ଜାତୀୟ ଶିକ୍ଷାନୀତି ସଂପର୍କରେ ଆଲୋଚନାଚକ୍ର : ଶିକ୍ଷକମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦିଆଯିବା ଦରକାର

ବିଜେଡିର ଡିଜିଟାଲ କର୍ମଶାଳାରେ ସାଢେ ତିନି ଘଣ୍ଟାର ଆଲୋଚନା
୬୦୦ରୁ ଅଧିକ ଶିକ୍ଷାବିତ୍, ଶିକ୍ଷା ଉଦ୍ୟୋଗୀ, ଶିକ୍ଷକ ସାମିଲ
କାର୍ଯ୍ୟାନ୍ବୟନ ଉପରେ ପ୍ରଶ୍ନ ଉଠାଇଲେ ଶିକ୍ଷକ ନେତା

ଭୁବନେଶ୍ୱର : ଶିକ୍ଷକମାନେ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ଆତ୍ମା। ନିୟମିତ ବ୍ୟବଧାନରେ ସେମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଛି। ଏହାଦ୍ବାରା ଗୁଣାତ୍ମକ ଶିକ୍ଷା ମିଳିପାରିବ ଓ ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦ର ମୂଳ ଲକ୍ଷ୍ୟ ହାସଲ ହୋଇପାରିବ। ତେବେ ଏହାର କାର୍ଯ୍ୟାନ୍ବୟନ ପୂର୍ବରୁ ଏକ ଟାସ୍କଫୋର୍ସ ଗଠନ କରାଯିବାର ଆବଶ୍ୟକତା ରହିଛି। ସ୍ବତନ୍ତ୍ର ବିକାଶୋନ୍ମୁଖୀ କାର୍ଯ୍ୟାନ୍ବୟନ ଖସଡ଼ା ପ୍ରସ୍ତୁତ ହେବା ଦରକାର।

ଜାତୀୟ ଶିକ୍ଷାନୀତି ସଂପର୍କରେ ବିଜେଡି ପକ୍ଷରୁ ଆଜି ଅନୁଷ୍ଠିତ ଡିଜିଟାଲ କର୍ମଶାଳାରେ ବିଶିଷ୍ଟ ଶିକ୍ଷାବିତ୍ ଓ ଶିକ୍ଷା ଉଦ୍ୟୋଗୀମାନେ ଏଭଳି ମତ ରଖିଛନ୍ତି। ଅନ୍ୟପକ୍ଷରେ ଅପରାହ୍ନରେ କର୍ମଶାଳାର ଦ୍ବିତୀୟ ଅଧିବେଶନରେ ଅଧ୍ୟାପକ ଓ ଶିକ୍ଷକ ସଂଗଠନମାନେ ସିଧା ସିଧା କହିଛନ୍ତି ଯେ ନୂଆ ଶିକ୍ଷା ନୀତି କାନକୁ ସିନା ଭଲ ଶୁଭୁଛି, କିନ୍ତୁ ଏହାର କାର୍ଯ୍ୟାନ୍ବୟନ ଆଦୌ ସହଜସାଧ୍ୟ ନୁହେଁ।

ବିଜେଡି ଉପସଭାପତି (କଳା, ସଂସ୍କୃତି ଓ ମାନବସମ୍ବଳ) ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଶିକ୍ଷାନୀତି ସଂକ୍ରାନ୍ତ ଆଲୋଚନାଚକ୍ରରେ ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଏଭଳି ଢଙ୍ଗରେ ଘମାଘୋଟ ଆଲୋଚନା ହୋଇଛି। ବିଜେଡି ସାଧାରଣ ସଂପାଦକ (କଳା, ସଂସ୍କୃତି ଓ ମାନବସମ୍ବଳ) ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସକ୍ରିୟ ଯୋଗଦାନ ସହିତ ଉଭୟ ଅଧିବେଶନରେ ଜାତୀୟ ନୀତିକୁ ଟିକିନିଖି ବିଶ୍ଳେଷଣ କରାଯାଇଥିଲା। ଉଭୟ ଅଧିବେଶନରେ ପ୍ରାୟ ୬ଶହରୁ ଅଧିକ ଶିକ୍ଷାବିତ୍, ପ୍ରଫେସର, ଶିକ୍ଷାଦ୍ୟୋଗୀ, ଅଧ୍ୟାପକ, ବିଭିନ୍ନ ଶିକ୍ଷକ ସଂଗଠନ ନେତା ପ୍ରମୁଖ ଯୋଗଦେଇଥିଲେ। ଉଭୟ ଅଧିବେଶନରେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସାହୁ ଜାତୀୟ ଶିକ୍ଷା ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କ ବିଚାର ଏବଂ ଆଲୋଚନାଚକ୍ର ମାଧ୍ୟମରେ ଏକ ସ୍ପଷ୍ଟ ନୀତି ପ୍ରସ୍ତୁତି ଲାଗି ବିଜେଡିର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ୪ଟି ଅଧିବେଶନର ମତ ଏବଂ ପ୍ରସ୍ତାବ ସହିତ ଉଭୟ ସରକାର ଓ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠା ଶିକ୍ଷା ନୀତି ପ୍ରସ୍ତୁତ କରି ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ ସୂଚନା ଦେଇଥିଲେ।

ପାଖାପାଖି ଶହେରୁ ଅଧିକ ଶିକ୍ଷାବିତ୍ ଓ ଉଦ୍ୟୋଗୀମାନଙ୍କୁ ନେଇ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦାସ, ଶିକ୍ଷାବିତ୍ ଭଗବାନ ପ୍ରକାଶ ଜାତୀୟ ଶିକ୍ଷା ନୀତି ସଂପର୍କରେ ସେମାନଙ୍କ ସିଦ୍ଧାନ୍ତ ରଖିଥିଲେ। ଏହି ଅଧିବେଶନରେ ବକ୍ତାମାନେ ଧନ୍ଦାମୂଳକ ପାଠ୍ୟକ୍ରମ, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ଭାଷାରେ ଶିକ୍ଷାକୁ ସେମାନେ ଭଲ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ ହେଁ, ରାଜ୍ୟ ସରକାରଙ୍କ ଭୂମିକା ବା ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ଦକ୍ଷତା ଆଧାରିତ ଶିକ୍ଷା ପାଇଁ ଉତ୍ତମ ତଥା ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣ, ଶିକ୍ଷାର ବ୍ୟବସାୟୀକରଣ, ଅଧିକ ବଜେଟ୍‌ର ଆବଶ୍ୟକତା, ଶିଳ୍ପାନୁଷ୍ଠାନ ଓ ବୈଷୟିକ ଶିକ୍ଷା ମଧ୍ୟରେ ବୁଝାମଣା ଆଦି ସଂପର୍କରେ ମତ ପ୍ରକାଶ ପାଇଥିଲା। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକାର ଅଭିରାମ ବିଶ୍ବାଳ, ବିଜୟ ସାହୁ, ମୂରଲୀ କ୍ରିଷ୍ଣନ୍, ଅମ୍ବରିଶ ଦାସ, ଅଜୟ ବାହାଦୁର ସିଂ, ବିପ୍ଳବ ବୁଗୁଡେଇ, ସୁଧାଂଶୁ ପଣ୍ଡା, ଆନନ୍ଦ ଅଗ୍ରଵାଲ, ଦେବସ୍ମିତା ପଟ୍ଟନାୟକ, ଡ. ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ଭାଗ ନେଇ ନିଜର ମତ ରଖିଥିଲେ। ବିଜେଡି ସାଧାରଣ ସଂପାଦକ ଜନ୍ମେଜୟ ଲେଙ୍କା ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରିୟଦର୍ଶୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ବି ଅଧ୍ୟାପକ, ବିଭିନ୍ନ ଶିକ୍ଷକସଂଗଠନ ଏହି ନୀତି ସଂପର୍କରେ ବିଶଦ ଆଲୋଚନା କରିଥିଲେ। ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପାଢୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମୁଖ୍ୟ ବିଜୟ ସାହୁ ଭିତ୍ତିପ୍ରବନ୍ଧ ରଖିଥିଲେ। ବାସ୍ତବଧର୍ମୀ ଶିକ୍ଷା, ଅମଲାତନ୍ତ୍ରର ଆଭିମୁଖ୍ୟ, ଶିକ୍ଷା ପ୍ରଦାନ ଶୈଳୀ ଏବଂ ସମାନ୍ତର ସୁବିଧା,ଗୁଣବତ୍ତା, ଉତ୍ତରଦାୟୀ ବ୍ୟବସ୍ଥା ଉପରେ ବକ୍ତମାନେ ସେମାନଙ୍କ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମାଶଙ୍କର ପାତ୍ର, ହୃଦାନନ୍ଦ ଦ୍ବିବେଦୀ, ମୁମ୍ବାଇରୁ ନନ୍ଦିତା କୁଲକର୍ଣ୍ଣୀ, ସୁଧାଂଶୁ ଶେଖର ରଥ, ପବିତ୍ର ମହଲା, ଗୋଲକ ନାୟକ, ପ୍ରକାଶ ମହାନ୍ତି, ରାଜେଶ ମହାନ୍ତି, ଅମୀୟ ମହାନ୍ତି, ମାନସ ବେହେରା, ଅରୁନ୍ଧତୀ ଦେବୀ, ବିନୋଦ ବିହାରୀ ପାଣିଗ୍ରାହୀ, ପ୍ରଣତି ଦାସ ପ୍ରମୁଖ ଭାଗ ନେଇଥିଲେ। ଦ୍ବିତୀୟ ଅଧିବେଶନରେ ମନ୍ତ୍ରୀ ଅରୁଣ ସାହୁ ସଂଯୋଜନା କରିଥିବାବେଳେ ଏହି ପର୍ଯ୍ୟାୟରେ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ସ୍ବାଗତ ଭାଷଣ ଦେଇଥିଲେ ଓ ବିଜେଡି ସାଧାରଣ ସଂପାଦକ ସତ୍ୟବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ପରବର୍ତୀ ଡିଜିଟାଲ କର୍ମଶାଳା ଆସନ୍ତା ୧୬ ତାରିଖ ଦିନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର