ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ, ରାଷ୍ଟ୍ରୀୟମର୍ଯ୍ୟାଦାର ସହିତ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର

କଟକ : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଡକ୍ଟର ବିପିନ ବିହାରୀ ରଥ ଆଉ ନାହାନ୍ତି। ଶନିବାର ସକାଳ ୧୧ଟା ୧୦ମିନିଟରେ ଏସ୍‌ସିବି ମେଡିକାଲରେ ତାଙ୍କର ପରଲୋକ ଘଟିଛି। ଗତ କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସକାଳୁ ତାଙ୍କ ଅବସ୍ଥା ଗୁରୁତର ‌ହେବାରୁ ପରିବାର ପକ୍ଷରୁ ଏସ୍‌ସିବି ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ବ‌ର୍ଷ ହୋଇଥିଲା। ଅନ୍ତିମଶଯ୍ୟା ନିକଟରେ ପତ୍ନୀ ହେମାବତୀ ରଥ, ତିନିପୁଅ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥ, ଆଇନଜୀବୀ ଜଗନ୍ନାଥ ରଥ, ବୈଦ୍ୟନାଥ ରଥ, ଚାରି ଝିଅ ମନୋରମା ମହାପାତ୍ର, କଳ୍ପନା ମିଶ୍ର, କ୍ରିଷ୍ଣା ମିଶ୍ର, ନିରୁପମା ରଥଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ବଡ଼ମେଡିକାଲ୍‌ରୁ ତାଙ୍କ ମରଶରୀରକୁ କନିକାଛକ ବାସଭବନକୁ ନିଆଯାଇଥିଲା।

ଖବର ପାଇ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ, ଓଡ଼ିଶା ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଜ‌ଷ୍ଟିସ୍ ସଞ୍ଜୟ କୁମାର ମିଶ୍ର, ଜ‌ଷ୍ଟିସ୍ ଶତୃଘ୍ନ ପୂଜାହାରୀ, ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଡକ୍ଟର ଜଷ୍ଟିସ୍ ଏ.କେ.ମିଶ୍ର, ଜ‌ଷ୍ଟିସ୍ ବିଭୁପ୍ରସାଦ ରାଉତରାୟ, ଜଷ୍ଟିସ୍ ସଞ୍ଜିବ ପାଣିଗ୍ରାହୀ, ଜଷ୍ଟିସ୍ ଦେବବ୍ରତ ଦାଶ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ.ଏସ୍. ନାଇଡୁ, ଜଷ୍ଟିସ୍ ପ୍ରଦ୍ୟୁମ୍ନ ମହାନ୍ତି, ଜଷ୍ଟିସ୍ ଏ.କେ. ସାମନ୍ତରାୟ, ଜଷ୍ଟିସ୍ ଏ.କେ.ପରିଚ୍ଛା, ଜଷ୍ଟିସ୍‌ ବାସୁଦେବ ପାଣିଗ୍ରାହୀ, ସିକିମ୍ ହାଇକୋଟର୍ର ପ୍ରାକ୍ତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏଲ୍‌. ମହାପାତ୍ର ପ୍ରମୁଖ ଡକ୍ଟର ରଥଙ୍କ ପାର୍ଥିବ ଶରୀ‌ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅପରାହ୍‌ଣରେ ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବଡ଼ପୁଅ ଜଷ୍ଟିସ୍‌ ବିଶ୍ବନାଥ ରଥ ମୁଖାଗ୍ନି ଦେଇଥିଲେ।

ଡକ୍ଟର ରଥ ୧୯୩୦, ନଭେମ୍ବର ୨୯ତାରିଖରେ ଗଞ୍ଜାମ ଜିଲ୍ଲା କୃପାସିନ୍ଧୁପୁର ଶାସନରେ ଜନ୍ମଗ୍ରହଣ କରିଥ‌ିଲେ। ମହାତ୍ମା ଗାନ୍ଧୀ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ସଂସ୍ପର୍ଶରେ ଆସି ମାତ୍ର ୧୦ବର୍ଷ ବୟସରୁ ‌ସେ ସ୍ବାଧୀନତା ସଂଗ୍ରାମରେ ଯୋଗ‌ ଦେଇଥିଲେ। ୧୯୪୨ ଭାରତ ଛାଡ ଆନ୍ଦୋଳନ ସମୟରେ ବ୍ରହ୍ମପୁର ପୋଷ୍ଟଅଫିସ୍ ସମ୍ମୁଖରେ ଆନ୍ଦୋଳନ କରି ଜେଲ୍‌ ଯାଇଥିଲେ। ୧୯୪୮ରେ ଉତ୍କଳ ସମ୍ମିଳନୀରେ ଆଜୀବନ ସଭ୍ୟ ମନୋନୀତ ‌ହୋଇଥିଲେ। ଏମ୍ଏସ୍‌ ଲ ଛାତ୍ର ସଂସଦର ସଭାପତି, ବ୍ରହ୍ମପୁର କେକେ କଲେଜ ଛାତ୍ର ସଂସଦ ସଭାପତି ଥିବା ଡକ୍ଟର ରଥ ୧୯୫୧ ଓ ୧୯୫୨ରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ ଉପସଭାପତି ମଧ୍ୟ ଥିଲେ। ୧୯୫୨ରେ ସେ ଆଇନଜୀବୀ ଭାବେ କଟକରେ ବୃତ୍ତିଗତ ଜୀବନ ଆରମ୍ଭ କରିଥ‌ିଲେ। ସିଭିଲ୍‌, କ୍ରିମ୍‌ନାଲ, କମ୍ପାନି, କନ୍‌ଷ୍ଟିଚ୍ୟୁସନାଲ୍‌ ଆଦି ଆଇନ କ୍ଷେତ୍ରରେ ତାଙ୍କ ବିଶେଷ ପାରଦର୍ଶିତା ଥିଲା। ୧୯୮୭ରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନ୍ୟତା ପାଇଥିଲେ। ପରେ ସେ ଓଡ଼ିଶା ଲୟର୍ସ ଆସୋସିସଏନ୍ ସଭାପତି ନିର୍ବାଚିତ ‌ହୋଇଥିଲେ। ଓଡ଼ିଶା ଲୟର୍ସ ୱେଲ୍‌ଫେୟାର ଫଣ୍ଡ୍ ଆକ୍ଟ୍‌ କାର୍ଯ୍ୟକାରୀ କରିବାରେ ତାଙ୍କ ପ୍ରମୁଖ ଭୂମିକା ଥିଲା। ୧୯୯୪-୯୮ ପର୍ଯ୍ୟନ୍ତ ହାଇକୋର୍ଟ ବାରର ଦୁଇ ଥର ପାଇଁ ସଭାପତି ନିର୍ବାଚିତ ହୋଇଥିବା ଡକ୍ଟର ରଥ ବହୁ ସରକାରୀ, ବେସରକାରୀ, ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଭାବେ ମୁତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ। ଜାନକୀବଲ୍ଲଭ ପଟ୍ଟନାୟକ ସ୍ମାରକୀ ଟ୍ରଷ୍ଟ, ଅଶୋକ ଦାସ ସ୍ମାରକୀ, ଡକ୍ଟର ଶ୍ରୀରାମ ଚନ୍ଦ୍ର ଦାଶ ସ୍ମାରକୀ, ଶ୍ରୀନିବାସ ମିଶ୍ର ସ୍ମାରକୀ ଟ୍ରଷ୍ଟର ପ୍ରତିଷ୍ଠାତା କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥ‌ିଲେ। ଏଥିସହିତ ୧୯୯୦-୯୫ ପର୍ଯ୍ୟନ୍ତ ରାଜ୍ୟ ବିଜେପି ଉପସଭାପତି ଓ ୧୯୯୯-୨୦୧୦ ପର୍ଯ୍ୟନ୍ତ ବିଶ୍ବହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ଥିଲେ। ସ୍ବାଧୀନତା ସଂଗ୍ରାମ, ଆଇନସେବା, ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଡକ୍ଟର ରଥ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିଲେ।

ସମ୍ବନ୍ଧିତ ଖବର