ବିବାଦରେ ସେଲ୍ଫ ଫାଇନାନ୍ସିଂ କୋର୍ସ: ହ୍ରାସ ପାଇବ ଦୁଇ ହଜାର ସିଟ୍‌

ଅଧିକ ପ୍ରଭାବିତ ହେବ ଉତ୍କଳ ବିଶ୍ବବିଦ୍ୟାଳୟ, ବିଶ୍ବବିଦ୍ୟାଳୟକୁ ଚିଠି, ମହାବିଦ୍ୟାଳୟ ଦ୍ବନ୍ଦ୍ବରେ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ପିପିପି ମୋଡ୍‌ରେ ଚାଲୁଥିବା କୋର୍ସ ବନ୍ଦ ହେବ। ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ଚାଲୁଥିବା ପାଠ୍ୟକ୍ରମର ସିଟ୍‌ ସଂଖ୍ୟା ହ୍ରାସ ପାଇବ। ୨୦୨୨-୨୩ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ସମେତ ବୈଷୟିକ ଶିକ୍ଷା, କୃଷି ବିଭାଗ, ସଂସ୍କୃତି ଓ ଆଇଟି ବିଭାଗ ଅଧୀନରେ ଥିବା ରାଜ୍ୟର ୨୦ଟି ସରକାରୀ ଶିକ୍ଷାନୁଷ୍ଠାନରେ ଏହାକୁ ଲାଗୁ କରିବାକୁ ରାଜଭବନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଭଳି ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବାକୁ କୁହାଯାଇଥିବାରୁ ବିବାଦ ସୃଷ୍ଟି ହୋଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ଦେଖାଇଛି। ବିଭାଗ ଅଧୀନ ୧୩ଟି ବିଶ୍ବବିଦ୍ୟାଳୟରେ ନିୟମ କିଭଳି ଲାଗୁ ହେବ ତାହାର ତଦାରଖ ଲାଗି ୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ସରକାରଙ୍କ ବାକି ୪ଟି ବିଭାଗ ଏପର୍ଯ୍ୟନ୍ତ ପଦକ୍ଷେପ ନେଇ ନ ଥିଲେ ମଧ୍ୟ ଏଭଳି ନିଷ୍ପତ୍ତି ଦ୍ବାରା ରାଜ୍ୟର ପାଖାପାଖି ଦୁଇ ହଜାର ସିଟ୍‌ ହ୍ରାସ ପାଇବ। ଗୋଟିଏ ପଟେ ରାଜ୍ୟ ସରକାର ରେଗୁରାଲ କୋର୍ସ ଖୋଲୁ ନ ଥିବା ବେଳେ ଅନ୍ୟପଟେ ସେଲ୍ଫ ଫାଇନାନ୍ସିଂ କୋର୍ସ ସିଟ୍‌ ସଂଖ୍ୟା ହ୍ରାସ ଦ୍ବାରା ଅନେକ ‌ମେଧାବୀ ପିଲା ପ୍ରଭାବିତ ହେବେ। ବିଶ୍ବବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ ହେଉଥିବା ବେଳେ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ କାହିଁକି ନୁହେଁ ବୋଲି ମଧ୍ୟ ପ୍ରଶ୍ନ ଉଠିଲାଣି।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ବିଶ୍ବବିଦ୍ୟାଳୟର ମୋଟ ସିଟ୍‌ ମଧ୍ୟରୁ ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ରହିବ। ଯଦି ଗୋଟିଏ ବିଶ୍ବବିଦ୍ୟାଳୟରେ ରେଗୁଲାର ପାଠ୍ୟକ୍ରମରେ ପ୍ରତିବର୍ଷ ୬୦୦ ପିଲା ନାମଲେଖାଉଛନ୍ତି ସେଠାରେ ସେଲ୍ଫ ଫାଇନାନ୍ସିଂ କୋର୍ସରେ ଅତିବେଶିରେ ୧୨୦ ସିଟ୍‌ ରହିପାରିବ। ଯଦି ୨୦୨୧-୨୨ ଶିକ୍ଷାବର୍ଷରେ କୌଣସି ବିଶ୍ବବିଦ୍ୟାଳୟରେ ମୋଟ ରେଗୁଲାର ସିଟ୍‌ ମଧ୍ୟରୁ ୨୦%ରୁ ଅଧିକ ପିଲା ସେଲ୍ଫ ଫାଇନାନ୍ସିଂରେ ନାମ‌ ଲେଖାଇଛନ୍ତି ତାହା ହେଲେ ୨୦୨୨-୨୩ ଶିକ୍ଷାବର୍ଷରେ ଉକ୍ତ ସିଟ୍‌ ସଂଖ୍ୟା ହ୍ରାସ କରାଯିବ। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌/ବୋର୍ଡ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ଏହାର ସମୀକ୍ଷା କରାଯାଇ ଆସନ୍ତା ଜୁନ୍‌ ୬୦ ସୁଦ୍ଧା ଉପଯୁକ୍ତ ପଦକ୍ଷେପ ନେବେ। ଯେଉଁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ହେବ ସେଠାରେ ୨୦୨୨-୨୩ ଶିକ୍ଷାବର୍ଷରେ ନୂତନ ନାମଲେଖା ହେବନାହିଁ। ଉକ୍ତ କୋର୍ସରେ ପୂର୍ବରୁ ଛାତ୍ରଛାତ୍ରୀ ନାମ ଲେଖାଇଥିବାରୁ ତାହା ଆଉ ଗୋଟିଏ କିମ୍ବା ଦୁଇଟି ବର୍ଷ ଜାରି ରହିବ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଭବିଷ୍ୟତରେ ସେଲ୍ଫ ଫାଇନା‌ନ୍ସିଂ କୋର୍ସ ଖୋଲି ପାରିବେ। ମାତ୍ର ତାହାକୁ ଡାଇରେକ୍ଟ ମୋଡ୍‌ରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସିଧାସଳଖ ଚଳାଇବେ। ପିପିପି ମୋଡ୍‌ରେ କୌଣସି ସଂସ୍ଥାକୁ ଚଲାଇବାକୁ ଅନୁମତି ଦିଆଯିବ ନାହିଁ। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ନାମଲେଖା ଓପନ୍‌ ଓ ମେରିଟ୍‌ ଆଧାରରେ କରାଯିବ। ଜୁଲାଇ ୭ ସୁଦ୍ଧା ରାଜ୍ୟରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ରିପୋର୍ଟ ଦେବାକୁ ଶ୍ରୀ ମିଶ୍ର ନିର୍ଦେଶ ଦେଇଛନ୍ତି।

ଏହି ନିଷ୍ପତ୍ତି ଲାଗୁ ହେବା ଦ୍ବାରା ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବାଧିକ କ୍ଷତିଗସ୍ତ ହେବା ଏକପ୍ରକାର ଥୟ। କାରଣ ଏଠାରେ ମୋଟ ୧୭ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ରହିଛି। ଯେଉଁଠାରେ ପାଖାପାଖି ୬୬୦ ଛାତ୍ରଛାତ୍ରୀ ପ୍ରତିବର୍ଷ ନାମ ଲେଖାଉଛନ୍ତି। ଯଦି ଦେଖାଯାଏ ରେଗୁଲାରରେ ଏଠାରେ ୨୭ଟି ବିଭାଗରେ ପ୍ରତିବର୍ଷ ୧୩୦୦ ପିଲା ନାମଲେଖାଉଛନ୍ତି। ନୂଆ ନିୟମ ଲାଗୁ ହେବା ପରେ ଏଠାରେ ମାତ୍ର ୨୬୦ ଜଣ ପିଲା ସେଲ୍ଫ ଫାଇନାନ୍ସିଂରେ ନାମ ଲେଖାଇପାରିବେ। ବାକି ୪୦୦ ପିଲା ବାଦ୍‌ ପଡ଼ିବେ। ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ୨୦ଟି ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କୁ ଚିଠି ଲେଖା‌ଯାଇଛି। ତେଣୁ ୨୦୨୨-୨୩ ଶିକ୍ଷାବର୍ଷରେ ପାଖାପାଖି ଦୁଇ ହଜାର ସିଟ୍‌ କଟିବ ବୋଲି ଆକଳନ କରାଯାଇଛି। ନିଷ୍ପତ୍ତିକୁ ନେଇ ରାଜ୍ୟରେ ବିବାଦ ମୁଣ୍ଡ ଟେକିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୮ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଉତ୍କଳ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦାୟିତ୍ବରେ ଉଚ୍ଚଶିକ୍ଷା ନିର୍ଦେଶକ ଅଶ୍ବିନୀ କୁମାର ମିଶ୍ର ଥିବା ବେଳେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପାଇଁ ଅତିରିକ୍ତ ସଚିବ ମନୋରଞ୍ଜନ ନାୟକ, ବ୍ରହ୍ମପୁର ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଲାଗି ସ୍ବତନ୍ତ୍ର ସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀ, ରେଭେନ୍ସା ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପାଇଁ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି, ଉତ୍ତର ଓଡ଼ିଶା ଓ ଫକୀର ମୋହନ ଲାଗି ସ୍ବତନ୍ତ୍ର ସଚିବ ପ୍ରଶାନ୍ତ କୁମାର ରଥ, ଖଲ୍ଲିକୋଟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଲାଗି ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା, ଗଙ୍ଗାଧର ମେ‌ହେର ବିଶ୍ବବିଦ୍ୟାଳୟ ଲାଗି ଅତିରିକ୍ତ ସଚିବ ରମାକାନ୍ତ ନାୟକ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଦାୟିତ୍ବରେ ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ରହିଛନ୍ତି।

ସମ୍ବନ୍ଧିତ ଖବର