ନଭେମ୍ବର ୧୯ ବଲାଙ୍ଗୀର ଦିନ୍ ପାଇଁ ଆଲୋଚନାଚକ୍ର: ‘ଇତିହାସକୁ ମନ୍ଥନ କରିବା ସଙ୍ଗେ ଭବିଷ୍ୟତ ଗଢ଼ିବାକୁ ପ୍ରେରଣା ଯୋଗାଇବ’

ବଲାଙ୍ଗୀର : ଆଗାମୀ ନଭେମ୍ବର ୧୯ଦିନ ବଲାଙ୍ଗୀର ଦିନ୍ ପାଳନକୁ ସଫଳ କରିବା ପାଇଁ ବଲାଙ୍ଗୀରର ବହୁ ଯୁବ ସଂଗଠନ, କଳାକାର ଓ ବୁଦ୍ଧିଜୀବୀ ଅଣ୍ଟା ଭିଡ଼ି ଉଦ୍ୟମ ଆରମ୍ଭ କରିଥିବା ବେଳେ ବଲାଙ୍ଗୀର ଦିନ୍ ପାଳନର ଐତିହାସିକ ପୃଷ୍ଠଭୂମିକୁ ନେଇ ଏକ ଆଲୋଚକ୍ର ସ୍ଥାନୀୟ ପିପି ଏକାଡେମି ସ୍କୁଲର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ତତ୍କାଳୀନ ପାଟଣା ଦେଶୀୟ ରାଜ୍ୟ ସ୍ୱାଧୀନତା ପରେ ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା। ଡିସେମ୍ବର ୧ ତାରିଖ ୧୯୪୮ ମସିହାରେ କଳାହାଣ୍ଡି, ପାଟଣା ଓ ସୋନପୁର ରାଜ୍ୟ ଓଡ଼ିଶାରେ ମିଶ୍ରଣ ହୋଇଥିଲେ ମଧ୍ୟ ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ ୭ଟି ରାଜସ୍ୱ ଜିଲ୍ଲା ଗଠନ କରାଯାଇ ଓଡ଼ିଶାରେ ଆନୁଷ୍ଠାନିକ ଭାବେ ମିଶ୍ରଣ କରାଯାଇଥିଲା। ଫଳରେ ୧୯୩୬ ମସିହାରେ ଭାଷାଭିତ୍ତିରେ ଗଠିତ ଓଡ଼ିଶାର ୬ଟି ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇ ୧୩ରେ ପହଞ୍ଚିଥିଲା। ତେଣୁ ନଭେମ୍ବର ୧ ତାରିଖକୁ ବଲାଙ୍ଗୀର ଦିନ୍‌ ଭାବେ ପାଳନ କଲେ ଅତୀତର ଇତିହାସ ରୋମନ୍ଥନ ହେବା ସଙ୍ଗେ ଜିଲ୍ଲାର ବିକାଶ ପାଇଁ ଯୁବ ପିଢ଼ି ଉତ୍ସାହିତ ହେବେ ବୋଲି ବକ୍ତାମାନେ ଓ ଉପସ୍ଥିତ ବୁଦ୍ଧଜୀବୀ ମତ ପ୍ରକାଶ କରିଥିଲେ।

ଜୟକୃଷ୍ଣ ମିଶ୍ରଙ୍କ ସଂଯୋଜନା ଓ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପ୍ରଫେସର ମଧୁସୂଦନ ପତି ଯୋଗଦାନ କରି ବଲାଙ୍ଗୀରର ସୁନେଲୀ ଭବିଷ୍ୟତ ପାଇଁ ଯୁବ ପିଢ଼ିଙ୍କ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବାଦ ବିବାଦକୁ ଭୁଲିଯାଇ ମିଳିତ ଭାବେ ଉଦ୍ୟମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ ରାଜ୍ୟ ମିଶ୍ରଣର ତଥ୍ୟ ଉପସ୍ଥାପନ କରି ବଲାଙ୍ଗୀର ଦିନ୍ ଉତ୍ସବକୁ ସଫଳ କରିବାକୁ ମତ ପ୍ରକାଶ କରିଥିଲେ। ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ବିକାଶ ପାଇଁ ବଲାଙ୍ଗୀର ଜନତାଙ୍କ ଆନ୍ତରିକ ଉଦ୍ୟମକୁ ପ୍ରସଂଶା କରିଥିଲେ ଓ ଏକତା ହିଁ ଆମକୁ ସଫଳତା ଆଣିଦେବ ବୋଲି କହିଥିଲେ। ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର ନଭେମ୍ବର ୧ ତାରିଖକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ। ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପାଟଣା ରାଜ୍ୟ ଓ ସମୃଦ୍ଧିଶାଳୀ ଜନପଦର ଗରିମାମୟ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ।

କୋଶଲବାଦୀ ନେତା ମନୋରଞ୍ଜନ ସାହୁ, ଆଡଭୋକେଟ ଭବାନୀଶଙ୍କର ଶତପଥୀ, ଚାଷୀନେତା ଅରୁଣ ମିଶ୍ର, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଭାକର ମିଶ୍ର, ଗୋପଭୂଷଣ ନାଥ, କବୟିତ୍ରୀ ନିରୁପମା ଶତପଥୀ, ପଶ୍ଚିମ ଓଡ଼ିଶା ଯୁବମଞ୍ଚର ଅଭିଷେକ ଦାଶ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବଲାଙ୍ଗୀର ଦିନ୍‌ର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ ଧନ୍ୟବାଦ ଦେବା ସଙ୍ଗେ ବଲାଙ୍ଗୀର ଦିନ୍ ଉତ୍ସବକୁ ସଫଳ କରିବା ପାଇଁ ନିବେଦନ କରିଥିଲେ। ବଲାଙ୍ଗୀର ଦିନ୍ ଉତ୍ସବ କମିଟିର ସହ ଅଧ୍ୟକ୍ଷ ବିନୋଦ କାଲସାଏ, ସାଂସ୍କୃତିକ କମିଟିର ଅର୍ଜୁନ ସାହୁ, ପ୍ରଶାନ୍ତ ମହାକୁର, ଅଭିନେତା କପିଳେଶ୍ୱର ଖମାରୀ, ମନୋରଞ୍ଜନ ପୁରୋହିତ, ବ୍ୟଙ୍ଗକବି ରସରାଜ ହୃଷୀକେଶ ପୁରୋହିତ, ରତନ ମହାରଣା, ଶଶିଭୂଷଣ ପୁରୋହିତ, ଗୋପଭୂଷଣ ନାଥ,  ନାଗରିକ କମିଟି ସଭାପତି ବିକ୍ରମାନନ୍ଦ ବହିଦାର, ସାମ୍ବାଦିକ ସନ୍ଦିପ କୁଅଁର, ଭୂମିକାର ଚିତ୍ତରଞ୍ଜନ ଦାଶ, ରାଜୀବ ଲୋଚନ ଆଚାର୍ଯ୍ୟ, ବ୍ରହ୍ମାନନ୍ଦ ବନଛୋର, ଲଳିତ ପୁଝାରୀ, ନବଘନ ଦାଶ, ଗୋପାଳ ପଧାନ, ପ୍ରକାଶ ନେପାକ, ବିଧୁଭୂଷଣ ତ୍ରିପାଠୀ, ରିଲୁ ରଥ, ସିନୁ ସୁନ୍ଦର ପାଢୀ, ଶିରୀଶ ଚନ୍ଦ୍ର ହୋତା, ଜ୍ୟୋତ୍ସ୍ନା ଦାଶ, ବର୍ଷା ସିଂହ, ନିକିତା ପଟ୍ଟନାୟକ, ଶ୍ୱେତା ପଣ୍ଡା, ରାମ ନାରାୟଣ ଦାସ, ନବଘନ ଦାସ, ବୀରେନ୍ଦ୍ର ପାଣ୍ଡେ ଓ ବିକାଶ ସା ପ୍ରମୁଖ ବହୁ ସ୍ୱେଚ୍ଛାସବୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର