ରାକେଶ ରୋଷନ ମହାନ୍ତି
ବ୍ରହ୍ମପୁର: ସେମିକଣ୍ଡକ୍ଟର୍‌ ଶିଳ୍ପକୁ ଗୁରୁତ୍ବ ଦେଉଛନ୍ତି ସରକାର। ଓଡ଼ିଶାକୁ ୨ଟି ନୂଆ କମ୍ପାନି ବି ଆସୁଛନ୍ତି। ଦିଲ୍ଲୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏଥିଲାଗି ପ୍ରସ୍ତାବ ଧରି ଫେରିଛନ୍ତି। ହେଲେ ଓଡ଼ିଶାରୁ ଗୋଟିଏ କମ୍ପାନି ସେମିକଣ୍ଡକ୍ଟର୍‌ ଶିଳ୍ପ କରିବାକୁ ଚୁକ୍ତି କରି ଛୁ’ ମାରିଛି। ଓଡ଼ିଶା ମାଟିରେ ନ କରି ପଡ଼ୋଶୀ ଆନ୍ଧ୍ରରେ ଉକ୍ତ ଶିଳ୍ପ କରିବାକୁ କମ୍ପାନି ଏମ୍‌ଓୟୁ କରିଥିବା ଜଣାପଡ଼ିଛି। ‘ୟୁକେ’ର କମ୍ପାନି ଏସ୍‌ଆର୍‌ଏଏମ୍‌ ଆଣ୍ଡ୍‌ ଏମ୍‌ଆର୍‌ଏଏମ୍‌ ଓଡ଼ିଶା‌ରେ ସେମିକଣ୍ଡକ୍ଟର୍‌ ଶିଳ୍ପ କରିଥାନ୍ତା। ୨୦୨୩ ମାର୍ଚ୍ଚ ୨୯ ତାରିଖରେ ଏଥିନେଇ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷରିତ  ହୋଇଥିଲା। ବିଭିନ୍ନ ସ୍ଥାନ ବୁଲିବା ପରେ କମ୍ପାନି ଗଞ୍ଜାମଜିଲ୍ଲା ଛତ୍ରପୁରକୁ ଏଥିଲାଗି ବାଛିଥିଲା। ୧୬ ନମ୍ବର ଜାତୀୟ ରାଜପଥ, ଗୋପାଳପୁର ବନ୍ଦର ଓ ରଙ୍ଗେଇଲୁଣ୍ଡା ବିମାନବନ୍ଦର ପାଖରେ ଥିବା ଯୋଗୁଁ କମ୍ପାନି ଏଠାରେ ମନ ବଳାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ହଜାର କୋଟି କମ୍ପାନି ନିବେଶ କରିବ ବୋଲି କହିଥିଲା। କମ୍ପାନିର ତତ୍କାଳୀନ ଅଧ୍ୟକ୍ଷ ଗୁରୁଜୀ କୁମାରନ୍ ସ୍ବାମୀ ଏନେଇ ଜିଲ୍ଲା ପ୍ରଶାସନ ସହ ବାରମ୍ବାର ବୈଠକ କରି ନିଷ୍ପତ୍ତି ନେଇଥିଲା। ଏପରିକି ତତ୍କାଳୀନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ କମ୍ପାନିକୁ ସମସ୍ତ ପ୍ରଶାସନିକ ସହଯୋଗ ଯୋଗାଇଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପରେ କମ୍ପାନିର ପ୍ରକଳ୍ପ ନିର୍ଦ୍ଦେଶକ ଦେବଦତ୍ତ ସିଂହଦେଓ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କମ୍ପାନିକୁ ସେତେବେଳେ ୮୦୦ ଏକର ଜମି ଦେବାକୁ ପ୍ରଶାସନ ଜମି ଚିହ୍ନଟ କରିଥିଲା। ପ୍ରଚୁର ପାଣିର ସୁବିଧା ଥିବାରୁ କମ୍ପାନି ୨୦୨୫ ସୁଦ୍ଧା ଏଠାରେ କାମ ଆରମ୍ଭ କରିବ ବୋଲି କହିଥିଲା। ଏହାଦ୍ବାରା ୫ହଜାର ନିଯୁକ୍ତି ସୃଷ୍ଟି ହୋଇଥାନ୍ତା।

Advertisment

୨୦୨୩ରେ ଓଡ଼ିଶା ସରକାରଙ୍କ ସହ ଚୁକ୍ତି
୨୦୨୫ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏମ୍‌ଓୟୁ
ଛତ୍ରପୁରରେ କରିଥାନ୍ତା ୩୦ହଜାର କୋଟି ନିବେଶ

ପରେ କମ୍ପାନି ସଂପ୍ରସାରଣ ହୋଇ ୨୦୨୭ ସୁଦ୍ଧା ୨ଲକ୍ଷ କୋଟି ନିବେଶ କରିବ ବୋଲି କଥା ଦେଇଥିଲା। ସେମିକଣ୍ଡକ୍ଟର ଶିଳ୍ପ ଭାବେ କମ୍ପାନି ଚିପ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲା। ଟିଭି ସେଟ୍‌, ସ୍ମାର୍ଟଫୋନ୍‌, ଲାପଟପ୍‌, ଏସି ଓ ଏଟିଏମ୍‌ରେ ଏହା ବ୍ୟବହାର ହୋଇଥାନ୍ତା। ଉକ୍ତ କମ୍ପାନି ଓଡ଼ିଶାରେ ସ୍ବପ୍ନ ଦେଖାଇ ଏବେ ଆନ୍ଧ୍ରପ୍ରଦେଶ ପଳାଇଛି। ଛତ୍ରପୁରରେ କମ୍ପାନି ଖୋଲିବା ବଦଳରେ ନିକଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ସଂସ୍ଥା ଏମ୍‌ଓୟୁ କରିଥିବା ଜଣାପଡ଼ିଛି। ସଂସ୍ଥା ଅମରାବତୀରେ ସେମିକଣ୍ଡକ୍ଟର୍‌ ଶିଳ୍ପ କରିବାକୁ ଯାଉଛି। ୨୫ହଜାର କୋଟି ଏଥିଲାଗି ସେ ନିବେଶ କରିବ ବୋଲି ସୂଚନା ମିଳିଛି। ମେ ଓ ଜୁନ୍ ମାସରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କମ୍ପାନିର ବରିଷ୍ଠ ଅଧିକାରୀ ଆଲୋଚନା କରିଥି‌ଲେ। ବୈଠକରେ ଆନ୍ଧ୍ର ଅର୍ଥ ମନ୍ତ୍ରୀ ପି. କେଶବ, ବିଧାୟକ ଭି. ପ୍ରଶାନ୍ତି ରେଡ୍ଡି, ସାଂସଦ ଭି. ପ୍ରଭାକର ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ। କମ୍ପାନି ଓଡ଼ିଶାରେ ଯାହା ପ୍ରତିଶ୍ରୁତି ଦେଇଥିଲା ସମାନ ଯୋଜନା ଆନ୍ଧ୍ରରେ କରିବାକୁ ଯାଉଛି।