କୋଟପାଡ଼: ପର୍ଯ୍ୟଟକଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୁଲମୀ ଜଳପ୍ରପାତ। ଏଠାରେ ଭାସି ଯାଇଛନ୍ତି ଦୁଇ ନାବାଳକ ପର୍ଯ୍ୟଟକ। ଆଜି ସକାଳେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ମିଳିଥିଲା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି। ମୃତକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଆଲୋକରାଜ ସୁନା (୧୫ବର୍ଷ) ବୋଲି ଜଣାପଡ଼ିଛି। ନିଖୋଜ ପର୍ଯ୍ୟଟକ କିରଣ ମିର୍ଗାନ। ଦୁଇ ପର୍ଯ୍ୟଟକ ସେଲ୍ଫି ନେବା ସମୟରେ ଏଭଳି ଅଘଟଣ ଘଟିଛି।
ରବିବାର ଦିନ କୋଷାଗୁମୁଡ଼ା ବ୍ଲକର ୫ଜଣ ପର୍ଯ୍ୟଟକ ଗୁଲମୀ ଜଳପ୍ରପାତ ବୁଲିବାକୁ ଆସିଥିଲେ। ତେବେ କିଛି ଦିନ ହେଲା ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କୋଲାବ ନଦୀର ଜଳ ଗୁଲମୀ ଜଳପ୍ରପାତରେ ପ୍ରବାହିତ ହେଉଥିଲା। ତେଣୁ ଜଳପ୍ରପାତର ଜଳସ୍ତର ସାମାନ୍ୟ ଠାରୁ ଅଧିକ ରହିଥିଲା। ଏହି ବିଷୟରେ ପର୍ଯ୍ୟଟକମାନେ ଆଦୌ ଅବଗତ ନଥିଲେ। ଜଳପ୍ରପାତର ଅତି ନିକଟକୁ ଯାଇ ଫଟୋ ଉଠାଉଥିଲେ। ଦୁର୍ଭାଗ୍ୟବଶତଃ ଆଲୋକ ଓ କିରଣଙ୍କ ଗୋଡ଼ ଖସିଯାଇଥିଲା। ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସି ଯାଇଥିଲେ। ଅନ୍ୟମାନେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ।
ଖବରପାଇ କୋଟପାଡ଼ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ତେବେ ସଂଧ୍ୟା ହୋଇଯିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଥିଲା। ଆଜି ସକାଳେ ଓଡ୍ରାଫ୍ ଟିମ୍ ଖୋଜାଖୋଜି କରିବାରୁ ଆଲୋକଙ୍କ ମୃତଦେହ ମିଳିଥିଲା। ସଂଧ୍ୟା ସୁଦ୍ଧା କିରଣ ମିର୍ଗାନଙ୍କ ପତ୍ତା ମିଳିନାହିଁ। ସୂଚନାଯୋଗ୍ୟ, ଗୁଲମୀ ଜଳପ୍ରପାତରେ ବାରମ୍ବାର ଅଘଟଣ ଘଟୁଛି। ପୂର୍ବରୁ ଗତ ମାର୍ଚ୍ଚ ୧୬ରେ ଛତିଶଗଡ଼ରୁ ଆସିଥିବା ଦୁଇ ଯୁବକ ଭାସି ଯାଇଥିଲେ। ୩୦ରୁ ଅଧିକା ଯୁବକଯୁବତୀ ଏହି ଜଳପ୍ରପାତରେ ମୃତ୍ୟୁବରଣ କରିସାରିଲେଣି। ତଥାପି ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୁରକ୍ଷା ଲାଗି ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।