ଜେରା ପରେ ଛାଡିଲା ପୁୁଲିସ, ଥାନାରୁ ଗଲା ପରେ ଆତ୍ମଘୋଷିତ ପଞ୍ଜାବୀ ଡ୍ରାଇଭର ବାବା ଅନ୍ତର୍ଦ୍ଧାନ

ଟ୍ରକ ନିକଟରେ ଦିନ ରାତି ଲୋକଙ୍କ ଭିଡ଼

ଭଞ୍ଜନଗର: ଭଞ୍ଜନଗର ବ୍ଳକ୍ ଅଧୀନ କୁଲାଡରେ ଗତ ଦୁଇ ତିନି ଧରି ମନ୍ତୁରା ପାଣି ଓ ତେଲରେ ଅସାଧ୍ୟ ରୋଗ ଉପଶମ କରୁଥିବା ଟ୍ରକ୍ ଡ୍ରାଇଭର ପୁରଣ ସିଂ ବାବାକୁ ଗତକାଲି ପୁଲିସ୍ ଥାନାରେ ଅଟକ ରଖିଥିଲା। ଜେରା ପରେ କୁଲାଡ଼ର ଜଣେ ବ୍ୟକ୍ତିଙ୍କ ଜିମାରେ ଛାଡିଥିବା ବେଳେ ପୁରଣ ସିଂଙ୍କୁ ନେଇ ସେ କୁଆଡେ ଯାଇଛନ୍ତି ତାର କେହି ଟେର୍ ପାଇପାରୁ ନାହାନ୍ତି। ସେପଟେ ତାଙ୍କ ଟ୍ରକ ନିକଟରେ ଦିନରାତି ଲୋକମାନେ ଭିଡ଼ ଜମାଉଥିବା ବେଳେ ବାବାକୁ କିଛି ଲୋକ ନିଜ ଘରକୁ ନେଇ ପଳାଇବାରେ ଲାଗିଛନ୍ତି।

ଭଞ୍ଜନଗର ବ୍ଳକ୍ କୁଲାଡ ନିକଟ ହେଟା ପଲ୍ଲୀ ଗ୍ରାମରେ ପୁରଣ ସିଂ ରୋଗୀ ମାନଙ୍କୁ ମନ୍ତୁରା ତେଲ ଦେଉଥିବା ବେଳେ ସେହି ନିକଟରେ ତାଙ୍କର ଲୁହା ପଥର ବୋଝେଇ ଟ୍ରକ ରହିଥିଲା। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେହି ଟ୍ରକ୍ ନିକଟରେ ପୁରଣ ସିଂଙ୍କ ଫେରିବା ବାଟକୁ ଚାହିଁ ଶତାଧିକ ଲୋକ ଅପେକ୍ଷା କରି ରହିଥିଲେ। କିନ୍ତୁ ଶନିବାର ଭୋର୍ ସମୟରେ ଦେଖିଲା ବେଳକୁ ଟ୍ରକଟି ସେଠାରୁ ଭଞ୍ଜନଗର ଅଭିମୁଖେ ଆସି ପଢାଳ ଗ୍ରାମ ଛକରେ ଅଟକି ଥିବା ଦେଖିବାକୁ ମିଳିଥିଲା। ସେଠାରେ ଜଣେ ବ୍ୟକ୍ତି ତାଙ୍କ ଘରକୁ ତାଙ୍କୁ ନେଇଥିବା ବେଳେ ସେଠାରେ ମଧ୍ୟ ବହୁ ଲୋକ ଖବର ପାଇ ଜମା ହୋଇଥିଲେ। ସକାଳ ସମୟରେ ଜଣେ ବ୍ୟକ୍ତିଙ୍କ ସହ ବାବା କାରରେ କେଉଁ ଆଡେ ଯାଇଥିବା ସ୍ଥାନୀୟ ଲୋକ ଦେଖିଥିଲେ। ସେହି ସମୟରୁ ଅନେକ ଲୋକ ଟ୍ରକ ନିକଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି।

ପୁରଣ ସିଂକୁ ବେଲଗୁଣ୍ଠା,ବାଲପଦର ଆଦି ଅଞ୍ଚଳକୁ ଲୋକମାନେ ନିଜ ଗାଡି ବ୍ୟବସ୍ଥା କରି ନେଉଥିବା ଶୁଣିବାକୁ ମିଳୁଥିବା ବେଳେ ପ୍ରକୃତରେ ପୁରଣ ସିଂ କେଉଁଠାରେ ଅଛନ୍ତି ତାର ଉତ୍ତର କାହା ପାଖରେ ନାହିଁ। ଦୀର୍ଘ ବର୍ଷର ଅସାଧ୍ୟ ରୋଗ ଭଲ ହେଉଥିବା ଖବର ପ୍ରଚାରିତ ହେବା ପରେ ପଞ୍ଜାବୀ ଡ୍ରାଇଭର ବାବାଙ୍କ କ୍ରେଜ୍ ବହୁ ଗୁଣା ବଢିଯାଇଛି। କଳ ବଳ କୌଶଳରେ ବାବାଙ୍କୁ ନିଜ ଘରକୁ ନେଇ ନିଜ ସମସ୍ୟା ଜଣାଇବା ପାଇଁ ଲୋକ ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗୀତା ଚାଲିଥିବା ଶୁଣିବାକୁ ମିଳୁଛି। ପୁଲିସ୍ ଗତକାଲି ପୁରଣ ସିଂକୁ ଥାନାକୁ ନେଇ ଯାଇଥିବାରୁ ପୁଣି ଖବର ପାଇ ନେଇଯିବା ଭୟରେ ଲୋକ ମାନେ ଲୁଚା ଛପାରେ ତାଙ୍କୁ ନେବା ଆଣିବା କରୁଛନ୍ତି। ସତରେ ରୋଗ ଭଲ ହେଉଛି ନା ନାହିଁ ଏହାର ସତ୍ୟତା ସଂର୍ପକରେ କେହି ପ୍ରମାଣ ପାଇନଥିଲେ ମଧ୍ୟ ପୁରଣ ସିଂଙ୍କୁ ସେମାନଙ୍କ ରୋଗ ସମସ୍ୟା ସଂର୍ପକରେ ଗୁହାରି କରିବା ପାଇଁ ଆକୁଳ ହୋଇପଡୁଛନ୍ତି। ତେବେ ହଠାତ ଉଭା ହୋଇଥିବା ଚମତ୍କାରୀ ବାବାଙ୍କ ଘଟଣା ପ୍ରତିଦିନ ରୋଚକ ହୋଇ ଚାଲିଥିବା ବେଳେ ଆଗାମୀ ଦିନରେ ଲୋକଙ୍କ କଣ ଆଭିମୁଖ୍ୟ ରହୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର