ମାଛଚାଷ କରି ସ୍ୱାବଲମ୍ବୀ ଛବିରାଣୀ

ବଡ଼ବିଲ : କରୋନା ଛଡ଼ାଇ ନେଇଥିଲା ଜୀବିକା। ଏବେ ବାୟୋଫ୍ଲକ୍‌ ପ୍ରଣାଳୀରେ ମାଛଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଯୋଡ଼ା ବ୍ଲକ୍‌ କାରାଖେଣ୍ଡରା ପଞ୍ଚାୟତ ହାୟରପୁର ଗ୍ରାମର ଛବିରାଣୀ ନାଗ।

ହାୟାରପୁର ଗ୍ରାମର ଲାଲମୋହନ ନାଗଙ୍କ ପରିବାର କହିଥିଲେ ପତ୍ନୀ ଛବିରାଣୀ ଓ ତିନିଝିଅ। ବଡ଼ଝିଅ ମଧୁସ୍ମିତା ସ୍ନାତକୋତ୍ତର ପଢ଼ୁଥିବା ବେଳେ ମଝିଆ ଝିଅ ସୁସ୍ମିତା ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ। ସାନଝିଅ ତନୁଶ୍ରୀ ଚତୁର୍ଥ ଶ୍ରେଣୀରେ ପଢ଼ୁଛି। କରୋନା ସମୟରେ ଲାଲମୋହନଙ୍କ କାମଧନ୍ଦା ବନ୍ଦ ହୋଇଯିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଲା। ଘରଭଡ଼ା, ତିନିଛୁଆଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାରେ ସମସ୍ୟା ହେଲା। ଶେଷରେ ସେ ବଡ଼ବିଲ ସହର ଛାଡ଼ି ନିଜ ଗ୍ରାମ ହାୟାରପୁରକୁ ଚାଲି ଯାଇଥିଲେ। ଲାଲମୋହନଙ୍କ ପତ୍ନୀ ମଧୁସ୍ମିତା ୟୁଟ୍ୟୁବ୍‌ରେ ମାଛଚାଷ ନେଇ ଭିଡିଓ ଦେଖିବା ପରେ ସେ ମାଛଚାଷ କରିବା ପାଇଁ ଆଗ୍ରହ ଦେଖାଇଥିଲେ। ହେଲେ ଏଥିପାଇଁ ଅବଶ୍ୟକ ଟଙ୍କା ତାଙ୍କ ପାଖରେ ନଥିଲା। ତଥାପି ସେ ବାରିପଦାସ୍ଥିତ ଜଣେ ମାଛଚାଷୀଙ୍କ ସହ ଯୋଗାଯୋଗ କରି ତାଙ୍କଠାରୁ ସବୁକିଛି ବୁଝିବା ପରେ ଏକ ବ୍ୟାଙ୍କରୁ ଦେଢ଼ଲକ୍ଷ ଟଙ୍କା ଋଣ ଆଣି ବର୍ଷ ତଳେ ବାୟୋଫ୍ଲକ୍‌ ପ୍ରଣାଳୀରେ ମାଛଚାଷ ଆରମ୍ଭ କରିଥିଲେ। ବଡ଼ବଡ଼ କୁଣ୍ଡରେ ମାଛ ଯାଆଁଳ ଛାଡ଼ିଥିଲେ।

ଏବେ ଛବିରାଣୀ ମାଗୁର, କଉ ସମେତ ବିଭିନ୍ନ ପ୍ରକାର ଦେଶୀମାଛ ଉତ୍ପାଦନ କରି ପରିବାର ପ୍ରତିପୋଷଣ କରିବା ସହ ୩ ଝିଅଙ୍କୁ ପାଠ ପଢ଼ାଉଛନ୍ତି। ବଡ଼ଝିଅ ମଧୁସ୍ମିତା ହାୟାରପୁର ଗ୍ରାମର ପ୍ରଥମ ଛାତ୍ରୀ ଭାବେ ଏବେ ଭୁବନେଶ୍ବରର ଏକ କଲେଜରେ ସ୍ନାତକୋତ୍ତର ପଢ଼ୁଛନ୍ତି। ମାଛଚାଷ କରି ସ୍ବାବଲମ୍ବୀ ହୋଇଥିବା ଛବିରାଣୀ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧିତ ଖବର