ବଡ଼ଗାଁ : ଦିଲ୍ଲୀ ବୁଲାଇନେବା ବାହାନାରେ ସମ୍ପର୍କୀୟା ମାଉସୀ ଝିଆରୀକୁ ସେଠାରେ ୨୦ ହଜାର ଟଙ୍କାରେ ବିକ୍ରି କରିଦେବା ଓ ପ୍ରାୟ ଅଢ଼େଇ ମାସ ଧରି ଚାକରାଣି ଭାବେ ଖଟିବା ପରେ ଯୁବତୀ ଜଣକ କୌଶଳରେ ଖସି ଘରକୁ ଫେରିବା ଘଟଣା ବଡ଼ଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦିଲ୍ଲୀରୁ ଖସିଆସିଥିବା ଯୁବତୀ ବୈଶାଳୀ (୧୯)ଙ୍କ ବାପା ଗଡ଼ଗଡ଼ବାହାଲ ଗାଁର ସମ୍ଭାରୁ ମାଝି   ବଡ଼ଗାଁ ଥାନାରେ ଏତଲା ଦେବା ପରେ ପୁଲିସ୍‌ ବୈଶାଳୀଙ୍କ ବୟାନ ରେକର୍ଡ଼ କରି ଅନୁସନ୍ଧାନ ଆରମ୍ଭ କରିଛି।

Advertisment

ଏତଲାରୁ ପ୍ରକାଶ ଯେ ପୂର୍ବରୁ ଦିଲ୍ଲୀରେ ରହୁଥିବା ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଜମାମାଲ ଗ୍ରାମର ହେମଲତା ପ୍ରଧାନ ସମ୍ପର୍କୀୟା ଝିଆରୀ ବୈଶାଳୀକୁ ନିଜ ଘରକୁ ଡାକିଥିଲା। ମାଉସୀ କଥାରେ ବୈଶାଳୀ ଗତ ନଭେମ୍ବର ୮ ତାରିଖରେ ଜାମମାଲସ୍ଥିତ ହେମଲତାଙ୍କ ଘରେ ପହଞ୍ଚିଥିଲା। ଦିଲ୍ଲୀରେ ରହୁଥିବା ଭଉଣୀ-ଭିଣୋଇ ଘରେ ରହି ଯାଇଥିବା ତାଙ୍କ ଆଧାର କାର୍ଡ଼ ଓ ଭୋଟର କାର୍ଡ଼  ଆଣିବାକୁ ହେମଲତା ଦିଲ୍ଲୀ ଯିବା ବାହାନା କରି ସାଥିରେ ବୈଶାଳୀଙ୍କୁ ବୁଲେଇନେବାକୁ  କହିଥିଲେ। ମାଉସୀଙ୍କୁ ବିଶ୍ୱାସ କରି ବୈଶାଳୀ ତାଙ୍କ ସହ ଦିଲ୍ଲୀ ଯାଇଥିଲେ। ଦୁଇ ଦିନ ପରେ ସେମାନେ ହେମଲତାଙ୍କ ଭଉଣୀ ଆଓ୍ଵାଲୀ ଏକ୍କାଙ୍କ ଘରେ ପହଞ୍ଚିଥିଲେ। ବୈଶାଳୀ ଘରକୁ ଫେରିବାକୁ ଚାହିଁବାରୁ ଟ୍ରେନ୍‌ ଟିକେଟ୍‌ ପାଇଁ ଟଙ୍କା ନାହିଁ ବୋଲି ହେମଲତା ବାହାନା କରି ବୈଶାଳୀଙ୍କୁ କିଛି ଦିନ ପାଇଁ ଜଣେ ବ୍ୟକ୍ତିଙ୍କ ଘରେ ମାସେ କାମ କରିବାକୁ ହେମଲତା ପ୍ରବର୍ତ୍ତାଇଥିଲା। କହିଥିଲା, ସେଠାରୁ ପ୍ରାପ୍ୟ ମିଳିବା ପରେ ସେମାନେ ଘରକୁ ଫେରିଆସିବେ।

ମାଉସୀ କଥାରେ ବୈଶାଳୀ ଏକ ପରିବାରରେ ନଭେମ୍ବର ୧୩ରୁ କାମ ଆରମ୍ଭ କରିଥିଲା। ମାସେ ପରେ ସେ ପ୍ରାପ୍ୟ ମାଗିବାରୁ ଗୃହକର୍ତ୍ତା କହିଥିଲେ ଯେ ହେମଲତା ତାଙ୍କୁ ବର୍ଷେ ପାଇଁ ବିକ୍ରି କରି ଦେଇଛି। ସେ ବାବଦରେ ସେ ୨୦ ହଜାର ଟଙ୍କା ନେଇଥିବା ବେଳେ ଆଉ ୧୫ ହଜାର ଟଙ୍କା ନେବାକୁ କହିଛି। ଷଡ଼ଯନ୍ତ୍ର କରି ହେମଲତା ତାଙ୍କୁ ବିକ୍ରି କରିଥିବା ଜାଣିବା ପରେ ସେ ହେମଲତାକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ମାତ୍ର ହେମଲତା ଧରା ଦେଇନଥିଲା। ଅଗତ୍ୟା କୌଣସି ଉପାୟ ନପାଇ  ବୈଶାଳୀ ସେଠାରେ କାମ କରିବାକୁ ବାଧ୍ୟ ହୋଇଥିଲେ। ଶେଷରେ ବୈଶାଳୀ ଗତ ୧୬ ତାରିଖ ସକାଳେ ସାହସ ଜୁଟାଇ ମାଲିକ ଘରୁ ଖସି ଆସିଥିଲେ। ଟେମ୍ପୋରେ ସେ ରେଳ ଷ୍ଟେସନ୍‌ରେ ପହଞ୍ଚିବା ପରେ ସେଠାରୁ ଟ୍ରେନ୍‌ରେ ଆସି ଗତ ୧୮ ତାରିଖରେ ରାଜଗାଙ୍ଗପୁରରେ ପହଞ୍ଚିଥିଲେ।