ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ କାଇଁଝର ପଞ୍ଚାୟତର କାଲିଖେତ ଗାଁଟି ଆଜି ଗୋଟିଏ ନିଆରା କାରଣ ପାଇଁ ନିଜର ପରିଚୟ ତିଆରି କରିଛି। ଏହି ଗାଁ’ଟିରେ ୩୦ ଘର ଆଦିବାସୀ ପରିବାର ବାସ କରନ୍ତି। ଆଉ ଏହି ଗାଁ’ର ସମସ୍ତ ଆଦିବାସୀ ଫୁଲଝାଡୁ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି। ଗ୍ରାମ ଉପକଣ୍ଠସ୍ଥ ପାହାଡ଼ ତଳି ପ୍ରାୟ ୨୦୦ ଏକର ଉଚ୍ଚଜମିରେ ଏମାନେ ଫୁଲଝାଡୁ ଚାଷ କରିଛନ୍ତି। ଏହି ପରିତ୍ୟକ୍ତ ଟାଙ୍ଗରା ଜମିରେ ଯେତେବେଳେ କେହି ଚାଷ କରିବା କଥା ଚିନ୍ତା କରି ନଥିଲେ, ତାହା ଏହି ଗାଁର ଆଦିବାସୀ ଚାଷୀ କରି ଦେଖାଇ ପାରିଛନ୍ତି।
ପ୍ରଥମେ ୨୦୧୪ ମସିହାରେ ଗାଁ’ର ଚାଷୀ ମିଳିତ ଭାବେ ଏଠାରେ ଫୁଲଝାଡୁ ଚାରାରୋପଣ କରିଥିଲେ। ଆଉ ସେବେଠୁ ଏହି ଚାଷ ଚାଲି ଆସିଛି। ପ୍ରତିବର୍ଷ ମେ-ଜୁନ୍ ମାସରେ ଏଠାରେ ଫୁଲଝାଡୁ ଗଛ କଟାଯାଇ ଅମଳ ହୁଏ ଏବଂ କଟା ଯାଇଥିବା ମୂଳରୁ ପୁଣି ଶାଖା କଅଁଳି ଗଛ ସୃଷ୍ଟି ହୁଏ। ଚାଷୀଙ୍କୁ ଆଉ ଚାରାରୋପଣ କରିବାକୁ ପଡ଼େନି। ସବୁଠୁ ବଡ଼ କଥା ହେଉଛି, ଏ ଚାଷ ପାଇଁ ପାଣି କିମ୍ବା ସାରର ଆବଶ୍ୟକତା ପଡ଼ି ନଥାଏ। ଆପଣାଛାଏଁ ଏ ଗଛଗୁଡ଼ିକ ବଢ଼ିଥାଏ। ପ୍ରତିବର୍ଷ ଆନୁମାନିକ ୧୦୦ ଟନ୍ ଫୁଲଝାଡୁ ଅମଳ ହୋଇଥାଏ ବୋଲି କହନ୍ତି ଏହି ଗାଁର ଜଣେ ଚାଷୀ ବାନାମ୍ବର କହଁର। ଫୁଲଝାଡୁ କଟାଯାଇ ବଡ଼ବଡ଼ ବିଡ଼ା ବାନ୍ଧି ସେଠାରେ ଏକାଠି ରଖାଯାଏ ଏବଂ ଭୁବନେଶ୍ବର, କଟକ ଅଞ୍ଚଳର ବେପାରୀ ଆସି ଏହାକୁ କ୍ରୟ କରି ନେଇ ଯାଆନ୍ତି ବୋଲି କହନ୍ତି ଅନ୍ୟ ଜଣେ ଚାଷୀ ମଙ୍ଗରାଜ କହଁର। କାଲିଖେତ ଫୁଲଝାଡୁର ଚାହିଦା ଭୁବନେଶ୍ବର ଅଞ୍ଚଳରେ ଅଧିକା ରହିଛି ବୋଲି କହନ୍ତି ଚାଷୀ ମହେନ୍ଦ୍ର ଡିଗାଳ। ଭୁବନେଶ୍ବରର ବେପାରୀମାନେ କିଲୋ ପିଛା ୮ରୁ ୧୦ ଟଙ୍କାରେ କିଣି ନିଅନ୍ତି। ମାତ୍ର, ଗୋଟିଏ ଫୁଲଝାଡୁକୁ ପାଖାପାଖି ୭୦ରୁ ୮୦ ଟଙ୍କାରେ ବିକ୍ରି କରନ୍ତି। ଗୋଟିଏ ଫୁଲଝାଡୁରେ ପାଖାପାଖି ୫୦୦ ଗ୍ରାମ୍ ଫୁଲଝାଡୁ ଗଛର ଆବଶ୍ୟକତା ପଡ଼ିଥାଏ ବୋଲି କହନ୍ତି ଚାଷୀ ରାମତା କହଁର।
ଆଗାମୀ ବର୍ଷରେ କାଲିଖେତ ଗାଁର ମହିଳାମାନଙ୍କୁ ନେଇ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ଏଠାରେ ଏକ ଫୁଲଝାଡୁ ୟୁନିଟ୍ ସ୍ଥାପନ କରି ଏଠାରେ ହିଁ ଫୁଲଝାଡୁ ତିଆରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହନ୍ତି ଗାଁର ଅନ୍ୟ ଜଣେ ଚାଷୀ କୁମ୍ଭ କହଁର। ଫୁଲଝାଡୁ ଚାଷ କରି ଏହି ଗାଁର ସମସ୍ତ ଚାଷୀ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଯଦି ଏହାର ମୂଲ୍ୟଯୁକ୍ତ କରାଯାଇ ପାରିବ ତେବେ ଏ ଗାଁର ଚାଷୀ ଓ ମହିଳାମାନେ ଆହୁରି ବେଶି ଉପକୃତ ହୋଇପାରିବେ ବୋଲି କହନ୍ତି ବିଶ୍ବନାଥ କହଁର ଏବଂ ବାମ ଡିଗାଳ।
କାଲିଖେତ ଗାଁର ପରିତ୍ୟକ୍ତ ଉଚ୍ଚା ଜମିରେ ଫୁଲଝାଡୁ ଚାଷ କରି ଏ ଗାଁର ଆଦିବାସୀ ଓ ଦଳିତ ଚାଷୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ଏହି ଗାଁର ଚାଷୀଙ୍କ ଠାରୁ ଶିକ୍ଷାଲାଭ କରି ଅନ୍ୟାନ୍ୟ ଗାଁର ଚାଷୀମାନେ ମଧ୍ୟ ପାହାଡ଼ିଆ ଟାଙ୍ଗରା ଜମିରେ ଫୁଲଝାଡୁ ଚାଷ କରିବା ଆରମ୍ଭ କଲେଣି। ଯଦି ପ୍ରଶାସନ ପକ୍ଷରୁ ଫୁଲଝାଡୁ ଚାଷ ନେଇ ଅଧିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇ ପାରନ୍ତା ତେବେ ଏହି ଚାଷ ବିଶେଷକରି କନ୍ଧମାଳ ର ଆଦିବାସୀ ଚାଷୀଙ୍କୁ ଏକ ନୂଆ ଦିଗ ଦେଖାଇ ପାରନ୍ତା ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।