ମମିତା ହତ୍ୟାକାଣ୍ଡରେ ପୁଲିସର ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର 

ଭୁବନେଶ୍ବର: ମମିତା ହତ୍ୟାକାଣ୍ଡରେ ପୁଲିସ ତଦନ୍ତ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇ ପୁଣି ଥରେ ବର୍ଷିଛନ୍ତି। କୋର୍ଟରେ ଦାଖଲ ହୋଇଥିବା କେସ ଡାଇରି ଧରି ପୁଲିସ ଉପରେ ବର୍ଷିଛନ୍ତି ସେ।

ବିଜୟ ମହାପାତ୍ର କହିଛନ୍ତି, କଳାହାଣ୍ଡିର ଏହି ନୃଶଂସ ଓ ବିଭତ୍ସ ହତ୍ୟାକାଣ୍ଡ ନେଇ ସମଗ୍ର ରାଜ୍ୟ ଦୋହଲି ଉଠିଛି। ଏହାର ଏତଲା ହୋଇଥିଲା ଅକ୍ଟୋବର ୧୩ ତାରିଖରେ। ଆଜି ଏହି ଘଟଣାକୁ ମାସେ ପୁରୁଛି। ମାତ୍ର ଏହି ମାସକ ଭିତରେ ତଦନ୍ତ ଠିକ ବାଟରେ ହେଉଥିବା ମନେ ହେଉନି। ମମିତାର ଚରିତ୍ର ସଂହାର କେହି ବି ଓଡ଼ିଶାର କରି ନାହାନ୍ତି କି କୌଣସି ରାଜନୈତିକ ଦଳ ବି କରିନି, ବରଂ ମମିତା ମେହେର ଗୋଟିଏ ଘଟଣାକୁ ସାମ୍ନାକୁ ଆଣିବା ପାଇଁ ବଳିଦାନ ଦେଇ ଦେଲା। ମାତ୍ର ଏହାକୁ ନେଇ ମିଥ୍ୟା ଅଭିଯୋଗ କରାଯାଉଛି। ମାସେ ମଧ୍ୟରେ ଅନୁସନ୍ଧାନ କେଉଁ ଦିଗକୁ ଗଲା। ପ୍ରତିବାଦ ଭିନ୍ନ କଥା। ମାତ୍ର ମାସକ ଭିତରେ ପୁଲିସ କେତେବାଟ ତଦନ୍ତ କରିଛି ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ୧୨ ତାରିଖ ରାତି ୧୨ଟାରେ ଏତଲା ରଖି ପୁଲିସ ତାକୁ ୧୩ ତାରିଖ ବୋଲି ଦର୍ଶାଇଛି। ମୁଁ ଏକଥା କହୁନି ପୁଲିସ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି। ଏତଲା କୋର୍ଟକୁ ଆସିବାକୁ ୩ ଦିନ ଲାଗିଲା ଏହାର ଉତ୍ତର କିଏ ଦେବ ? ଆଇନ କହୁଛି ଏତଲା ସଙ୍ଗେ ସଙ୍ଗେ କୋର୍ଟ ଆସିବ। ସିନ୍ଧେଇକେଲା ଥାନାରୁ ବଙ୍ଗମୁଣ୍ଡା କୋର୍ଟ ଏତଲା ଆସିବା ପାଇଁ ଏକ ଘଣ୍ଟା ଲାଗିବ, ମାତ୍ର ଏଠି ତିନି ଦିନ ଲାଗିଲା। ଯଦି କିଛି ଅସୁବିଧା ଥିଲା, ତାହାର କାରଣ ପୁଲିସ ଦର୍ଶାଇବାର ଆବଶ୍ୟକତା ରହିଛି। ମାତ୍ର ପୁଲିସ ତାହା କରିନାହିଁ। ଏହି ଘଟଣା ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନକୁ ଆହୁରି ଘନୀଭୂତ କରୁଛି।

ସେ ଆହୁରି କହିଛନ୍ତି, ବାହାରେ ପ୍ରଚାର କରାଗଲା ସ୍କୁଲ ଅଲଗା କଲେଜ ଅଲଗା। ମାତ୍ର ଏତଲା କହୁଛି କଲେଜର ହଷ୍ଟେଲରେ ମମିତା ରହୁଥିଲେ। ଏବଂ ସେଠି ସେକ୍ସ ସ୍କାଣ୍ଡଲ ଚାଲୁଥିବା ଏହି ଏତଲାରେ ରହିଛି। ଯେଉଁ ସେକ୍ସ ରାକେଟ ଚାଲୁଥିଲା, ତାହାର ତଦନ୍ତ ଏବେ କିଏ କରୁଛି। ଯଦି ପୁଲିସ ଗୋବିନ୍ଦକୁ ଏହା ପଚାରିଲା, ତେବେ ତାହାର ରିପୋର୍ଟ କୋର୍ଟରେ କାହିଁକି ପୁଲିସ ଦେଇନାହିଁ । ୧୬୧ କିମ୍ବା ୧୬୪ ରେ କାହିଁକି ପୁଲିସ ଷ୍ଟେଟମେଣ୍ଟ ନେଲା ନାହିଁ। କୋର୍ଟକୁ ଦିଆଯାଇଥିବା ରିପୋର୍ଟରେ ଗୋବିନ୍ଦ ସାହୁ ବିଷୟରେ ମାତ୍ର ଗୋଟିଏ ପଦ ଲେଖା ଯାଇଛି। ସେ ଆଡମିଟ କରିଛି କିନ୍ତୁ କନଫେସନ କରିନି। ମାତ୍ର ତାକୁ ନେବା ଉକ୍ତ ସ୍ଥାନ ବୁଲାଇବା ସତ ମାନିବା ତାହା କେଉଁଠି ଲେଖା ଯାଉନି। ପ୍ରଥମରୁ ହିଁ ପୁଲିସ କେସକୁ ଦୁର୍ବଳ କରିଦେଇଛି। ଆଉ ଏବେ ବି ଏହି କେସକୁ ଆହୁରି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଉଛି। ମୋ ମତରେ ଏତଲା ହୋଇଛି, ମାତ୍ର କେସ କିଛି ନାହିଁ। ରାୟପୁରର ପ୍ରମାଣ ପୁଲିସ ପାଖରେ ଅଛି। ତଦନ୍ତ ଯଦି ଠିକ ବାଟରେ ନ ଯାଏ, ତେବେ ଧୀରେ ଧୀରେ ପରିସ୍ଥିତି ଅଣାୟତ୍ତ ହେବ।

 

ସମ୍ବନ୍ଧିତ ଖବର