ରାଉରକେଲା/କୁଆରମୁଣ୍ଡା: କଠିନ ପରିଶ୍ରମ ଯୋଗୁଁ ସଫଳତାର ଗୋଟିଏ ପରେ ଗୋଟିଏ ଶିଡ଼ି ଚଢ଼ି ଚାଲିଛନ୍ତି। ଏମୁ ପକ୍ଷୀ, କୁକୁଡ଼ା ଓ ଘୁଷୁରୀ ପାଳନ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି। ଏମିତି ଜଣେ ସଫଳ ମହିଳା ଚାଷୀ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡାର ସେଲିନା ଖାଲ୍ଖୋ। ପୂର୍ବରୁ ସେ ନିଜେ ସବୁ କିଛି କରୁଥିଲେ। କାମ ବଢ଼ିବାରୁ ଅନ୍ୟ ୩ ଜଣ ମହିଳାଙ୍କୁ ତାଙ୍କ ଫାର୍ମରେ ନିଯୁକ୍ତି ଦେଇଛନ୍ତି। ଏହି କାମରେ ସ୍ବାମୀ ରାଜେଶ ମଧ୍ୟ ତାଙ୍କୁ ସହାୟତା କରୁଛନ୍ତି। ଏମୁ, କୁକୁଡ଼ା ଓ ଘୁଷୁରି ପାଳନରୁ ବର୍ଷକୁ ଅଢ଼େଇରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ସ୍ବୟଂସିଦ୍ଧା ସେଲିନା ଏବେ ସ୍ଥାନୀୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
ଏମୁ ପକ୍ଷୀ, କୁକୁଡ଼ା ଚାଷରୁ ଲକ୍ଷାଧିକ ଆୟ
ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର
ସ୍ବାମୀଙ୍କ ଉପରେ ନିର୍ଭର ନ କରି ନିଜେ କିଛି ରୋଜଗାର କରିବାକୁ ନିଷ୍ପତ୍ତି ନେଇଥିଲେ ସେଲିନା। ଛତୁ, ଧୂପକାଠି, ପାମ୍ପଡ଼, ମାଛଚାଷ ପ୍ରାୟ ଅଧିକାଂଶ ମହିଳା କରୁଛନ୍ତି। ଏସବୁ ନ କରି ସେ ଏମୁ ପକ୍ଷୀ ପାଳନ କରିବାକୁ ମନସ୍ଥ କରିଥିଲେ। ୨୦୨୦ରେ ସ୍ବାମୀ ରାଜେଶ ଗୁଜୁରାଟରୁ ୧୪ଟି ଏମୁ ପକ୍ଷୀ କିଣି ଆଣିଥିଲେ। ସେଗୁଡ଼ିକ ବଢ଼ିବା ପରେ ପ୍ରତ୍ୟେକ ଏମୁ ପକ୍ଷୀକୁ ୧୨ରୁ ୧୪ ହଜାର ଟଙ୍କାରେ ଭୁବନେଶ୍ବର, ଛତିଶଗଡ଼, ଝାଡ଼ଖଣ୍ଡରେ ବିକୁଛନ୍ତି। ଏମୁ ଅଣ୍ଡା ଗୋଟାକର ଦାମ ୨ ହଜାର। ଅଣ୍ଡାରୁ ଛୁଆ ବାହାର କରିବା ଲାଗି ସରକାର ତାଙ୍କୁ ରିହାତି ମୂଲ୍ୟରେ ହ୍ୟାଚିଂ ମେସିନ୍ ଯୋଗାଇ ଦେଇଛନ୍ତି। ନଷ୍ଟ ହୋଇ ଯାଉଥିବା ଅଣ୍ଡାଗୁଡ଼ିକୁ ଫୋପାଡ଼ି ନ ଦେଇ ସାଇତି ରଖୁଛନ୍ତି। ସେହି ଅଣ୍ଡାଗୁଡ଼ିକ ଉପରେ ତାଙ୍କ ସ୍ବାମୀ ସୂକ୍ଷ୍ମ ଖୋଦେଇ ଚିତ୍ର ଆଙ୍କୁଛନ୍ତି। ଯାହାକୁ ବଜାରରେ ବିକିବାକୁ ଲକ୍ଷ୍ୟ ରଖିଛନ୍ତି ସେଲିନା। ସେପଟେ ଦେଶୀ କୁକୁଡ଼ା ବିଶେଷ କରି ‘ସୋନାଲି’ ପ୍ରଜାତି କୁକୁଡ଼ାର ବେଶ୍ ଚାହିଦା ଥିବାରୁ ସେଥିରୁ ମଧ୍ୟ ଭଲ ଦି’ ପଇସା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ କାମ କରୁଥିବା ଆଶ୍ରିତା ଏକ୍କା ଓ ଜ୍ୟୋତି ବାଖ୍ଲା କହିଛନ୍ତି, ସେଲିନାଙ୍କ ଫାର୍ମରେ କାମ କରି ଆମେ ଦି’ ପଇସା ରୋଜଗାର କରିପାରୁଛୁ। ତାଙ୍କ ଭଳି ପରିଶ୍ରମ କରି ଆଗାମୀ ଦିନରେ ଆମେ ମଧ୍ୟ ନିଜ କୁକୁଡ଼ା ଫାର୍ମ କରିବାକୁ ଲକ୍ଷ୍ୟ ରଖିଛୁ। ସେଲିନା କହିଛନ୍ତି, ପରିଶ୍ରମ ଫଳ କେବେ ବୃଥା ଯାଏନି। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଦରକାର। ଯାହାକୁ ସେ କାମରେ କରି ଦେଖେଇଛନ୍ତି। ମହିଳାମାନେ ପୁରୁଷମାନଙ୍କଠୁ କୌଣସି ଗୁଣରେ କମ୍ ନୁହନ୍ତି। ତେଣୁ ଯେଉଁ କାମ କରନ୍ତୁ, ତାକୁ ଠିକ୍ ଢଙ୍ଗରେ କରନ୍ତୁ। ସଫଳତା ଅବଶ୍ୟମ୍ଭାବୀ।