ଜାତୀୟ ଶିକ୍ଷା ନୀତି ଚିଠା ସଂପର୍କରେ ଆଲୋଚନାଚକ୍ର : ସାମଗ୍ରିକ ପ୍ରସ୍ତାବ ପାଇଁ ୬ମାସ ଆବଶ୍ୟକ

ଭୁବନେଶ୍ବର : ଓଡ଼ିଶା ଅଭିଭାବକ ମହାସଂଘ ବା ଓପାଫ୍ ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନର ମିଳିତ ଉଦ୍ୟମରେ ଆଜି ବୁଦ୍ଧ ମନ୍ଦିରରେ ଜାତୀୟ ଶିକ୍ଷା ନୀତି ଚିଠି ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଫୋରମ୍‌ର ସଭାପତି ଗଗନ ବିହାରୀ ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଏଥିରେ ପ୍ରାଧ୍ୟାପକ ସୁରେନ୍ଦ୍ର ଜେନା କହିଲେ, ଶିକ୍ଷାର ବ୍ୟବସାୟୀକରଣ ଉପରେ ଅଙ୍କୁଶ ଲାଗିବା ଆବଶ୍ୟକ। ରାଜ୍ୟ ସରକାର ଏଥିପାଇଁ ଏକ ଆଇନ ପ୍ରଣୟନ କରିବା ଜରୁରୀ। ଏହାସହ ରାଜ୍ୟର ସ୍କୁଲ ଓ କଲେଜରେ ଖାଲି ପଡ଼ିଥିବା ଶିକ୍ଷକ/ଅଧ୍ୟାପକ ପଦବିକୁ ତୁରନ୍ତ ପୂରଣ କରାଯାଉ। ନଚେତ୍ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ନାହିଁ। ଏହାସହର ରାଜ୍ୟରେ ଯେଉଁସବୁ ସ୍କୁଲ ରହିଛି ସେମାନଙ୍କ ପୁନର୍ଗଠନ ଓ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଶିକ୍ଷା କାର୍ଯ୍ୟକାରୀ କରାଯାଉ। କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ କହିଲେ, କେନ୍ଦ୍ର ସରକାର ଯେଉଁ ଜାତୀୟ ଶିକ୍ଷା ନୀତି ପାଇଁ ଚିଠା ପ୍ରସ୍ତୁତ କରିଛନ୍ତି ଏହା ସଂପର୍କରେ ସାମାଜିକ ସଂଗଠନ, ଶିକ୍ଷକ ନେତା, ଅଭିଭାବକମାନଙ୍କୁ ନେଇ ଆଲୋଚନା କରାଯାଉଛି। ଶିକ୍ଷାର ବ୍ୟବସାୟୀକରଣ ପାଇଁ ଯେଉଁ ଉଦ୍ୟମ ଚାଲିଛି ତହିଁରେ ନିୟନ୍ତ୍ରଣ ଆବଶ୍ୟକ। ଦେଶ ଓ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଭିନ୍ନ। ତେଣୁ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀମତୀ ପାଣିଗ୍ରାହୀ କହିଥିଲେ।
ଏହି ଚିଠାର ବିଜ୍ଞାନ ସମ୍ମତ ବିଶ୍ଳେଷଣ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ସାମିଲ କରି ସାମଗ୍ରୀକ ପ୍ରସ୍ତାବ ପାଇଁ ଅତିକମ୍‌ରେ ୬ମାସର ସମୟ ଦେବା ଜରୁରୀ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମାନବ ସମ୍ବଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ଉପସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏହି ଆଲୋଚନାଚକ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ବିନାୟକ ରଥ, ପୂର୍ବତନ ଉଚ୍ଚଶିକ୍ଷା ଯୁଗ୍ମ ନିର୍ଦେଶକ ଅମିୟ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ପ୍ରାଧ୍ୟାପକ କମଳାକାନ୍ତ ଦାସ, ମଧୁସୂଦନ ବିଶ୍ବାଳ, ଜୟନ୍ତ ଦାସ, ମନୋରଂଜନ ପଣ୍ଡା, ବୈକୁଣ୍ଠ ପ୍ରସାଦ ଦାସ, ସୁଶାନ୍ତ ସାହୁ, ସପନ ମିଶ୍ର, ପଙ୍କଜ ପାଣିଗ୍ରାହୀ, ରାଜେଶ ନାୟକ, ଅଜୟ ବେହେରା, ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର