ପାଳଛତୁ ଚାଷ: ମଞ୍ଜି ପ୍ରସ୍ତୁତ କରି ମହିଳା ସ୍ବାବଲମ୍ବୀ

୧୦ ହଜାରରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦ ଲକ୍ଷ ଟଙ୍କାରେ ପହଞ୍ଚିଲାଣି

ରାଜନଗର: ପାଳଛତୁ ଚାଷ କରିବା ସହ ପାଳଛତୁର ମଞ୍ଜି ପ୍ରସ୍ତୁତ କରୁଛନ୍ତି। ୧୪ଶହ ବର୍ଗଫୁଟ ସ୍ଥାନରେ ଛତୁଚାଷ କରି ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ଗାଁର ୫ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ଆତ୍ମ ନିର୍ଭରଶୀଳ କରି ପାରିଛନ୍ତି। ସମସ୍ତ ଖର୍ଚ୍ଚ ସହିତ ୫ଜଣ ମହିଳାଙ୍କୁ ଦରମା ଦେବାପରେ ବାର୍ଷିକ ଦେଢ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଆୟ କରୁଛନ୍ତି।

ପାଳଛତୁର ମଞ୍ଜି ପ୍ରସ୍ତୁତ କରି ନିଜର ଚାଷ ପାଇଁ ବ୍ୟବହାର କରିବା ସହ କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀଙ୍କୁ ମଞ୍ଜି ଯୋଗାଉଛନ୍ତି। ୨୦୧୬ ମସିହାରେ ୧୦ହଜାର ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏବେ ୨୦ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ମହିଳାଙ୍କ ଉଦ୍ୟମ ଓ ନିଜେ କିଛି କରିବାର ପ୍ରଚେଷ୍ଟା ସଫଳତା ଦେବା ସହ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ରାଜନଗର ବ୍ଲକ ବାଲିସାହିପାଟଣା ପ˚ଚାୟତର ପଦିନି ଗାଁର ଅମିତା ରାଉତ(୩୫)। ସ୍ବାମୀ ଅମୀୟ ଗୁଜୁରାଟରେ ଏଲଆଣ୍ତଟି କମ୍ପାନିରେ କାର୍ଯ୍ୟ କରନ୍ତି। ଦୁଇପୁଅ ପାଠ ପଢିବାକୁ ଯିବା ପରେ ଘରେ ଅବସର କାଟିବା ସମୟରେ ନିଜେ ଆତ୍ମ ନିର୍ଭରଶୀଳ ହେବାକୁ ଚାହିଁଥିଲେ। ୨୦୧୬ ମସିହାରେ ଅମିତା ନିମ ନାହାକାଣି ସ୍ବୟ˚ସହାୟକ ଗୋଷ୍ଠୀର ସଦସ୍ୟ ଭାବେ ଜାତୀୟ ଗ୍ରାମୀଣ ଆତ୍ମନିର୍ଭରଶୀଳ ଯୋଜନାରେ ଛତାସ୍ଥିତ ଟ୍ରେନି˚ ସେଣ୍ଟଟରରେ ଛତୁଚାଷ ଉପରେ ପ୍ରଶିକ୍ଷଣ ନେଇଥିଲେ। ଭୁବନେଶ୍ବରରୁ ବସ ଯୋଗେ ଛତୁ ମଞ୍ଜି ମଗାଇ ୧୦ ହଜାର ଟଙ୍କା ବ୍ୟୟରେ ପ୍ରଥମେ ଛତୁଚାଷ ଆରମ୍ଭ କରିଥିଲେ। ଅମିତା ଛତୁ ଚାଷରେ ସଫଳ ହେବା ଦେଖି ଅନ୍ୟ ମହିଳାମାନେ ଛତୁଚାଷ ଆରମ୍ଭ କରିଥିଲେ।

ଛତୁ ମଞ୍ଜି ଆସିବା ଓ ମିଳିବାରେ ସମସ୍ୟା ହେଉଥିବାରୁ ନିଜେ ଛତୁରେ ମଞ୍ଜି ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିଲେ। ୨୦୧୭ରେ ଓୟୁଏଟିରେ ଛତୁ ମଞ୍ଜି ପ୍ରସ୍ତୁତି ତାଲିମ ନେଇଥିଲେ। ଛତୁ ମଞ୍ଜି ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସରଞ୍ଜାମ ନିମନ୍ତେ ଜିଲ୍ଲା ଶିଳ୍ପକେନ୍ଦ୍ର (ଡିଆଇସି) ପକ୍ଷରୁ ୯ ଲକ୍ଷ ୯୧ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ୨୦୧୭ରୁ ଛତୁଚାଷ ସହ ଛତୁ ମଞ୍ଜି ପ୍ରସ୍ତୁତ କରୁଛନ୍ତି। ଦିନକୁ ସର୍ବାଧିକ ୬ଶହ ବୋତଲ ମଞ୍ଜି ପ୍ରସ୍ତୁତ କରିପାରୁଛନ୍ତି। ପୂର୍ବରୁ ନିଜର ଚାଷ ପାଇଁ ବାହାରୁ ମଞ୍ଜି ଆଣୁଥିବା ଅମିତା ଏବେ ନିଜେ ମଞ୍ଜି ଅନ୍ୟ ଚାଷୀମାନଙ୍କୁ ଯୋଗାଉଛନ୍ତି।

ରାଜନଗର ବ୍ଲକ ସମେତ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ତାଇ, ଆଳି, ରାଜକନିକା ବ୍ଲକ ଓ ଯାଜପୁର ଜିଲ୍ଲାର ଚଣ୍ତିଖୋଲ, ପଞ୍ଚୁପାଣ୍ତବ ଆଦି ସ୍ଥାନକୁ ମଞ୍ଜି ଯୋଗାଉଛନ୍ତି। ମଞ୍ଜି ବୋତଲ ପିଛା ୧୫ ଟଙ୍କା ଦରରେ ଦେଉଛନ୍ତି। ଗୋଟିଏ ବେଡ୍‌ ବିଛାଇବା ପାଇଁ ଗୋଟିଏ ବୋତଲ ମଞ୍ଜି ଆବଶ୍ୟକ ଓ ଏଥିରୁ ଗୋଟିଏ କେଜି ଛତୁ ଉତ୍ପାଦନ ହେଉଛି। ୬ଶହ ବର୍ଗଫୁଟ ଅ˚ଚଳରେ ଆରମ୍ଭ କରିଥିବା ଛତୁଚାଷ ଏବେ ୧୪ଶହ ବର୍ଗଫୁଟ ଅ˚ଚଳକୁ ବଢାଇଛନ୍ତି। ଛତୁଚାଷ ପାଇଁ ନଡା ପ୍ରସ୍ତୁତ, ନଡ଼ା ଓଦା କରିବା, ପାଣି ନିଗାଡ଼ିବା, ବେଡ ବିଛାଇବା, ଛତୁ ତୋଳିବା ଓ ବିକ୍ରି କରିବା ପାଇଁ ୫ଜଣ ସ୍ଥାନୀୟ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି।

ଜଣେ ମହିଳା ଫାର୍ମଠାରୁ ୬ କିମି ଦୂର ରାଜନଗର ବଜାରକୁ ଛତୁ ନେଇ ବିକ୍ରି କରୁଛନ୍ତି। ରାଜନଗର ବଜାରରେ ପାଳଛତୁର ଚାହିଦା ରହିଥିବାରୁ ଦିନକୁ ୧୫ରୁ ୨୦ କେଜି ଛତୁ ବିକ୍ରି ହେଉଛି। ଗୋଟିଏ କେଜି ଛତୁ ବଜାରରେ ୨ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଥିପାଇଁ ୫୦ ଟଙ୍କା ଖର୍ଚ୍ଚ ହେଉଛି। ୧୫ ଟଙ୍କାରେ ବିକ୍ରି ହେଉଥିବା ମଞ୍ଜି ପାଇଁ ୧୦ ଟଙ୍କା ଖର୍ଚ୍ଚ ହେଉଛି। ମାସିକ ମଞ୍ଜିରୁ ୭/୮ ହଜାର ଟଙ୍କା ଆୟ ହେଉଛି। ବାର୍ଷିକ ସମସ୍ତଙ୍କୁ ଦରମା ଓ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ପରେ ୨ ଲକ୍ଷ ଟଙ୍କା ଆୟ ହେଉଛି ବୋଲି ଅମିତା କହିଛନ୍ତି।

ପାଳଛତୁ ଚାଷ ତାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିଛି। ତାଙ୍କ ସ୍ବାମୀ ରାଜ୍ୟ ବାହାରେ ଚାକିରି କରୁଥିବାବେଳେ ସେ ନିଜ ଆୟରେ ପରିବାର ଚଳାଇ ପାରୁଛନ୍ତି ଓ ଅନ୍ୟ ମହିଳାମାନଙ୍କୁ ନିଯୁକ୍ତି ଦେଇ ପାରିଛନ୍ତି। ପାଳ ଛତୁ ଚାଷ ତାଙ୍କୁ ପରିଚୟ ଦେଇଛି ଓ ଆତ୍ମସନ୍ତୋଷ ଦେଇପାରିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର