ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ ‌ଶ୍ରେଣୀ, ସୁରତ ସୂତାକଳ ଶ୍ରମିକ ସାଜିଥିଲେ ଡାକ୍ତର

କ୍ଲିନିକ୍ ଉପରେ ଚଢ଼ଉ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଜଗନ୍ନାଥପ୍ରସାଦ : ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ ‌ଶ୍ରେଣୀ। ଦିନେ ସୁରତରେ ସୂତାକଳରେ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଅଧିକ ରୋଜଗାର ଆଶାରେ ନିଜକୁ ଡାକ୍ତର ପରିଚୟ ଦେଇ ବେଆଇନ୍ ଭାବେ କ୍ଲିନିକ୍ ଚଳାଉଥିଲେ। ଶେଷରେ ନକଲି ଡାକ୍ତରଙ୍କ ଅସଲି କାରନାମା ପଦାରେ ପଡ଼ିବା ପରେ ସେ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡ଼ା ଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗାଁ ଛକରେ ବେଆଇନ୍ ଭାବେ କ୍ଲିନିକ୍ ଖୋଲି ରୋଗୀ ସେବା ଅଭିଯୋଗରେ ଛାମୁସାହିର ଲାଲବାହାଦୁର ନାୟକ (୪୪)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନାନୁସା‌ରେ, ଲାଲବାହାଦୁର କୁମ୍ପାପଡ଼ା ଗ୍ରାମ ଛକରେ ‘ଶାଶ୍ବତ ସେବା କେନ୍ଦ୍ର’ ନାମରେ ଗୋଟିଏ କ୍ଲିନିକ୍ ଖୋଲିଥିଲେ। ପ୍ରତିଦିନ ଏଠାରେ ରୋଗୀଙ୍କ ଭିଡ଼ ଜମୁଥିଲା। ବିଶେଷକରି ଆଖପାଖ ଗ୍ରାମାଞ୍ଚଳର ଲୋକେ ଛୋଟ ଓ ବଡ଼ ରୋଗର ଚିକିତ୍ସା ପାଇଁ ଏଠାକୁ ଆସୁଥିଲେ। ଏହାର ସୁଯୋଗ ‌ନେଇ ଲାଲବାହାଦୁର କ୍ଲିନିକ୍‌ରେ କିଛି ଖଟ ପକାଇ ଇନଡୋର୍ ୱାର୍ଡ଼ ଖୋଲି ପ୍ରଚୁର ଅର୍ଥ ଆଦାୟ କରିଆସୁଥିଲେ।

ରୋଗୀ ଶୋଷଣ ନେଇ ଅଭିଯୋଗ ଆସିବା ପରେ ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ସଦଳବଳ ଏହି କ୍ଲିନିକ୍ ଉପରେ ଚଢ଼ଉ କରି ଲାଲବାହାଦୁରଙ୍କୁ ଥାନାକୁ ଆଣିଥିଲେ। ଯାଞ୍ଚ ବେଳେ ତାଙ୍କର କୌଣସି ଡାକ୍ତରୀ ଯୋଗ୍ୟତା ନଥିବା ଜଣାପଡ଼ିଥିଲା। ତାଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ହୋଇଥିବା ବେଳେ ପୂର୍ବରୁ ସେ ସୁରତ ସୂତାକଳରେ ଜଣେ ଶ୍ରମିକ ଭାବେ କାମ କରୁଥିବା ଯାଞ୍ଚ ବେଳେ ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ଲାଲବାହାଦୁର କହିଥିଲେ, ତାଙ୍କ ବାପା କ୍ଲିନିକ୍‌ରେ ରୋଗୀ ଚିକିତ୍ସା ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ଏହି କ୍ଲିନିକ୍‌ରେ ୩ ବର୍ଷ ହେଲା ରୋଗୀଙ୍କୁ ଏଲୋପ୍ୟାଥିକ୍ ଚିକିତ୍ସା କରୁଥିଲେ। କିନ୍ତୁ ଏଥିପାଇଁ ତାଙ୍କର ଯୋଗ୍ୟତା ନଥିବା ଜେରା ବେଳେ ମାନିଥିଲେ। ପରେ ପୁଲିସ ଅଧରାତ୍ରୀରେ କ୍ଲିନିକକୁ ଯାଇ ସମସ୍ତ ଆନୁଷଙ୍ଗିକ ଯନ୍ତ୍ରପାତି ସମେତ ବିଭିନ୍ନ କମ୍ପାନିର ପ୍ରାୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଔଷଧ ଓ ଇଞ୍ଜେକ୍ସନ୍ ଜବତ କରିଥିଲା। ଏନେଇ କେସ୍ ନମ୍ବର ୨୯୮ ଦଫା ୪୧୯, ୪୨୦, ମେଡିକାଲ ଡିଗ୍ରୀ ଆଇନ ଅନୁସାରେ ମାମଲା ରୁଜୁ ସହ ଲାଲବାହାଦୁରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆଉ କିଏ ସଂପୃକ୍ତ, କ୍ଲିନିକ୍‌କୁ ଏତେ ପରିମାଣର ଔଷଧ କେଉଁଠୁ ଆସୁଥିଲା ଓ ତାହା ଅସଲି ନା ନକଲି ଏଭଳି ବିଭିନ୍ନ ଦିଗରୁ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଛି।

ସମ୍ବନ୍ଧିତ ଖବର