ଭୁବନେଶ୍ବର: ବ୍ୟାପୁଛି ନିର୍ଯାତନା ନିଆଁ, ଜଳି ଚାଲିଛନ୍ତି ନାରୀ । ଜିଲ୍ଲାରୁ ଜିଲ୍ଲା ଡେଉଁଛି ନିଆଁ ଜଳିପୋଡି ଜୀବନ ହାରୁଛନ୍ତି ନାରୀ । କେବେ ଛାତ୍ରୀ ତ କେବେ ନାବାଳିକା ତ ପୁଣି କେବେ ଯୁବତୀ । ନିଆଁରେ ଜୀଅନ୍ତା ଜଳୁଛନ୍ତି ଜଣେ ପରେ ଜଣେ ନାରୀ । ହେଲେ କାହିଁକି ଏ ଆତ୍ମଦାହ ? କାହିଁକି ବ୍ୟାପୁଛି ଏ ଘଟଣା ? ଓଡିଶାରେ କେବେ ଥମିବ ଏ ସବୁ କାଣ୍ଡ ? ଏଭଳି ଘଟଣା ଆଉ କେତେ ଶୁଣିବ କାନ ? ବାଲେଶ୍ବର- ବଳଙ୍ଗା ପରେ ବଡ଼ପଦାର ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ପୁଣି ପୋଲିସ- ପ୍ରଶାସନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଚିହ୍ନ ଉଠିଛି ।

Advertisment

ବାଲେଶ୍ବରରେ ଜଳିଥିଲେ ଛାତ୍ରୀ

ଜୁଲାଇ ୧୨ ତାରିଖ ଶନିବାର । ସେ ଦିନ ସାରା ଓଡ଼ିଶା ପାଇଁ ଏକ କଳା ଦିନ । ବାଲେଶ୍ବରରୁ ଆସିଲା ବଡ଼ ଖବର । ନ୍ୟାୟ ନମିଳିବାରୁ ପ୍ରିନ୍ସପାଲଙ୍କ ଚାମ୍ବର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କଲେ ଏଫଏମ କଲେଜ ଛାତ୍ରୀ । ୧୨ ତାରିଖ ସଞ୍ଜରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଗଲା ଆଉ ୬୦ ଘଣ୍ଟାର ସଂଘର୍ଷ ପରେ ଶେଷରେ ୧୪ ତାରିଖ ରାତି ୧୧.୪୬ରେ ସେ ଆଖି ବୁଜିଦେଲେ ।

ବଳଙ୍ଗାରେ ଜଳିଥିଲେ ନାବାଳିକା

ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାର ଠିକ୍ ୫ ଦିନ ପରେ ଅର୍ଥାତ ୧୯ ତାରିଖରେ ପୁରୀ ବଳଙ୍ଗାରୁ ଆସିଲା ସେମିତି ଏକ ଜଳିଯିବା ଖବର । ଯେଉଁଠି ପ୍ରଥମେ କୁହାଗଲା କି ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ନଈପଠାକୁ ଟେକି ନେଇ ତାଙ୍କ ଉପରେ କିରାସିନ ଢାଳି ଦେଇଥିଲେ । ନାବାଳିକା ଜଳିଯିବା ପରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ଆଉ ସେଠାରେ ସେ ଜୀବନ ସଂଗ୍ରାମରେ ମୃତ୍ୟୁ ସହ ଲଢି ଲଢି ଗତ ୨ ତାରିଖରେ ଆଖିବୁଜିଥିଲେ । ବଳଙ୍ଗା ଘଟଣା ଏବେବି ରହସ୍ୟ ଘେରରେ ରହିଯାଇଛି । କେମିତି ଓ କିଏ ନିଆଁ ଲଗାଇଲା ତାହା ଏବେବି ରହସ୍ୟରେ…

ବଡ଼ପଦାରେ ପୁଣି ଜଳିଲେ ଛାତ୍ରୀ

ବାଲେଶ୍ବର, ପୁରୀ ପରେ ଏବେ କେନ୍ଦ୍ରାପଡାରେ ପୁଣି ଜଳିଗଲେ ଛାତ୍ରୀ । ଦେହରେ କିରାସିନି ଢାଳି ଜଳିଗଲେ । ଛାତ୍ରୀ ଜଣଙ୍କ ପଟ୍ଟାମୁଣ୍ଡାଇ ବଡ଼ପଦା ଅଞ୍ଚଳର ହୋଇଥିବା ବେଳେ ସେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିବା ସୂଚନା ମିଳିଛି । ତାଙ୍କ ପୁରୁଷ ବନ୍ଧୁଙ୍କ ବ୍ଲାକମେଲିଂ ଅସହ୍ୟ ହେବାରୁ ସେ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବାପା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୁରୁଷ ବନ୍ଧୁ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭିଡିଓ ପଠାଇ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ବାପା । ଯେଉଁଥିପାଇଁ ଛାତ୍ରୀ ନିଜକୁ ଜାଳି ଦେଇଥିବା ସୂଚନା ରହିଛି ।

ଅଧିକ ପଢନ୍ତୁ-

ଆଉ କେତେ ଜଳିବେ? ମାସେ ପୁରିନି; ଜଳିଗଲେଣି ୨ଯୁବତୀ, ଜଣେ ନାବାଳିକା

ତେବେ ସେ ବାଲେଶ୍ବର ହେଉ କି ବଳଙ୍ଗା, ଅବା ହେଉ ପଟ୍ଟାମୁଣ୍ଡାଇର ବଡ଼ପଦା ସବୁଠି ଅଛି ନିଆଁ… ସବୁଠି ଜଳିଛି ନାରୀଟିଏ… ସବୁଠି ନିର୍ଯାତନା କିନ୍ତୁ ଭିନ୍ନ ଢଙ୍ଗରେ । ହେଲେ କାହିଁକି ଏ ନିଆଁ ଯାତନା ? କେତେ ଦିନ ଏ ଆତ୍ମଦାହ ? ଆଉ କେତେଦିନ ଜଳୁଥିବ ନାରୀ ? କେବେ ଥମିବ ଏ ନିଆଁ ? କିଏ ଦେବ ଉତ୍ତର..