେବେ ଅନ୍ୟ କଲେଜରେ ସ୍ଥିତି କିଭଳି ଥିବ ‌ଏଥିରୁ ଅନୁମେୟ।

୨୦୧୯-୨୦ ଶିକ୍ଷାବର୍ଷରେ ଛାତ୍ରୀଙ୍କ ତାଲିମ ପାଇଁ ଗତ ଅଗଷ୍ଟ ୧ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟକୁ ଚିଠି ପଠା‌ଯାଇଥିଲା। ତେବେ ଏପର୍ଯ୍ୟନ୍ତ ୬୦ ପ୍ରତିଶତ କଲେଜ ତାଲିମ ଶିବିର ଆରମ୍ଭ କରିନାହାନ୍ତି। ଏସମ୍ପର୍କରେ ନଜରକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ଜିଲ୍ଲାସ୍ତରୀୟ ପରିଚାଳନା କମିଟିକୁ ସୁଦୃଢ଼ କରିବା ସହ ସମସ୍ତ ସରକାରୀ ଡିଗ୍ରି କଲେଜ, ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ବବିଦ୍ୟାଳୟ‌ରେ କିଭଳି ତାଲିମ ଶିବିର ହୋଇପାରିବ ସେ ଦିଗରେ ପଦ‌କ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ ପରିଚାଳନା କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ଥିବା ବେଳେ ଏସ୍‌ପି, ସିଡିଏମ୍‌ଓ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଏନ୍‌ଏସ୍‌ଏସ୍‌ର ଜିଲ୍ଲା ସଂଯୋଜକ, ବରିଷ୍ଠ ଏନ୍‌ସିସି ଅଧିକାରୀ, ବରିଷ୍ଠ ଯୁବ ରେଡକ୍ରସ କାଉନ୍‌ସିଲର, ଜିଲ୍ଲା ନୋଡାଲ କଲେଜର ଅଧ୍ୟକ୍ଷ ସଦସ୍ୟ ଭାବେ ରହିଛନ୍ତି। ସେମାନେ ନିୟମିତ ବ୍ୟବଧାନରେ ତାଲିମ ଶିବିରର ସମୀକ୍ଷା କରିବାକୁ କୁହାଯାଇଛି। କଲେଜରେ ହେଉଥିବା ତାଲିମ ଶିବିରକୁ କମିଟି ନିୟମିତ ଭାବେ ଗସ୍ତ କରିବ, ସମୟ ବ୍ୟବଧାନରେ ଦିଗଦର୍ଶନ ଦେବ, ତାଲିମ କିଭଳି ଶୃଙ୍ଖଳିତ ଭାବେ ‌ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବ, ଯଦି ଆଉ ମୁଖ୍ୟ ପ୍ରଶିକ୍ଷକ ଆବଶ୍ୟକ ପଡ଼ନ୍ତି ତେବେ କମିଟି ଏନେଇ ପ୍ରସ୍ତାବ ଦେବ, ତାଲିମ କାର୍ଯ୍ୟକ୍ରମ ଆହୁରି କିଭଳି ଭଲ ହୋଇପାରିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର