ସେଲ୍ଫି ହେଲା କାଳ: ମହାନଦୀରେ ଭାସିଗଲେ ୨ ଛାତ୍ର, ଦିନକରେ ଭାସିଗଲେ ୪
କଟକ/ବାରଙ୍ଗ/କଣାସ/ଗଡ଼ିଶାଗୋଦା: ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି। ବିପଜ୍ଜନକ ସେଲ୍ଫି ନେବା ବେଳେ ଦୁଇ ଛାତ୍ର ଓ ଦେବୀଦ୍ବାର ଘାଟରେ ଗାଧୋଉଥିବା ବେଳେ ଜଣେ ଯୁବକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ପୁରୀ ଜିଲ୍ଲା ଦେଇ ବହିଥିବା ରାଜୁଆ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି। ସମସ୍ତ ୪ଜଣଙ୍କୁ ଖୋଜା ଚାଲିଥିଲେ ହେଁ ଖବର ଲେଖା ହେବା ବେଳକୁ କାହାରି ପତ୍ତା ମିଳିନଥିଲା। ସୂଚନାନୁଯାୟୀ, ନରାଜ ସିଦ୍ଧେଶ୍ୱର ମୁଣ୍ଡିଆ ମହାନଦୀ କୂଳ ପଥର ଉପରେ ବସି କଟକ ଷ୍ଟିୱାର୍ଟ ସାଇନ୍ସ କଲେଜର ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଦେବବ୍ରତ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ ସେଲ୍ଫି ନେଉଥିଲେ। ଗୋଡ଼ ଖସିଯିବାରୁ ଦୁହେଁ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ବାରଙ୍ଗ ଅଗ୍ନିଶମ ବିଭାଗର ବୁଡ଼ାଳିମାନେ ଘଟଣାସ୍ଥଳରେ ପହଁଚି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ପାଇନଥିଲେ। ସେମାନଙ୍କ ସହ ଯାଇଥିବା ଅନ୍ୟ ୬ବନ୍ଧୁଙ୍କୁ ଗୋଡ଼ିସାହି ଫାଣ୍ଡି ପୁଲିସ ପଚରାଉଚରା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ଏକ ଘଟଣାକ୍ରମେ, ଗୟଳବାଙ୍କର ହିମାଂଶୁ ମହାପାତ୍ର ଓରଫ୍ ଲିଟୁ ଦେବୀଦ୍ବାର ଘାଟରେ ଗାଧୋଉଥିବା ବେଳେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜିଖୋଜି ଚଳାଇଥିଲେ ମଧ୍ୟ ଭରା ନଈରେ ଖୋଜିବା ସମ୍ଭବ ହୋଇନଥିଲା। ଲିଟୁଙ୍କ ପ୍ୟାଣ୍ଟ, ସାର୍ଟ ଓ ଚପଲ କୂଳରୁ ଉଦ୍ଧାର ହୋଇଛି। ସେହିପରି ପୁରୀ ଜିଲ୍ଲା ଦେଇ ବହିଥିବା ରାଜୁଆ ନଦୀକୁ କଣାସ ଥାନା ଅନ୍ତର୍ଗତ ଗଡ଼ବଡ଼ପୁଟ ଗ୍ରାମର ସୂର୍ଯ୍ୟକାନ୍ତି ବଳିୟାରସିଂହ ଆଜି ଦିନ ପ୍ରାୟ ୧୦ଟା ବେଳେ ଡେଇଁ ପଡ଼ିଥିଲେ। ସୂର୍ଯ୍ୟକାନ୍ତି ମନ୍ଦାରବସ୍ଥ ନିକଟ ଚଉଦମୌଜା ବିଦ୍ୟୁତ୍ ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ। ସବୁଦିନ ପରି ଆଜି ସକାଳ ପ୍ରାୟ ୧୦ଟାରେ ସେ କଲେଜ ଯିବା ପାଇଁ ଘରୁ ବାହାରିଥିଲେ। କଲେଜ ଯିବା ବାଟରେ ବଡ଼ପୁଟ ରାଜୁଆ ବ୍ରିଜ୍ ଉପରେ ସାଇକେଲ୍ ରଖି ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ କିଛି ବ୍ୟକ୍ତି ନଦୀରେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ଦମକଳବାହିନୀ ଘଟଣାସ୍ଥାଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲା।