ବାଲେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି, କୋଲକାତା ଓ ସ୍ନାତକୋତ୍ତର ଭାଷାସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଫକୀରମୋହନ ସେନାପତି ଓ ମୁନ୍‌ସୀ ପ୍ରେମଚାନ୍ଦ: ଏକ ତୁଳନାତ୍ମକ ଅଧ୍ୟୟନ ଶୀର୍ଷକ ଆଲୋଚନାଚକ୍ର ଗୁରୁବାର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ସନ୍ତୋଷ ତ୍ରିପାଠୀ, ସାହିତ୍ୟ ଅକାଦେମି, କୋଲକାତାର ଆଞ୍ଚଳିକ ସଚିବ ଡ. ଦେବେନ୍ଦ୍ର ଦେବେଶ, ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ, ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ସଦସ୍ୟ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଭାଷାସାହିତ୍ୟ ବିଭାଗୀୟ ମୁଖ୍ୟ ଡ. ଦେବାଶିଷ ପାତ୍ର ମିଳିତ ଭାବେ ଉଦ୍‌ଘାଟନ କରିଥିଲେ।

Advertisment

କୁଳପତି ପ୍ରଫେସର ତ୍ରିପାଠୀ ବିଶ୍ୱରେ ମହାନ ବ୍ୟକ୍ତିବିଶେଷଙ୍କ ଚିନ୍ତାଧାରା ଏକପ୍ରକାର ବା ସମାନ ଧରଣର ହୋଇଥାଏ ବୋଲି ପ୍ରକାଶ କରି ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ପାଠଚକ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଡ. ଦେବେଶ କହିଥିଲେ, ଆସନ୍ତା ୩୧ ଜୁଲାଇରେ ଭାରତର ପ୍ରସିଦ୍ଧ ସାହିତ୍ୟିକ ପ୍ରେମଚାନ୍ଦଙ୍କ ଜନ୍ମତିଥି ଥିବା ହେତୁ ଏହି କର୍ମଶାଳାର ଯଥାର୍ଥତା ରହିଛି। ପ୍ରଫେସର ବିଜୟ କୁମାର ଶତପଥୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ ଉଭୟ ଫକୀରମୋହନ ସେନାପତି ଓ ମୁନ୍‌ସୀ ପ୍ରେମଚାନ୍ଦଙ୍କ ଲେଖାରେ ମାନବତାବାଦୀ, ସାମାଜିକ ବାସ୍ତବତାବାଦୀ ଚିନ୍ତାଧାରାକୁ ପ୍ରାଧାନ୍ୟ ଦିଆଯାଇଥିବା ମତ ଦେଇଥିଲେ। ଫକୀରମୋହନ ଓ ପ୍ରେମଚାନ୍ଦଙ୍କ ବ୍ୟକ୍ତିଗତ ଜୀବନ ଓ ସାରସ୍ୱତ ଜୀବନରେ କିପରି ସାମଞ୍ଜସ୍ୟ ରହିଛି, ସେ ସମ୍ପର୍କରେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଚର୍ଚ୍ଚା କରିଥିଲେ।

ଏହି ଅବସରରେ ସଂଘମିତ୍ରା ଭଞ୍ଜଙ୍କ ଦ୍ବାରା ସଂକଳିତ ଓ ସଂପାଦିତ ପୁସ୍ତକ ‘ଓଡ଼ିଆ ଗାନ୍ଧୀକଥା, ଡ. ଅରବିନ୍ଦ ଗିରିଙ୍କ ଦ୍ବାରା ରଚିତ ‘ବାଞ୍ଛାନିଧି ମହାନ୍ତିଙ୍କ ନିର୍ବାଚିତ କବିତା, ଡ. ଦେବାଶିଷ ପାତ୍ରଙ୍କ ଦ୍ବାରା ସଂପାଦିତ ‘ଓଡ଼ିଶାର ଆଦିବାସୀ ଲୋକଗୀତ ସଞ୍ଚୟନ’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପ୍ରଫେସର ବବ୍ରୁବାହନ ମହାପାତ୍ର, ସଂଘମିତ୍ରା ଭଞ୍ଜ, ଦୀପ୍ତିପ୍ରକାଶ ମହାପାତ୍ର, କବିତା ପାତ୍ର, ମହମ୍ମଦ ସରିବ, ସୌମ୍ୟା ସଂଗୀତା ସାହୁ ପ୍ରବନ୍ଧ ପାଠ କରିଥିଲେ। ପରେ ସାହିତ୍ୟ ଚର୍ଚ୍ଚା ଅଧିବେଶନ ହୋଇଥିଲା।