ହାତୀ ସହ ସେଲ୍‌ଫି ବେଳେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଯୁବକ

ଖୁଣ୍ଟା/କୁଆମରା : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଅଧୀନ କୁଆମରା-ଦାମାସାହି-ଜୟପୁର ରାସ୍ତାରେ ଆଜି ହାତୀପଲ ଆତଙ୍କ ଖେଳାଇ ଦେଇଥିଲେ। ତେବେ ହାତୀ ଉତ୍ପାତ କରୁଥିବାବେଳେ ଏକ ଦନ୍ତା ସହ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିବା ଜଣେ ଯୁବକ ତଳେ ପଡ଼ିଯିବା ଓ ଅଳ୍ପକେ ହାତୀ ପାଦ ତଳୁ ବର୍ତ୍ତିଯିବାର ଭିଡିଓ ଭାଇରାଲ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଶୁକ୍ରବାର ସକାଳେ ଜୟପୁର ଗ୍ରାମର ଜିତେନ ନାୟକଙ୍କ ଘର ପଛପଟେ ଥିବା ଏକ ବୁଦାଳିଆ ସ୍ଥାନରେ ଏକ ୬ଟିକିଆ ହାତୀ ପଲ ଥିବା ଗାଁଲୋକେ ଦେଖିବାକୁ ପାଇ ଉଦଳା ବନବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଉଦଳା ରେଞ୍ଜର ଅଜୟ କୁମାର ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲକୁ ଜନବସତିରୁ ଘଉଡ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ଖବର ପ୍ରଚାରିତ ହେବାପରେ ହାତୀ ଦେଖିବା ପାଇଁ ଘଟଣାସ୍ଥଳ ଲୋକାରଣ୍ୟ ହୋଇ ଯାଇଥିଲା। ଇତିମଧ୍ୟରେ ଜଣେ ଯୁବକ ହାତୀ ସହିତ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିବାବେଳେ ଗୋଟିଏ ଦନ୍ତା ତାଙ୍କୁ ଗୋଡ଼ାଇଥିଲା। ଯୁବକ ଜଣକ ପ୍ରାଣଭୟରେ ଦୌଡ଼ିଥିଲେ। ସେ ଝୁଣ୍ଟିପଡ଼ି ତଳେ ପଡ଼ିଯିବାରୁ ହାତୀଟି ଅଳ୍ପକେ ତାଙ୍କ କଡ଼ ଦେଇ ପଳାଇଥିଲା। ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଯୁବକ ଜଣକ ଦୂରରେ ଥିବା ନିଜ ବାଇକ୍‌ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଉକ୍ତ ଯୁବକଙ୍କ ପରିଚୟ ମିଳିପାରନି। ସେପଟେ ହାତୀପଲ ଜନବସତି ମୁହଁ ହେବାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଶେଷ ଖବର ସୁଦ୍ଧା ହାତୀପଲ ଜୟପୁର ଗ୍ରାମ ନିକଟସ୍ଥ ଏକ ଶାଳ ଜଙ୍ଗଲରେ ଅଛନ୍ତି।

ସମ୍ବନ୍ଧିତ ଖବର