ନିର୍ବନ୍ଧ ସରିଥିଲା, ଦୁଇ ମାସ ପରେ ସାଜିଥାନ୍ତେ କନିଆ; ସେଲଫି ନିଶା ନେଇଗଲା ଜୀବନ

ସୁନ୍ଦରଗଡ଼ : ବିପଦପୂର୍ଣ୍ଣ ଭାବେ ମୋବାଇଲରେ ସେଲଫି ନେବା କେତେ ଯେ ଭୟଙ୍କର ହୋଇପାରେ ତାହା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଅନୁପମା ପ୍ରଜାପତିଙ୍କ ସହ ଘଟିଯାଇଥିବା ଘଟଣାରୁ ସହଜରେ ଅନୁମାନ କରିହେବ । ବନ୍ଧୁମାନଙ୍କ ସହ ନଦୀ ଦାଢ଼ରେ ସେଲଫି ନେବାବେଳେ ପାଣିରେ ପଡି ଚାଲି ଯାଇଛି ତାଙ୍କ ଜୀବନ । ଆଉ ଅଧାରେ ରହିଯାଇଛି ସବୁ ସ୍ୱପ୍ନ ।

ଅନୁପମା ପ୍ରଜାପତି । ଆଉ ମାତ୍ର ମାସ କେଇଟା ପରେ ବାହା ହୋଇ ଶାଶୁ ଘରକୁ ଯାଇଥାନ୍ତେ । ହେଲେ ବିପଦପୂର୍ଣ୍ଣ ଭାବେ ସେଲଫି ନେବା ତାଙ୍କ ପାଇଁ କାଳ ହୋଇଛି । ବନ୍ଧୁଙ୍କ ସହ ନଦୀ ଦାଢ଼ରେ ସେଲଫି ଉଠାଇବାର ନିଶାରେ ନଦୀର ପ୍ରଖର ସ୍ରୋତରେ ପଡି ଚାଲି ଯାଇଛି ତାଙ୍କ ଜୀବନ ।  ଦୁଇ ମାସ ତଳେ ତାଙ୍କର ନିର୍ବନ୍ଧ ହୋଇଥିଲା ଓ ଆସନ୍ତା ମେ ୪ ତାରିଖରେ  ବିବାହ ହୋଇଥାନ୍ତା । ହେଲେ ବାହାବେଦୀକୁ ଯିବା ପୂର୍ବରୁ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ରାଜଗାଙ୍ଗପୁରର ଅନୁପମା ବାପା, ମାଆ, ପରିବାରର ଅନ୍ୟ ସଦସ୍ୟ ଏବଂ ସାଙ୍ଗସାଥୀଙ୍କ ସହ ବଣଭୋଜି କରିବାକୁ ସୁନ୍ଦରଗଡର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଘୋଘର ଇବ୍ ନଦୀର କନାକୁଣ୍ଡକୁ ଯାଇଥିଲେ ।  ପରିବାରର ଅନ୍ୟ ସଦସ୍ୟମାନେ ରୋଷେଇ କରିବାରେ ବ୍ୟସ୍ତ ଥିବାବେଳେ ସେ ଅନ୍ୟ ଦୁଇ ବନ୍ଧୁଙ୍କ ସହ ନଦୀ ଦାଢ଼କୁ ଯାଇ ପ୍ରାକୃତିକ ସୌନ୍ଦଯ୍ୟ ଭରା ପାହାଡ ଓ ନଦୀ ପାଣି ସହ ନିଜର ସେଲଫି ମୋବାଇଲରେ ନେଉଥିଲେ । ହେଲେ ଫଟୋ ଉଠାରେ ଏତେ ଜୋରରେ ମାତି ଯାଇଥିଲେ ଯେ ସେ ନଦୀ ଦାଢ଼ରେ ଥିବା କଥାକୁ ବୋଧହୁଏ ଭୁଲିଯାଇଥିଲେ । ଆଉ ଅସାବଧାନତା ଯୋଗୁଁ ତଳକୁ ଖସି ପଡି ଗଭୀର ପାଣିରେ ଭାସି  ଯାଇଥିଲେ । ଦେଖୁ ଦେଖୁ ନିଖୋଜ ହୋଇଯାଇଥିଲେ ଅନୁପମା । ଦୀର୍ଘ ୨୨ ଘଂଟା ଖୋଜାଖୋଜି ପରେ ତାଙ୍କୁ ମୃତ ଦେହକୁ ଉଦ୍ଧାର କରିଛନ୍ତି ୬ ଜଣିଆ ଉଦ୍ଧାରକାରୀ ଦଳ ।

ସମ୍ବନ୍ଧିତ ଖବର