ଜୟପୁର: କୃଷକ ଅଧିକାର ଉପରେ ବିଶ୍ୱ ଆଲୋଚନାଚକ୍ରରେ ଭାଗ ନେଇ ଜୟପୁର ପ୍ରକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ହର୍ଷିତା ପ୍ରିୟଦର୍ଶନୀ ମହାନ୍ତି ବକ୍ତା ଭାବେ ଯୋଗ ଦେଇ ଜୈବବିବିଧତାର ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ। ସେଭଳି ବିଭିନ୍ନ ବିହନର ସଂରକ୍ଷଣ କରି ନ ରଖିଲେ ଆଗାମୀ ଦିନରେ ନୂଆ ହାଇବ୍ରିଡ୍ ବିହନ ଏସବୁକୁ ଖାଇଯିବ ବୋଲି ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ। ଏଭଳି ଜାରି ରହିଲେ ଆଗାମୀ ପିଢ଼ୀର ଭବିଷ୍ୟତ ଅନ୍ଧାର ହେବ ବୋଲି କହିଛନ୍ତି ହର୍ଷିତା।
୧୫୦ପ୍ରକାରର ଦେଶୀ ଧାନ ବିହନ, ୫୩ପ୍ରକାରର ମାଣ୍ଡିଆ ଓ ୭ରକମରର ବାଜରାକୁ ମଧ୍ୟ ସେ ଏହି କର୍ମଶାଳାରେ ପ୍ରଦର୍ଶନ କରିଥିଲେ। ଆଜି ଅନୁଷ୍ଠିତ କର୍ମଶାଳାରେ ଡ ଆର ବି ସିଂ ଅଧ୍ୟକ୍ଷତା କରିଥିଲେ। ଏଥିରେ ବକ୍ତାଭାବେ ଡ ଆରକେ ଗୌତମ, ଜି କ୍ରୀଷ୍ଣାପ୍ରସାଦ, ଡ ଲାଲ ସିଂ, ରାଜୀବ ଶର୍ମା, ଡ ଜେସି ରଣାଙ୍କ ସହ ହର୍ଷିତା ଭାଗ ନେଇଥିଲେ। ଡ ଡିକେ ଯାଦବ , ରାପଟୋର ଭାବେ ଡ ପିଆର ଚୌଧୁରୀ କର୍ମଶାଳାକୁ ସଂଯୋଜନା କରିଥିଲେ। ରାକେଶ ରଂଜନ ଓ ଡ ଏକେ ସିଂ ସହ ଅଧ୍ୟକ୍ଷତା କରିଥିଲେ। ପଦ୍ମଶ୍ରୀ କମଳା ପୁଜାରୀଙ୍କ ପ୍ରେରଣାରେ ହର୍ଷିତା ବିହନ ସଂଗ୍ରହକାରୀ ସାଜିଥିବା କହିଥିଲେ। ଏହା ସହ ସେ ୨୦ଜଣ ଚାଷୀଙ୍କୁ ପୁରୁଣା ଧାନ ବିହନ ଦେଇଥିବା ସୂଚନାଦେବା ସହ ଚାଷୀ ମାନେ ନିଜ ନିକଟରେ ଥିବା ପୁରୁଣା ଧାନ ବିହନକୁ ସଂଗ୍ରହ କରି ରଖିବାକୁ ଆହ୍ୱାନ ଦେଇଥିଲେ। ହାଇବ୍ରୀଡ୍ ଧାନ ବିହନ ଭାରତର ଉନ୍ନତ ଓ ଗୁଣାତ୍ମକ ଧାନକୁ ଡୁବାଇବ । ତେଣୁ ବେଳଥାଉଣୁ ପୁରୁଣା ବିହନକୁ ସଂଗ୍ରହ କରି ରଖିବା ସହ ଜୈବବିବିଧତାକୁ ସୁରକ୍ଷା ଦେବାକୁ ପଡ଼ିବ ବୋଲି କହିଥିଲେ।