ଭୁବନେଶ୍ବର: ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ରେ ରାଜ୍ୟ ସରକାର ୨୬୫୫ କୋଟି ଟଙ୍କାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଟପ୍‌ଟ୍ରାକ୍ ହାଇ-ଟେକ୍ ପିସିବି ପ୍ରାଇଭେଟ୍ ଲିମିଟେଡ୍‌ ସହ ୧୦୦୫ କୋଟି ଟଙ୍କାର ଏବଂ ସାନ୍‌କୋଡ୍‌ଟେକ୍‌ ସହ ୧୬୫୦ କୋଟି ଟଙ୍କାର ରାଜିନାମା ହୋଇଛି। ସାନ୍‌କୋଡ୍‌ଟେକ୍ ତରଫରୁ ସିଲିକନ୍ କନେକ୍ଟ, ଇନାରୀ ଆମେରଟ୍ରୋନ୍‌ ବର୍ହାଡ୍‌ ଓ ଏପିଆଇଆର୍‌ସି ପେନାଙ୍ଗ ସହଯୋଗିତା‌ରେ ପ୍ରକଳ୍ପ ସ୍ଥାପନ କରାଯିବ। ଓଡ଼ିଶାକୁ ସେମି କଣ୍ଡକ୍ଟର ଓ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପସନ୍ଦର ବିଶ୍ବସ୍ତରୀୟସ୍ଥଳରେ ପରିଣତ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। 

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଆର୍‌ଆଇଆର୍‌ ପାୱାର, ସିକ୍‌ସେମ୍‌, ୱେଷ୍ଟର୍ଣ୍ଣ ଡିଜିଟାଲ୍, ୩ଡିଜିସିଙ୍କ୍‌, ସେମିଏକ୍ସପୋଜ୍‌, ଏନ୍‌ଏକ୍ସପି ସେମିକଣ୍ଡକ୍ଟର୍ସ, ସିମେନ୍ସ ଇଣ୍ଡିଆ, ଡିକ୍ସନ୍ ଟେକ୍, ରେନେସାସ୍‌ ଗ୍ଲୋବାଲ୍, ସାନ୍‌କୋଡ୍‌ଟେକ୍ ଭଳି ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଭେଟି ଆଲୋଚନା କରିଥିଲେ। ଆଲୋଚନାରୁ ଜଣାପଡ଼ିଛି ଯେ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ନିର୍ମାଣକାରୀ ଡିକ୍‌ସନ୍ ଟେକ୍ ଓଡ଼ିଶା ଆସିବାକୁ ଯୋଜନା ରଖିଛି। କମ୍ପାନି ଏଠାରେ ଏକ ଡିସ୍‌ପ୍ଲେ ଫ୍ୟାବ୍ କାରଖାନା ବସାଇବାକୁ ଚାହୁଛି। କମ୍ପାନିର ଏକ ପ୍ରତିନିଧି ଦଳ ଖୁବ୍‌ଶୀଘ୍ର ଓଡ଼ିଶା ଗସ୍ତରେ ଆସି ଇଏସ୍‌ଡିଏମ୍ ନୀତି‌ରେ ରହିଥିବା ସୁବିଧାଗୁଡ଼ିକ ବିଷୟରେ ଆଲୋଚନା କରିବେ। ୱେଷ୍ଟର୍ଣ୍ଣ ଡିଜିଟାଲ୍‌ ପକ୍ଷରୁ ଓଡ଼ିଶ‌ାରେ ୨୦୦ ଏକର ଜମିରେ ଏକ ସେମିକଣ୍ଡକ୍ଟର ପାର୍କ ସ୍ଥାପନ କରିବା ଏବଂ ଅତ୍ୟାଧୁନିକ ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବା ଯୋଜନା ରଖିଛି। ଦକ୍ଷତା ତାଲିମ ପାଇଁ ଏହା ଆଇଆଇଟି ଭୁବନେଶ୍ବର ଓ ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟର୍‌ ସହ ସହଯୋଗିତା କରିବାକୁ ଚାହୁଛି। 

ଓଡ଼ିଶା ଆସିବ ଡିକ୍‌ସନ୍ ଟେକ୍
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶିଳ୍ପ ପ୍ରତିନିଧି

ସିମେନ୍ସ ଇଣ୍ଡିଆର ରୁଚିର୍‌ ଦୀକ୍ଷିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ରାଜ୍ୟର ସରକାରୀ କଲେଜଗୁଡ଼ିକ ପାଇଁ ଡିଜାଇନ୍‌ ଓ ମାନୁଫାକ୍‌ଚରିଂ ପାଠ୍ୟକ୍ରମ ପ୍ରଦାନ କରିବାର ଯୋଜନା ବିଷୟରେ ଅବଗତ କରିଛନ୍ତି। ୱାର୍ଲଡ୍ ସ୍କିଲ୍‌ ସେଣ୍ଟର ସହଯୋଗରେ ଭୁବନେଶ୍ବରରେ ନିଜର ପରବର୍ତ୍ତୀ କ୍ୟାମ୍ପସ୍‌ ସ୍ଥାପନ କରିବାକୁ ସିମେନ୍ସ ଚାହୁଛି। ସେହିପରି, ଏନ୍‌ଏକ୍ସପି ସେମିକଣ୍ଡକ୍ଟର୍ସର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ନେଦରଲ୍ୟାଣ୍ଡ୍‌ସରେ ଥିବା କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ସ୍ବାଗତ କରିଛନ୍ତି। କମ୍ପାନି ଆଇଆଇଟି ଭୁବନେଶ୍ବର ସହ ସହଯୋଗିତା ଏବଂ ଭୁବନେଶ୍ବରରେ ଏକ ତାଲିମ କେନ୍ଦ୍ର ଖୋଲିବାକୁ ଯୋଜନା ରଖିଛି। 

 ସେମି ଏକ୍ସପୋଜ୍‌ର ସିଇଓ ଅଜିତ ମନୋଜା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟିଥିଲେ। ଚଳିତ ବର୍ଷ ଡିସେମ୍ବରରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସେମିକନ୍ ଜାପାନରେ ଯୋଗ ଦେବାକୁ ସେ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ନଭେମ୍ବରରେ ଓଡ଼ିଶା ଆସିବାକୁ ମୁଖ୍ୟ ସଚିବ ମନୋଜ ଆହୁଜା, ଶ୍ରୀ ମନୋଜାଙ୍କୁ ନିମନ୍ତ୍ରଣ କରିଛନ୍ତି। ୩ଡିଜିଏସ୍‌ର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ କମ୍ପାନି ପ୍ରକଳ୍ପର ଶିଳାନ୍ୟାସ କରାଯିବ ଏବଂ ୨୪ ମାସ ଭିତରେ ଉତ୍ପାଦନ ଆରମ୍ଭ ହେବ। ସିକ୍‌ସେମ୍ ପକ୍ଷରୁ ଇନ୍‌ଫୋ ଭ୍ୟାଲିରେ ଏହାର ସିଲିକନ୍ କାର୍ବାଇଡ୍‌ ପ୍ରକଳ୍ପର ଶିଳାନ୍ୟାସ ଆସନ୍ତା ମାସ ମଧ୍ୟ ଭାଗରେ ହେବ ବୋଲି ସୂଚନା ଦିଆଯାଇଛି। ଓଡ଼ିଶାରେ ଘରୋଇ ସରକାରୀ ସହଭାଗିତାରେ ବାସଗୃହ ପ୍ରକଳ୍ପ ସ୍ଥାପନ କରିବାକୁ ମଧ୍ୟ କମ୍ପାନି ପ୍ରସ୍ତାବ ଦେଇଛି। ଆର୍‌ଆଇଆର୍‌ ପାୱାରର ପ୍ରତିନିଧି ଜଣାଇଛନ୍ତି ଯେ ଏହାର ‘କ୍ଲିନ୍ ରୁମ୍‌’ ଚଳିତ ମାସ ସୁଦ୍ଧା ପ୍ରସ୍ତୁତ ହୋଇଯିବ।