ପ୍ରତିପୋଷଣ ପାଇଁ ସକ୍ଷମ ନହେବାରୁ ମାସକର ଶିଶୁକନ୍ୟାକୁ ବିକ୍ରି!

ଉଦ୍ଧାର ପରେ ‘ସା’କୁ ଗଲା ଶିଶୁ

ରେଢ଼ାଖୋଲ/ସମ୍ବଲପୁର : ପ୍ରତିପୋଷଣ ପାଇଁ ସକ୍ଷମ ନ ହେବାରୁ ମାସକର ଶିଶୁକନ୍ୟାକୁ ମା’ ବିକ୍ରି କରିଦେବା ଘଟଣା ସମଗ୍ର ସମ୍ବଲପୁର ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ରେଢ଼ାଖୋଲ ଚାଇଲ୍‌ଡ ଲାଇନ୍‌ ସବ୍‌ସେଣ୍ଟରରେ ଅଭିଯୋଗ ହେବା ମାତ୍ରେ ତ୍ବରିତ ପଦକ୍ଷେପ ନିଆଯାଇ ମଙ୍ଗଳବାର ରାତି ଅଢ଼େଇଟା ସୁଦ୍ଧା ଶିଶୁକନ୍ୟାକୁ ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଉ ବୁଧବାର ସକାଳୁ ଏହି ଶିଶୁକନ୍ୟାକୁ ସିଡବ୍ଲ୍ୟୁସିକୁ ଅଣାଯିବା ପରେ ସ୍ବତନ୍ତ୍ର ପୋଷ୍ୟସନ୍ତାନ କେନ୍ଦ୍ର(ସା)କୁ ପଠାଯାଇଛି।

ସୂଚନା ଅନୁସାରେ, ଚାରମାଳ ଥାନା ଅଞ୍ଚଳରେ ରହୁଥିବା ଏହି ମହିଳା ଅନୁଗୁଳ ଜିଲ୍ଲା ବୋଇଣ୍ଡାରେ ଦ୍ବିତୀୟ ବିବାହ କରିଥିଲେ। ମାତ୍ର ଏହି ଶିଶୁକନ୍ୟା ଗର୍ଭସ୍ଥ ଥିବା ଅବସ୍ଥାରେ ହିଁ ସ୍ବାମୀ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଫଳରେ ମହିଳା ଜଣଙ୍କ ଚାରମାଳସ୍ଥିତ ଘରକୁ ଫେରି ମୂଲ ଲାଗି ଚଳୁଥିଲେ। ଏହା ପୂର୍ବରୁ ମଧ୍ୟ ସେ ଜଣଙ୍କୁ ବିବାହ କରିଥିବା ସମୟରେ ତାଙ୍କର ଏକ ଶିଶୁପୁତ୍ର ରହିଛି। ଗତ ସେପ୍ଟେମ୍ବର ୧୯ ତାରିଖରେ ମହିଳାଜଣଙ୍କ ପ୍ରସବ ପାଇଁ ଚାରମାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ମାତ୍ର ମୂଲ ଲାଗି ୨ ଶିଶୁଙ୍କୁ ପ୍ରତିପୋଷଣ କରିବା ପାଇଁ ସକ୍ଷମ ହୋଇନଥିଲେ। ସେପଟେ ରେଢ଼ାଖୋଲ ଥାନା ଅଞ୍ଚଳରେ ରହୁଥିବା ଏକ ଦମ୍ପତିଙ୍କ ବିବାହର ଦୀର୍ଘବର୍ଷ ପରେ ମଧ୍ୟ ସନ୍ତାନ ନହେବାରୁ ସେମାନେ ଚିନ୍ତିତ ଥିଲେ। ତେଣୁ ଉକ୍ତ ଦମ୍ପତି ମହିଳାଙ୍କଠାରୁ ଗତ ୧୨ ତାରିଖରେ ଶିଶୁକନ୍ୟାକୁ ନେଇଥିଲେ। ଏହି ସମୟରେ ସେମାନେ ନୋଟାରି ପାଖରେ ସତ୍ୟପାଠ କରାଇବା ସହ ସାକ୍ଷ୍ୟଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ପୋଷ୍ୟଭାବେ ଗ୍ରହଣ କରିଥିଲେ ବୋଲି ଜଣାପଡ଼ିିଛି।

ସମ୍ବନ୍ଧିତ ଖବର