କଟକ: ଢେଙ୍କାନାଳ ଆଇସିଆଇସିଆଇ ବ୍ୟାଙ୍କରେ ବଡ଼ଧରଣର କେଳେଙ୍କାରୀ ହୋଇଛି। ଏକାଧିକ ବରିଷ୍ଠ ନାଗରିକଙ୍କ ଫିକ୍ସ ଡିପୋଜିଟ୍‌ରୁ ବେଆଇନ ଉପାୟରେ ବ୍ୟାଙ୍କର ଉପ-ବ୍ୟାଙ୍କ ପରିଚାଳକ ଓ ଜନସମ୍ପର୍କ ଅଧିକାରୀ ୧ କୋଟି ୪ ଲକ୍ଷ ଟଙ୍କା ମିଳିମିଶି ଖାଇଯାଇଛନ୍ତି। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପୂରା କେଳେଙ୍କାରୀର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ବ୍ୟାଙ୍କର ତତ୍କାଳୀନ ଲୋକସମ୍ପର୍କ ପରିଚାଳକ ସ୍ବାଗତିକା ସ୍ବାଇଁ(୨୮), ସ୍ବାଗତିକାଙ୍କ ସ୍ବାମୀ ମନୋଜ କୁମାର ସାହୁ(୨୯), ଉପ ବ୍ୟାଙ୍କ ପରିଚାଳକ ପ୍ରଶାନ୍ତ କୁମାର ସାହୁ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଢେଙ୍କାନାଳରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଏକାଧିକ ବ୍ୟାଙ୍କ ଗ୍ରାହକଙ୍କ ଜମାଖାତାରୁ ବେଆଇନ ଭାବେ ଟଙ୍କା ଉଠାଣ ହୋଇଥିବା ଭଳି ସିରିଜ୍‌ ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ ବ୍ୟାଙ୍କର ଆର୍ଥିକ ଅପରାଧ ନିରୋଧ ଶାଖାର ଦୃଷ୍ଟିକୁ ଆସିଥିଲା।

Advertisment

ଆଭ୍ୟନ୍ତରୀଣ ତଦନ୍ତ ବି ଏ ଦିଗରେ କରାଯାଇଥିଲା। ବେଆଇନ ଭାବେ ଓଭର୍‌ଡ୍ରାଫ୍ଟ ବ୍ୟବହାର କରି ଏକାଧିକ ବରିଷ୍ଠ ନାଗରିକଙ୍କ ଫିକ୍ସଡ୍‌ ଡିପୋଜିଟ୍‌ରୁ ଏହି ଟଙ୍କା ଉଠାଣ ହୋଇଥିଲା। ଅନଲାଇନ୍ ଆଇ-ମୋବାଇଲ୍ ଆପ୍ଲିକେସନ୍‌, ଆଗୁଆ ଫିକ୍ସଡ ଡିପୋଜିଟ୍, ମ୍ୟୁଚୁଆଲ୍ ଫଣ୍ଡରେ ନକଲି ନିବେଶ ହୋଇଥିବା ଦର୍ଶାଇ ଏହି ଟଙ୍କା ଫିକ୍ସଡ ଡିପୋଜିଟ୍‌ରୁ ଉଠାଣ କରାଯାଉଥିଲା। ବ୍ୟାଙ୍କର ଲୋକସମ୍ପର୍କ ପରିଚାଳକ ସ୍ବାଗତିକା ସ୍ବାଇଁ ଏଭଳି କାଣ୍ଡ ଘଟାଇଥିଲା। ନିଜର ବ୍ୟକ୍ତିଗତ ଫାଇଦା ପାଇଁ ସ୍ବାଗତିକା ଟଙ୍କା ଠକିଥିଲେ। ସେ ବ୍ୟାଙ୍କର ନିୟମକୁ ଉଲ୍ଲଂଘନ କରି ଏଭଳି ବେଆଇନ କାର୍ଯ୍ୟ କରିଥିବା ବ୍ୟାଙ୍କ ତଦନ୍ତରୁ ଧରାପଡ଼ିଥିଲା। ଟଙ୍କା ଉଠାଣ ୨୦୨୧ ଫେବ୍ରୁଆରି ୧ ତାରିଖରୁ ୨୦୨୨ ଜୁନ ୩୦ ତାରିଖ ମଧ୍ୟରେ ହୋଇଥିଲା।

ଏ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯିବା ପରେ ୨୦୨୩ ଡିସେମ୍ବର ୫ ତାରିଖରେ ମାମଲା ରୁଜୁ ହୋଇଥିଲା। କ୍ରାଇମବ୍ରାଞ୍ଚ ଦଫା ୪୦୯, ୪୬୫, ୪୬୭, ୪୬୮, ୪୬୯, ୪୭୧, ୧୨୦-ବି, ୩୪ ଏବଂ ଆଇଟି ଆକ୍ଟର ୬୬/୬୬-ସି’ରେ ମାମଲା ରୁଜୁ ହୋଇଛି। କ୍ରାଇମବ୍ରାଞ୍ଚ ସାଇବର୍ ଥାନାର ଡିଏସ୍‌ପି ରଜତ ରାୟଙ୍କ ନେତୃତ୍ବରେ ଇନସ୍ପେକ୍ଟର ଅନିଲା ଆନନ୍ଦ ଏବଂ ଅନ୍ୟ ପୁଲିସ କର୍ମଚାରୀ ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଥିଲା। ସ୍ବାଗତିକା ସେହି ବ୍ୟାଙ୍କରେ ଲୋକସମ୍ପର୍କ ପରିଚାଳକ ଭାବେ କାମ କରୁଥିବା ବେଳେ ବ୍ୟାଙ୍କରେ ଖାତା ଖୋଲିଥିବା ବରିଷ୍ଠ ନାଗରିକଙ୍କୁ ଘରେ ବ୍ୟାଙ୍କ ସହାୟତା ଯୋଗାଇବା ଦାୟିତ୍ବ ନେଇଥିଲା। ସ୍ବାଗତିକା ତାଙ୍କ ସ୍ବାମୀ ମନୋଜ କୁମାର ସାହୁ ସହିତ ମିଶି ଏହି ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରୁଥିଲେ। ଏହି ବରିଷ୍ଠ ନାଗରିକମାନେ ସାଧାରଣତଃ ଅନ୍‌ଲାଇନ୍ ବ୍ୟାଙ୍କିଂ ବ୍ୟବସ୍ଥା ସମ୍ପର୍କରେ ଅଜ୍ଞ ଥିବାରୁ ସେମାନଙ୍କୁ ଫୁସୁଲାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିନେଉଥିଲେ ଏହି ଦମ୍ପତି। କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଛି।