ନାଗିରକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି: ପ୍ରଧାନ ବିଚାରପତି

ଡିଜିଟାଇଜେସନ୍‌, ପେପରଲେସ୍‌ କୋର୍ଟ ଓ ଇ-ଇନିସିଏଟିଭ୍ ସଂପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

କଟକ: ‌ସବୁ ଲୋକମାନଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଲୋକମାନଙ୍କୁ ସୁଲଭ, ସୁଗମ, ସ୍ବଚ୍ଛ, ଉତ୍ତରଦାୟୀ ଓ କମ୍ ଖର୍ଚ୍ଚରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଦାନ କରିବା ହେଉଛି ଇ-କୋର୍ଟ ପ୍ରକଳ୍ପର ଲକ୍ଷ୍ୟ। ପୂର୍ବରୁ ରହିଥିବା ବ୍ୟବସ୍ଥାରେ ପରିବର୍ତ୍ତନ କରି ଲୋକମାନଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା କିପରି ପହଞ୍ଚି ପାରିବ ସେଥି ପାଇଁ ପଦକ୍ଷେପ ନିଆଯାଉଛି। ଉପ‌ନିବେଶ ସମୟର ମଡେଲ୍‌ରେ ଥିବା ନ୍ୟାୟ ପ୍ରଶାସନରେ ନାଗିରକଙ୍କୁ କୋର୍ଟରେ ପହଞ୍ଚିବାକୁ ପଡୁଥିଲା। ଏବେ ଏପରି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ କୋର୍ଟ ନାଗରିକଙ୍କ  ନିକଟରେ ପହଞ୍ଚିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦ୍ବାରା ଏହା ସମ୍ଭବ ହୋଇ ପାରିଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍‌ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ କହିଛନ୍ତି।

ଓଡ଼ିଶା ଜୁଡିସିଆଲ୍‌ ଏକାଡେମି ଠାରେ ଓଡ଼ିଶା ହାଇକୋର୍ଟ ଅନୁକୂଲ୍ୟରେ ଆୟୋଜିତ  ଡିଜିଟାଇଜେସନ୍‌, ପେପରଲେସ୍‌ କୋର୍ଟ ଓ ଇ-ଇନିସିଏଟିଭ୍ ସଂପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନ ବିଚାରପତି କହିଥିଲେ ଯେ ଇ-କୋର୍ଟ ପ୍ରକଳ୍ପ ପାଇଁ ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ୭୨୧୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ୨୦୨୩-୨୭ ବର୍ଷ ଭିତରେ ଉପରୋକ୍ତ ଅର୍ଥ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ପାଇଁ ଖର୍ଚ୍ଚ ହେବ। ଓଡ଼ିଶାରେ ୨୦ଟି ଜିଲ୍ଲାରେ ଭର୍ଚୁଆଲ୍‌ କ୍ୟାବିନ୍ ପ୍ରତିଷ୍ଠା ଦ୍ବାରା ବିଭିନ୍ନ ଜିଲ୍ଲାର ଆଇନଜୀବୀ ଓ ମହକିଲମାନେ ଦୂରରେ ରହି ହାଇକୋର୍ଟରେ ନିଜ ମାମଲା ପରିଚାଳନା କରି ପାରୁଛନ୍ତି। ବିଭିନ୍ନ ଜିଲ୍ଲାସ୍ତରରେ ମଧ୍ୟ ଦକ୍ଷ ଆଇନଜୀବୀ ରହିଛନ୍ତି ଯେଉଁମାନେ ବିଭିନ୍ନ କାରଣରୁ ହାଇକୋର୍ଟ ଯାଇ ପାରି ନଥାନ୍ତି। ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଦ୍ବାରା ଏପରି ଦକ୍ଷ ଆଇନଜୀବୀମାନେ ହାଇକୋର୍ଟରେ ମାମଲା ପରିଚାଳନା କରି ପାରୁଛନ୍ତି। କରେନା ମହାମାରୀ ସଂକ୍ରମଣ ସମୟରେ ବିଭିନ୍ନ ହାଇକୋର୍ଟରେ କରାଯାଇଥିବା ଭର୍ଚୁଆଲ ଶୁଣାଣି ବ୍ୟବସ୍ଥା ଏବେ ଅବ୍ୟବହୃତ ହୋଇ ପଡ଼ି ରହିଛି ବୋଲି କେତେକ ଅଭିଯୋଗ କରୁଛନ୍ତି। କରୋନା ସଂକ୍ରମଣ ସମୟରେ ଭର୍ଚୁଆଲ ଶୁଣାଣି ବ୍ୟବସ୍ଥା ଆବଶ୍ୟକତା ଓ ବାଧ୍ୟବାଧକତା ଥିଲା। କିନ୍ତୁ ପ୍ରଯୁକ୍ତି ବିଦ୍ୟା କେବଳ କରୋନା ସ୍ଥିତିରେ ସୀମିତ ରହି ନାହିଁ। ଏହି ସବୁ ଭିତ୍ତିଭୂମି ଲୋକଙ୍କ ଅର୍ଥରେ ନିର୍ମାଣ କରାଯାଇଥିବା ବେଳେ ଲୋକଙ୍କ ସେବାରେ ଲାଗିବା ଉଚିତ। ଭର୍ଚୁଆଲ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ ରଖିବା ସହିତ ହାଇବ୍ରିଡ୍‌ ଶୁଣାଣି ଜାରି ରଖିବା ଉପରେ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଛନ୍ତି। ସାରା ଦେଶରେ ନ୍ୟାୟିକ ଭିତ୍ତିଭୂମି ବିକାଶ ଉପରେ ପ୍ରଧାନ ବିଚାରପତି ଆଲୋକପାତ କରିଥିଲେ। ଓଡ଼ିଶା ଓ କେରଳରେ ନ୍ୟାୟିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ହାଇକୋର୍ଟଙ୍କୁ ସଂପୂର୍ଣ୍ଣ ସହଯୋଗ ମିଳୁଛି। ସବୁ ସ୍ତରରେ ନ୍ୟାୟିକ ଭିତ୍ତିଭୂମିକୁ ଦୃଢ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ୍‌ ବୋଲି ସେ କହିଥିଲେ।

ଏହି ଉତ୍ସବରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ୍‌ ଉଦ୍‌ବୋଧନ ଦେଇ କହିଥିଲେ ଯେ ପ୍ରତିବର୍ଷ ଏହିଭଳି ସମ୍ମିଳନୀ କରାଯିବାର ଆବଶ୍ୟକତା ରହିଛି।  ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କ ନେତୃତରେ ଓଡ଼ିଶା ହାଇକୋର୍ଟରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ସ୍ବାଗତ ଭାଷଣ ଦେଇ କହିଥିଲେ ଯେ କେତେକ ହାଇକୋର୍ଟ ପାଇଁ ରାଜ୍ୟ ସରକାରଙ୍କ ଆବଶ୍ୟକ ସହଯୋଗ ମିଳି ପାରୁ ନ ଥିବା ବେଳେ ଓଡିଶା ସରକାର କିନ୍ତୁ ନ୍ୟାୟିକ ଭିତ୍ତିଭୂମି ପାଇଁ ସବୁବେଳେ ସହଯୋଗ ଯୋଗାଇ ଆସୁଛନ୍ତି। ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଆର୍ଥିକ ସହଯୋଗ ରହିଛି।

ସମ୍ବନ୍ଧିତ ଖବର