୨୦୨୩-୨୪ରୁ ଖୋଲିବ ଆଇଟିଇପି ପାଠ୍ୟକ୍ରମ
୨୦୨୨-୨୩ରେ ସେଲ୍ଫ ଫାଇନାନ୍ସିଂ ବିଏଡ୍ ଚାଲିବ
ତିନି ମଡେଲ୍ ଡିଗ୍ରି କଲେଜରେ ଖୋଲିବ ଆଇଟିଇପି
ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜରେ ଚାଲୁଥିବା ସେଲ୍ଫ ଫାଇନାନ୍ସିଂ ବିଏଡ୍ ପାଠ୍ୟକ୍ରମ ବନ୍ଦ ହେବ। ତା’ ବଦଳରେ ରେଗୁଲାର ମୋଡ୍ରେ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପୋଗ୍ରାମ(ଆଇଟିଇପି) ପାଠ୍ୟକ୍ରମ ଆରମ୍ଭ କରାଯିବ। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟର ୧୪ଟି କଲେଜରେ ଆଇଟିଇପି ପାଠ୍ୟକ୍ରମରେ ନାମଲେଖା ହେବ। ବର୍ତମାନ ସେଲ୍ଫ ଫାଇନାନ୍ସିଂ ବିଏଡ୍ ପାଠ୍ୟକ୍ରମ ଥିବା ୧୧ଟି କଲେଜ ସମେତ ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟର ୩ଟି ମଡେଲ କଲେଜ ଯଥା ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ଆଇଟିଇପି ପାଠ୍ୟକ୍ରମ ଖୋଲିବ। ରାୟଗଡ଼ାରେ ବି.କମ୍ ବିଏଡ୍ ପାଠ୍ୟକ୍ରମ ଖୋଲିବାକୁ ଥିବା ବେଳେ ମାଲକାନଗିରିରେ ବିଏ ବିଏଡ୍ ଓ ନବରଙ୍ଗପୁର ମଡେଲ ଡିଗ୍ରି କଲେଜରେ ବିଏସ୍ସି ବିଏଡ୍ ପାଠ୍ୟକ୍ରମର ୫୦ଟି ଲେଖାଏ ସିଟ୍ରେ ନାମଲେଖା ହେବ।
୨୦୨୨-୨୩ ଶିକ୍ଷାବର୍ଷରେ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ(ଟିଇସି) ପରିଚାଳନା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୀତି ନିର୍ଧାରଣ କରାଯାଇଛି। ଟିଇସି ଥିବା ସମସ୍ତ ୧୬ଟି ଏକକ ଶିକ୍ଷାନୁଷ୍ଠାନରେ ୨ ବର୍ଷିଆ ବିଏଡ୍ ପାଠ୍ୟକ୍ରମରେ ନାମଲେଖା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷରେ ମୋଟ ୧୮୫୦ ବିଏଡ୍ ସିଟ୍ରେ ନାମଲେଖା ହେବ। ୫ଟି ଶିକ୍ଷାନୁଷ୍ଠାନ ଯଥା କଟକସ୍ଥିତ ଆରଏନ୍ଆଇଏଏସ୍ଇ, ସମ୍ବଲପୁରସ୍ଥିତ ଡ. ପିଏମ୍ ଆଇଏଏସ୍ଇ, ବ୍ରହ୍ମପୁରସ୍ଥିତ ଡିପି ଆଇଏଏସ୍ଇ, ଭୁବନେଶ୍ବରସ୍ଥିତି ଏନ୍ଡିଡବ୍ଲୁ ସିଟିଇ ଓ ଅନୁଗୁଳସ୍ଥିତ ଏନ୍କେସି ସିଟିଇର ୫୦ଟି ଲେଖାଏ ସିଟ୍ରେ ଦୁଇ ବର୍ଷିଆ ଏମ୍ଏଡ୍ ପାଠ୍ୟକ୍ରମ ଜାରି ରହିବ। ରାଜ୍ୟର ମୋଟ ୨୫୦ ସିଟ୍ରେ ଏମ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ଅନୁଷ୍ଠିତ ହେବ।
ଆଇଟିଇପି ପାଠ୍ୟକ୍ରମ ଆରମ୍ଭ ହେବାକୁ ଥିବା ୧୧ଟି କଲେଜରେ ୨୦୨୨-୨୩ ଶିକ୍ଷାବର୍ଷରେ କୌଣସି ପରିବର୍ତନ ହେବନି। ପୂର୍ବବର୍ଷ ପରି ଏଥର ମଧ୍ୟ ଦୁଇ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ସେଲ୍ଫ ଫାଇନାନ୍ସିଂ ମୋଡ୍ରେ ଚାଲିବ। ଏହାପରେ ଆଉ ଅନୁମତି ମିଳିବ ନାହିଁ। ଆଇଟିଇପି ଆରମ୍ଭ ହେବାକୁ ଥିବା ୧୧ କଲେଜଗୁଡ଼ିକ ହେଲା ବିଜେବି ସ୍ବୟଂଶାସିତ କଲେଜ, ଭଦ୍ରକ ସ୍ବୟଂଶାସିତ କଲେଜ, କେନ୍ଦୁଝରସ୍ଥିତ ଡିଡି ସ୍ବୟଂଶାସିତ କଲେଜ, ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ କଲେଜ, ଜୟପୁରସ୍ଥିତ ବିକ୍ରମ ଦେବ ସ୍ବୟଂଶାସିତ କଲେଜ, କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ପୁରୀସ୍ଥିତ ଏସ୍ସିଏସ୍ କଲେଜ, ବାରିପଦାସ୍ଥିତି ଏମ୍ପିସି କଲେଜ, ରାଜଧାନୀ କଲେଜ, ବରଗଡ଼ ପଞ୍ଚାୟତ କଲେଜ, ବାଲେଶ୍ବର ଏଫ୍ଏମ୍ ସ୍ବୟଂଶାସିତ କଲେଜ। ଏହାବ୍ୟତୀତ ୩ଟି ମଡେଲ୍ ଡିଗ୍ରି କଲେଜ ରହିଛି। ଏହିପରି ମୋଟ ୧୪ଟି କଲେଜର ୧୨୫୦ ସିଟ୍ରେ ଆଇଟିଇପି ପାଠ୍ୟକ୍ରମରେ ନାଲେଖା ହେବ। ଅନୁମୋଦିତ ସିଟ୍ରେ ନାମଲେଖା ଲାଗି କଲେଜ କର୍ତୃପକ୍ଷ ଆସନ୍ତା ୩୧ ତାରିଖ ସୁଦ୍ଧା ଅନ୍ଲାଇନ୍ ମାଧ୍ୟମରେ ଏନ୍ସିଟିଇର ଅନୁମୋଦନ ଲାଗି ଆବେଦନ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷକୁ ଚିଠି ଲେଖି ଅବଗତ କରାଇଛନ୍ତି।