ପଶ୍ଚିମ ଓଡ଼ିଶା ବିକାଶରେ ସହାୟକ ହେବ ବିଶ୍ୱବିଦ୍ୟାଳୟ: ଧର୍ମେନ୍ଦ୍ର

ରାଜେନ୍ଦ୍ରଭିଆନ୍ସ ଆନୁକୂଲ୍ୟରେ ଆଲୋଚନାଚକ୍ର

ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ଅରୁଣ

ବଲାଙ୍ଗୀର : ଗୁଣାତ୍ମକ ଶିକ୍ଷା ପ୍ରଦାନରେ ରାଜେନ୍ଦ୍ର କଲେଜର ଅନ୍ୟତମ ଭୂମିକା ରହିଆସିଛି। ରାଜେନ୍ଦ୍ରଭିଆନ୍ସଙ୍କ ପ୍ରତିବଦ୍ଧତା ହିଁ କଲେଜର ବିକାଶ ଧାରାକୁ ଆଗକୁ ନେଇଛି। ରାଜେନ୍ଦ୍ର କଲେଜ ପ୍ରଥମେ ମହାବିଦ୍ୟାଳୟ, ପରେ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଏବେ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ ହୋଇପାରିଛି। ଏହି ବିଶ୍ୱବିଦ୍ୟାଳୟକୁ ୟୁଜିସି ପକ୍ଷରୁ ମାନ୍ୟତା ଦିଆଯିବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହାକି ନିଶ୍ଚିତ ଭାବରେ ପଶ୍ଚିମ ଓଡ଼ିଶାର ବିକାଶ ତଥା ଅଂଚଳର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜେନ୍ଦ୍ର ଆଲୁମ୍ନି ‘ରାଜେନ୍ଦ୍ରଭିଆନ୍ସ’ ପକ୍ଷରୁ ଆୟୋଜିତ ‘କ୍ୱାଣ୍ଟିଟି, କ୍ୱାଲିଟି ଆଣ୍ଡ ଇକ୍ୱିଟି ଇନ୍ ହାୟର୍ ଏଜୁକେସନ’ ଶୀର୍ଷକ ଆଲୋଚନାଚକ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଭିଡିଓ ବାର୍ତ୍ତାରେ କହିଥିଲେ, ନୂତନ ଶିକ୍ଷାନୀତି କ୍ୱାଣ୍ଟିଟି, କ୍ୱାଲିଟି ଓ ଇକ୍ୱିଟିକୁ ଆଗ୍ରାଧିକାର ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟର ପରିକଳ୍ପନା କରିଛନ୍ତି ଏବଂ ଏହାର କେନ୍ଦ୍ରବିନ୍ଦୁ ଓଡ଼ିଶା ରହିଛି। ମାତ୍ର ପୂର୍ବୋଦୟର ସ୍ୱପ୍ନକୁ ସାକାର କରିବାକୁ ଯୁବପିଢ଼ିଙ୍କୁ ଗୁଣାତ୍ମକ ଶିକ୍ଷା ସହ ଉଚ୍ଚଶିକ୍ଷା ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରିବା ଜରୁରି ବୋଲି ସେ କହିଛନ୍ତି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି। ଆଗାମୀ ଦିନରେ ଅନେକ ରାସ୍ତା ଚାଲିବା ସଂକଳ୍ପରେ ଅଛି। ଏହି ଶିକ୍ଷା ମନ୍ଦିର ସଫଳତାର ଶୀର୍ଷରେ ପହଞ୍ଚିବା ସହ ବଲାଙ୍ଗୀର ଜିଲ୍ଲାର ବିକାଶରେ ଏଠାକାର ଛାତ୍ରଛାତ୍ରୀ ଅଂଶୀଦାର ହୁଅନ୍ତୁ। ଆଉ ଏଥିରେ ଆଲୁମ୍ନି ସଂଘର ବଡ଼ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କନଫରେନ୍ସ ହଲ୍‌ଠାରେ ଆୟୋଜିତ ଆଲୋଚନାଚକ୍ରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଭର୍ଚୁଆଲରେ ଯୋଗଦେଇ କହିଥିଲେ ଯେ ରାଜେନ୍ଦ୍ର କଲେଜ ଆଲୁମ୍ନି ଯାହା କରିବା କଥା ସେଥିରୁ ବହୁ ଆଗରେ ଅଛନ୍ତି। ଗୋଟିଏ ପ୍ଲାଟ୍‌ଫର୍ମରେ ସମସ୍ତଙ୍କୁ ଏକ କରିବାର ଏକ ନିଆରା ପ୍ରୟାସ ହୋଇଛି। ରାଜେନ୍ଦ୍ରଭିଆନ୍ସଙ୍କ ଭିତରେ ଅନେକ ଉତ୍ସାହ ଓ ଉଦ୍ଦୀପନା ରହିଛି। ହେଲେ ପ୍ରାୟତଃ ଆଲୁମ୍ନି ଏମିତି ଅଛନ୍ତି ଯେଉଁମାନେ ନିଜ ମନ ଭିତରେ କଲେଜ ପ୍ରତି ଆଗ୍ରହ ଥିଲେ ବି ବାହାରେ ପରିପ୍ରକାଶ କରନ୍ତି ନାହିଁ। ଏଣୁ ସବୁ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକ କରିବାକୁ ଏକ ଯୋଜନା ହେବା ଦରକାର। ନିକଟରେ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ୟୁନିଭରସିଟି ପାଇଁ ସବୁ ସହାୟତା ଦେବାକୁ ଘୋଷଣା କରିଥିଲେ। ତାଙ୍କ ଫୋକସ୍‌ରେ ଏହି ବିଶ୍ୱବିଦ୍ୟାଳୟ ରହିଛି। ଏଣୁ ବିଶ୍ୱବିଦ୍ୟାଳୟର ଉନ୍ନତିରେ କୌଣସି ସମସ୍ୟା ନାହିଁ। ଆଉ ଯାହା ସବୁ ସମସ୍ୟା ରହିଛି ତାହା ଆଲୋଚନା ମାଧ୍ୟମରେ ସମାଧାନ କରିହେବ ବୋଲି କହିଥିଲେ। ତେବେ ଏଜୁକେସନ ସିଷ୍ଟମକୁ ନେଇ ସେ କହିଥିଲେ ଯାହା ତ୍ରୁଟି ରହିଛି ଆମକୁ ଖୋଜିବାକୁ ପଡ଼ିବ। ସେଥିରେ ସୁଧାର ଆସିଲେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରାଯାଇପାରିବ ବୋଲି କହିଥିଲେ।

ଆଲୁମ୍ନି ସଂଘ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ମଂଚାସୀନ ଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ଡ. ଉମାବଲ୍ଲଭ ମହାପାତ୍ର ଭର୍ଚୁଏଲ ମାଧ୍ୟମରେ ଯୋଡ଼ି ହୋଇ ସ୍ୱାଗତ ବକ୍ତବ୍ୟ ଦେଇଥିଲେ।

ସାଂସଦ ସଂଗୀତା ସିଂହଦେଓ କହିଥିଲେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବାକୁ ସବୁସ୍ତରରରୁ ଉଦ୍ୟମ ଦରକାର। ଏହାସହ ଶିକ୍ଷାନୁଷ୍ଠାନ ପାଇଁ ଆବଶ୍ୟକ ଜମି ଓ ଅନୁଦାନ ଦରକାର। ନୂତନ ଶିକ୍ଷାନୀତିରେ ଅନେକ ପ୍ରକାର ସୁବିଧା ରହିଛି। ଦେଶରେ ୫ ବର୍ଷ ତଳେ ଯେତେ ୟୁନିଭରସିଟି ଥିଲା ଓ ଏବକାର ସଂଖ୍ୟା ବଢ଼ିଛି। ବର୍ତ୍ତମାନ ସମୟରେ ପାଠପଢ଼ା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ହେବ। ଗବେଷଣାତ୍ମକ ଶିକ୍ଷା ଆଗକୁ ଏହି ବିଶ୍ୱବିଦ୍ୟାଳୟକୁ ନେଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ବିଧାୟକ ନରସିଂହ ମିଶ୍ର କହିଥିଲେ, ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପାଇଁ ଯାହା କିଛି ଘୋଷଣା କରିଛନ୍ତି ସେଥିରେ ଆତ୍ମସନ୍ତୋଷ ହେଲେ ଚଳିବ ନାହିଁ। ୨୫କୋଟି ଟଙ୍କା ବିଶ୍ୱବିଦ୍ୟାଳୟ ପାଇଁ ଅତି ନଗଣ୍ୟ। ଯେଉଁ ସମୟରେ ୨୫ କୋଟି ଟଙ୍କା ରାଜ୍ୟ ସରକାର ଘୋଷଣା କଲେ ସେହି ସମୟରେ ପ୍ରତିବାଦର ସ୍ୱର ଉଠିବାର ଥିଲା। ରାଜ୍ୟର ଅଲଗା ବିଶ୍ୱବିଦ୍ୟାଳୟ ପାଇଁ ଶହ ଶହ ଏକର ଜମି ସରକାରଙ୍କ ତରଫରୁ ଦିଆଯାଉଛି। ହେଲେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଦରକାର ହେଉଥିବା ଜମି ବାବଦରେ ଦାବି କରାଗଲେ ଖୋଦ୍‌ ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟକୁ ୨୦୦ ଏକର ଜମି ଦିଆଯାଉ ଏବଂ ବର୍ତ୍ତମାନ ପାଇଁ ଗୋଟିଏ ଜାଗାରେ ୧୦୦ ଏକର ଜମି ଦିଆଯାଉ ବୋଲି ସେ ଦାବି କରିଥିଲେ। ଜବରଦଖଲ ଉଚ୍ଛେଦ କରାଯାଇ ଯେତେ ଶୀଘ୍ର ସମ୍ଭବ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୧୦୦ ଏକର ପ୍ରଥମେ ଦିଆଯାଉ ବୋଲି ସେ ଦାବି ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସଂଜୟ ସିଂହ ବିଶ୍ୱବିଦ୍ୟାଳୟରେ ଗବେଷଣାତ୍ମକ ପାଠ୍ୟକ୍ରମ ପାଇଁ କଣ ସବୁ ଆବଶ୍ୟକ ସେ ଉପରେ ବକ୍ତବ୍ୟ ରଖିଥିଲେ। ରାଜେନ୍ଦ୍ରଭିଆନ୍ସ ପ୍ରଭାସ ପାଣିଗ୍ରାହୀ ଆଲୁମ୍ନି ବିଗତ ଦିନରେ ନେଇଥିବା ପଦକ୍ଷେପ ଏବଂ ଦାବି ଉପରେ ବକ୍ତବ୍ୟ ରଖିଥିଲେ। ଭର୍ଚୁଏଲରେ ପ୍ରଫେସର ଡ. ଉମାଚରଣ ପତି, ଡ. ସନ୍ତୋଷ ରଥ, ଆଇନଜୀବୀ ଭବାନୀ ଶତପଥୀ ଯୋଗଦେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କେମିତି ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟ ହୋଇପାରିବ ସେ ଉପରେ ବକ୍ତବ୍ୟ ରଖିଥିଲେ। ଆଇନଜୀବୀ ରତନ ମହାରଣା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର