କୋରେଇ: ଚାଷ ପ୍ରତି ଯୁବବର୍ଗ ଏବେ ମୁହଁ ମୋଡୁଛନ୍ତି। ଫଳରେ ଶହଶହ ହେକ୍ଟର ଚାଷଜମି ପଡ଼ିଆ ପଡ଼ୁଛି। ଯୁବବର୍ଗଙ୍କ ପାଇଁ ଉଦାହରଣ ସାଜିଛନ୍ତି କୋରେଇ ବ୍ଲକ୍ ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ବଣହରା ଗ୍ରାମର କାହ୍ନୁଚରଣ ସାହୁଙ୍କ ଦୁଇପୁଅ ଅଭିମନ୍ୟୁ ଏବଂ ଭାଗୀରଥି। କାହ୍ନୁଚରଣ ନିଜେ ଚାଷ କରୁଥିବା ବେଳେ ଦି’ପଇସା ରୋଜଗାର କରିବାକୁ ଦୁଇପୁଅଙ୍କୁ ସୁରତ ପଠାଇଥିଲେ। ହେଲେ ୧୯୯୯ ମସିହା ମହାବାତ୍ୟା ପରେ ଦୁଇଭାଇ ଘରକୁ ଫେରି ଆସିଥିଲେ। ପରେ ରୋଜଗାରର ବାଟ ବନ୍ଦ ହୋଇଯାଇଥିଲା। ପ୍ରଥମେ ନିଜର ୫ ଏକର ଜମିରେ ପରିବା ଚାଷ ଆରମ୍ଭ କରିଥିଲେ। ପରେ ନିଜ ଜମିରେ ବୋରଓ୍ବେଲ୍ କରି ୨୦୦୩ ମସିହାରେ ଆଖୁଚାଷ ଆରମ୍ଭ କରିଥିଲେ। ୧୨ ବର୍ଷ ଆଖୁଚାଷ କରିବା ପରେ ୨୦୧୫ ମସିହାରେ ନିଜ ବାଡ଼ିରେ ୩ଟି ପୋଖରୀ ଖୋଳିଥିଲେ।
/sambad/media/post_attachments/wp-content/uploads/2023/05/11-5.jpg)
ମାଛ ଚାଷ କରିବା ସହିତ ଦେଶୀ କୁକୁଡ଼ା, ଛେଳି ଆଦି ଚାଷ କରିଥିଲେ। ବ୍ୟବସାୟ ବୃଦ୍ଧି ହେବା ସହିତ ଜିଲ୍ଲା ତଥା ଜିଲ୍ଲା ବାହାରୁ ମାଛ, କୁକୁଡ଼ା ଓ ଛେଳି ପାଇଁ ଗ୍ରାହକ ଆସିଥିଲେ। ଗତ ୫ବର୍ଷ ହେଲା ଆମ୍ବ, ପଣସ, ପିଜୁଳି, ଅଙ୍ଗୁର, ଡାଳିମ୍ବ ଆଦି ଫଳାଇବା ସହିତ ବାହାରେ ବିକ୍ରି କରି ବେଶ୍ ରୋଜଗାର କରୁଛନ୍ତି। କେବଳ ସେତିକି ନୁହେଁ ବାଡ଼ିରେ ଗୁଜୁରାତି, ଡାଲଚିନ, ଲବଙ୍ଗ, ଅଳେଇଚ ଏବଂ ତେଜପତ୍ର ଭଳି ବହୁ ମସଲା ଜାତୀୟ ଗଛ ଲଗାଇଛନ୍ତି। ଏହି ଚାଷରୁ ଯାହା ରୋଜଗାର ହୁଏ ସେଥିଲେ ଦୁଇଭାଇଙ୍କ ପିଲାମାନେ ପାଠ ପଢ଼ିବା ସହିତ ଉଭୟ ପରିବାର ବେଶ୍ ଆରାମରେ ରହିଛନ୍ତି। ପରିବାରର ସମସ୍ତେ ଏହି ଚାଷରେ ନିୟୋଜିତ ଅଛନ୍ତି ବୋଲି ଅଭିମନ୍ୟୁ ଓ ଭାଗୀରଥି କହିଛନ୍ତି।
୨୦୧୫ ମସିହାରେ ତତ୍କାଳୀନ କୃଷିମନ୍ତ୍ରୀଙ୍କ ଠାରୁ ଭାଗୀରଥି କୃଷି କର୍ମଣ ପୁରସ୍କାର ପାଇବା ସହିତ ବ୍ଲକ୍ ଏବଂ ଜିଲ୍ଲା କୃଷି ବିଭାଗ ପକ୍ଷରୁ ମଧ୍ୟ ଅନେକ ଥର ପୁରସ୍କୃତ ହୋଇଛନ୍ତି। କୋରେଇ ଭଳି ସରଗଡ଼ା ଅଞ୍ଚଳରେ ବିଭିନ୍ନ ଫଳ ଓ ପରିବା କିପରି ଉତ୍ପାଦନ କରିବାକୁ ସକ୍ଷମ ହେଲେ ବୋଲି ପଚାରିଲେ, ସାର, ଔଷଧ ବ୍ୟବହାର ନକରି କେବଳ ମାଟି, ଗୋବର ଓ ଖତରେ ଜୈବିକ ପ୍ରଣାଳୀରେ ଚାଷକଲେ ତାହା ବେଶ୍ ଉପାଦେୟ ହୋଇପାରିବ ବୋଲି ଦୁଇଭାଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/10-5.jpg)